/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711889627.jpg)
Bjd Corporator Amaresh Jena
ବିଜେଡିର ତୁଟୁନି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର କଳି । ଆଜି ପୁଣି ଥରେ କର୍ପୋରେଟର ଅମରେଶ ଜେନାଙ୍କ ସମର୍ଥନରେ ନବୀନ ନିବାସରେ ଫେରାଦ ହେଲେ ନେତା । ୪୫ରୁ ଅଧିକ ପୂର୍ବତନ କର୍ପୋରେଟର ଅମରେଶଙ୍କୁ ପ୍ରାର୍ଥୀ କରାଇବାକୁ ଦାବି କରି ଦଳର ବରିଷ୍ଠ ନେତାଙ୍କୁ ଜଣାଇଛନ୍ତି । ଯଦି, ଟିକେଟ୍ ନମିଳେ ତାହେଲେ ସମୁହ ଭାବେ ଦଳରୁ ଇସ୍ତଫା ଦେବେ ବୋଲି ଧମକ ବି ଦେଇଛନ୍ତି।
ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରେ ଏବେ ଦୁଇ ଜଣ ଦାବିଦାର ରହିଛନ୍ତି । ବର୍ତ୍ତମାନର ବିଧାୟକ ଅନନ୍ତ ଜେନାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଉଛନ୍ତି କର୍ପୋରେଟର ଅମରେଶ ଜେନା । ସେପଟେ ଏହି ଘଟଣାକୁ ନେଇ ଅମରେଶ ଓ ଅନନ୍ତଙ୍କ ପ୍ରତିକ୍ରିୟା ମିଳିପାରିନି ।
ଅନ୍ୟପଟେ ଭୁବନେଶ୍ବର ଏକାମ୍ରରେ ତ ସ୍ଥିତି ଆହୁରି ଜଟିଳ । ତିନି ତିନ ଥରର ବିଧାୟକ ଅଶୋକ ପଣ୍ଡାକୁ ଚାଲେଞ୍ଜ ଦେଇ ଟିକେଟ୍ ରେସ୍ରେ ନିଜକୁ ସାମିଲ କରିଛନ୍ତି ଆଉ ଜଣେ ପୁରୁଖା କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର । ସେ ମଧ୍ୟ ଏକାଧିକ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଉଭୟ ବିରଞ୍ଚି ଓ ଅମରେଶ ନବୀନ ନିବାସ ଯାଇ ନିଜ ବାୟୋଡାଟା ଦେଇଥିଲେ । ଯେକୌଣସି ପରିସ୍ଥିତିରେ ଉଭୟ ନିର୍ବାଚନ ଲଢିବେ ବୋଲି ରୋକ୍ ଠୋକ୍ କହିସାରିଲେଣି । ଏଥିଲାଗି ଦଳକୁ ଘାରିଛି ଭୟ । ପ୍ରିୟଦର୍ଶୀଙ୍କ ଭଳି ବିଦ୍ରୋହୀ ଦଳ ଡିଆଁ ଦେଲେ ବିଜେଡିକୁ ମହଙ୍ଗା ପଡିପାରେ ।
ସେଥିଲାଗି ସୁପ୍ରିମୋ ବିଦ୍ରୋହୀଙ୍କୁ ଡାକି ବୁଝା ସୁଝା କରିବା ଆରମ୍ଭ କରିଦେଇଛନ୍ତି । ଦୁଇଦିନ ତଳେ ବିଜେଡି ଖୋର୍ଦ୍ଧା ଅଙ୍କ ଛିଡ଼ାଇବା ଲାଗି ବୈଠକ କରିଥିଲେ । ମାତ୍ର ବିଦ୍ରୋହୀଙ୍କ ପାଇଁ ଅନନ୍ତ ଓ ଅଶୋକଙ୍କ ଟିକେଟ ଅଙ୍କ ଛିଡ଼ାଇପାରୁନି ଦଳ । ୨୦୦୯ରୁ ଭୁବନେଶ୍ବରରେ ତିନି ନିର୍ବାଚନ ମଣ୍ଡଳୀ ଗଠନ ହେଲା । ସେବେଠାରୁ ବିଜେଡିର କଡ଼ା ପ୍ରତିଦ୍ୱଦ୍ୱୀ କେହି ନଥିଲେ । କିନ୍ତୁ ଏଥର ରାଜଧାନୀ ରାଜନୀତିରେ ବିଦ୍ରୋହ, ବିଜେଡି ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)