Advertisment

ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ, ମୁଣ୍ଡ ଓ ମୁହଁରେ ଲାଗିଛି ଆଘାତ

ଏହି ଆକ୍ରମଣରେ ଉମାବଲ୍ଲଭଙ୍କ ମୁଣ୍ଡ ଫାଟିଥିବା ବେଳେ ମୁହଁରେ ବି ଆଘାତ ଲାଗିଛି।

author-image
Santosh Kumar Sahoo
Attack on Congress Candidate

Attack on Congress Candidate

ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ। କିଛି ସମୟ ପୂର୍ବରୁ ପୁରୀ ବସଷ୍ଟାଣ୍ଡରେ ଉମା ଥିବା ବେଳେ ତାଙ୍କୁ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ। ଏହି ଆକ୍ରମଣରେ ଉମାବଲ୍ଲଭଙ୍କ ମୁଣ୍ଡ ଫାଟିଥିବା ବେଳେ ମୁହଁରେ ବି ଆଘାତ ଲାଗିଛି। ତେବେ ଏହି ଆକ୍ରମଣ ପରେ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଛନ୍ତି ଉମା ।

Advertisment

ସୂଚନା ଅନୁସାରେ ଆଜି ପୁରୀ ବିଧାନସଭା ଆସନରୁ ସୁଜିତ ମହାପାତ୍ରଙ୍କ ଜାଗାରେ ଉମାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଆଉ ଏହାର କିଛି ଘଣ୍ଟା ପରେ ଉମାଙ୍କ ଉପରେ ଆକ୍ରମଣ ହୋଇଛି । ତେବେ ସୁଜିତ ମହାପାତ୍ରଙ୍କ ଟିକେଟ୍‌ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା । ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ ଅଫିସ୍‌ରେ ପଶି ପାଟିତୁଣ୍ଡ ସହ ଭଙ୍ଗାରୁଜା କରିଥିଲେ ସୁଜିତଙ୍କ ସମର୍ଥକ ।

ଆଜି ୫ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା କଂଗ୍ରେସ । ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼, ପୁରୀ ବିଧାନସଭା ଆସନରେ ବଦଳିଲେ ପ୍ରାର୍ଥୀ । ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ । ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆ, ଆଠଗଡ଼ରେ ସୁଦର୍ଶନ ସାହୁ ଓ ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

Advertisment

ସେପଟେ ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇବା ପରେ ଗତକାଲି ସେଠାରେ ନୂଆ ପ୍ରାର୍ଥୀ ଦେଇଛି ଦଳ । ଜୟ ନାରାୟଣ ପଟ୍ଟନାୟକ କଂଗ୍ରେସର ନୂଆ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପୁରୀ ପାଇଁ ନୂଆ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ଦଳ ଫଣ୍ଡ ଦେଉ ନ ଥିବାରୁ କ୍ୟାମ୍ପେନିଂ ସହଜ ନୁହେଁ ବୋଲି ଅଭିଯୋଗ କରିଥିଲେ ସୁଚରିତା । ତେବେ ପିସିସି ପ୍ରଭାରୀ ଅଜୟ କୁମାର କହିଥିଲେ ଯେ, ପୁରୀରେ ପ୍ରାର୍ଥୀ ବଦଳା ଯାଇଥାନ୍ତା, ସେ ଆଗରୁ ଜାଣିପାରି ଟିକେଟ୍‌ ଫେରାଇଦେଲେ।

ସେହିଭଳି ବରୀରୁ ନୂଆ ପ୍ରାର୍ଥୀ ହୋଇଥିବା ଦେବାଶିଷ ନାୟକ ଗତକାଲି କଂଗ୍ରେସରେ ସାମିଲ ହୋଇଥିଲେ । ପ୍ରଥମେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ତାପରେ ବିଜେପି ତାଙ୍କୁ ପ୍ରାର୍ଥୀ କରି ନ ଥିବାରୁ ସେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି। ଆଉ କଂଗ୍ରେସ ତାଙ୍କୁ ବରୀ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ।

Puri Congress Attack
Advertisment
Advertisment