• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଟିକେଟ୍ କଟିବା ପରେ ବଢୁଛି ଅସନ୍ତୋଷ । ନିମାପଡ଼ାଠୁ ଆରମ୍ଭ କରି ବଡ଼ଚଣା ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ବିରୋଧ । ନିମାପଡ଼ା ବିଧାନସଭା ଆସନରୁ ବିଜେଡି ବରିଷ୍ଠ ନେତା ସମୀର ଦାଶଙ୍କ ଟିକେଟ କଟିବା ପରେ ସେ ଆଜି ଶାନ୍ତିପୂର୍ଣ୍ଣ ରାଲି କରିଛନ୍ତି। ପୁରୀ ନିମାପଡ଼ା ବାରବାଟୀ ପଡ଼ିଆରେ ନିଜ ସମର୍ଥକଙ୍କ ସହ ବିରାଟ ସମାବେଶ କରିଛନ୍ତି ସମୀର ଦାଶ । ଏହି ସମାବେଶ ଜରିଆରେ ସେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଛନ୍ତି ।

ସୂଚନା ଅନୁସାରେ ଏପ୍ରିଲ୍‌ ୧୭ରେ ବିଜେଡି ଘୋଷଣା କରିଥିଲା ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ତେବେ ନିମାପଡ଼ା ବିଧାନସଭା ଆସନରୁ ବିଜେଡି ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ଟିକେଟ୍‌ କାଟିଥିଲା। ସମୀରଙ୍କ ବଦଳରେ ଦଳ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଟିକେଟ୍ କଟିବା ପରେ ଏପ୍ରିଲ୍‌ ୧୮ରେ ସମର୍ଥକଙ୍କୁ ନେଇ ମେଳି କରିଥିଲେ ସମୀର। ନିମାପଡ଼ାରେ ନିଜ କର୍ମୀ ଓ ସମର୍ଥକଙ୍କ ସହ ଏକାଠି ହୋଇଥିଲେ । ନିମାପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣାକୁ ନେଇ ଦଳ ପୁନର୍ବିଚାର କରିବାକୁ ନିଜ ଦାବି ରଖିଥିଲେ ସମୀର ।

ତେବେ ସେହି ବୈଠକରେ ଟିକେଟ୍ କଟିବାକୁ ନେଇ ଭାବବିହ୍ୱଳ ହୋଇପଡ଼ିଥିଲେ ସମୀର । ଶନିବାର ଦିନ ନିଜ ସମର୍ଥକଙ୍କ ସହ ଏକାଠି ହୋଇ ଏନେଇ ଦାବି ଜଣାଇବେ ବୋଲି ସେଦିନ କହିଥିଲେ ସମୀର ଦାଶ । ସେହି କ୍ରମରେ ଆଜି ଏକ ବଡ଼ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ସମୀର ଦାଶ ।

ସୂଚନା ଅନୁସାରେ ନିମାପଡ଼ା ବିଧାନସଭା ଆସନରେ ଗତ ତିନୋଟି ନିର୍ବାଚନରେ ବିଜୟଲାଭ କରିଆସୁଛନ୍ତି ସମୀର । ସେ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଥିଲେ । ଆଶା ଥିଲା ୨୪ ନିର୍ବାଚନରେ ମଧ୍ୟ ବିଜେଡି ତାଙ୍କୁ ଟିକେଟ୍‌ ଦେବ । କିନ୍ତୁ ବିଜେଡି ସମୀର ଦାଶଙ୍କୁ ପ୍ରାର୍ଥୀ ନ କରି ନୂଆ କରି ଦଳରେ ସାମିଲ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ଟିକେଟ୍‌ ଦେଇଥିଲା ।