Advertisment

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ଫୁଲଷ୍ଟପ୍, ଏକାଠି ନୁହେଁ ଏକାକୀ ଲଢ଼ିବ ପଦ୍ମ ଦଳ

ମଧ୍ୟାହ୍ନରେ ଆକାଶ ସଫା ହୋଇ ଆସିଲାଣିର ବୟାନ। ଆଉ ଅପରାହ୍ଣ ହେଉ ହେଉ ସୋସିଆଲ୍ ମିଡିଆରେ ପୋଷ୍ଟ, ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।

author-image
Santosh Kumar Sahoo
undefined

No Alliance

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ଫୁଲଷ୍ଟପ୍। ରାଜ୍ୟର ସମସ୍ତ ୨୧ ଓ ୧୪୭ ବିଧାନସଭା ଆସନରେ ଏକା ଲଢ଼ିବ ପଦ୍ମଦଳ। କାଲି ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ସୋସିଆଲ୍ ମିଡିଆରେ ଏହା ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ ମେଣ୍ଟ ପାଇଁ ବିଜେଡି ଅନୁରୋଧ କରିଥିଲା, ବିଜେପି ଅଗ୍ରାହ୍ୟ କଲା ବୋଲି ସାଂସଦ ଅପରାଜିତାଙ୍କ ବୟାନ ପରେ ମେଣ୍ଟକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱରେ ଏକପ୍ରକାର ଅବସାନ ଘଟିଛି।

Advertisment

ମଧ୍ୟାହ୍ନରେ ଆକାଶ ସଫା ହୋଇ ଆସିଲାଣିର ବୟାନ। ଆଉ ଅପରାହ୍ଣ ହେଉ ହେଉ ସୋସିଆଲ୍ ମିଡିଆରେ ପୋଷ୍ଟ, ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ। ବେଶ୍ କିଛି ଦିନ ଧରି ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା, ଆକଳନ, ସସ୍ପେନ୍ସ ଉପରେ ଏକଦମ୍ ଫୁଲଷ୍ଟପ୍। ଏକାଠି ନୁହେଁ ରାଜ୍ୟରେ ଏକାକି ଲଢ଼ିବ ବିଜେପି। ପ୍ରଥମରୁ ମେଣ୍ଟ ଚର୍ଚ୍ଚାକୁ ଏଡ଼ାଇ ଆସୁଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଏ ବିସ୍ତୃତ ପୋଷ୍ଟ ଉପରେ। ଆରମ୍ଭରୁ ଗତ ୧୦ ବର୍ଷ ଧରି ରାଷ୍ଟ୍ରୀୟ ମହତ୍ତ୍ୱ ଥିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ ପାଇଁ ଧନ୍ୟବାଦ।

ଆଉ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ଲାଗି ବିଜେପି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବାର ଉଲ୍ଲେଖ। ଆଉ ମଝିରେ ମୋଦି ସରକାରଙ୍କ ଅନେକ ଲୋକକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରୁ ନ ଥିବା ଏବଂ ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ, ଓଡ଼ିଶାବାସୀଙ୍କ ସ୍ୱାର୍ଥ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନୁ ବୋଲି ଲେଖି ଏକା ଲଢ଼େଇର ଅସ୍ତ୍ରକୁ ସାମ୍ନାକୁ ଥୋଇଛନ୍ତି। ଡବଲ୍ ଇଞ୍ଜିନ୍ ସରକାର ଯେଉଁଠି ବିକାଶ ସେଇଠି ଦର୍ଶାଇ ପୂରା ୨୦୨୪ ପାଇଁ ଯୁଦ୍ଧ ରେଖା ଟାଣି ଦେଇଛନ୍ତି ମନମୋହନ।

Advertisment

୧୫-୨୦ ଦିନର ଜୋରଦାର୍ ଗରମା ଗରମ୍ ପରିବେଶ ପରେ ମେଣ୍ଟ ଯେ ହେଉନି, ଉଭୟ ବିଜେପି ଓ ବିଜେଡିର ପରିବର୍ତ୍ତିତ କାର୍ଯ୍ୟକଳାପରୁ ଗତ ଦୁଇ ଦିନ ତଳୁ ତା’ର ସଂକେତ ମିଳି ଆସୁଥିଲା । ଢେର ଦିନର ନିରବତା ଭାଙ୍ଗି ସବୁ ସିଟରେ ପ୍ରାର୍ଥୀ ଚୟନକୁ ଜୋରଦାର କରିଥିଲେ ଦୁଇ ଦଳ । ପୁଣି ଫେରିଥିଲା ଆରୋପ- ପ୍ରତ୍ୟୋରୋପ ଓ ସୋସିଆଲ୍ ମିଡିଆରେ ପରସ୍ପର ବିରୋଧୀ ଟିକ୍କା-ଟିପ୍ପଣୀର ପର୍ବ। ଏମିତିକି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ବିଜେଡି ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାର ବି ହୋଇଥିଲା ବିଜେପି।

ଆଉ ଆଜି ଏକାକି ଲଢ଼ିବା ନେଇ ମନମୋହନଙ୍କ ଏ ପୋଷ୍ଟକୁ ରିପୋଷ୍ଟ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଏକପ୍ରକାର ଜଣାଇ ଦେଇଥିଲେ ଯେ ଏହା ପଛରେ ରହିଛି କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶ। ଆଉ ସେପଟେ ଏଇ ନିଷ୍ପତ୍ତି ନେଇ ଗଭୀର କୃତଜ୍ଞ ବୋଲି ଉଲ୍ଲେଖ କରିବା ସହ ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା ବିଜେପି ଅଗ୍ରାହ୍ୟ କଲା ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରପକ୍ଷେ ବିଜେଡି ଛାଡ଼ିବା ପରେ ଏହା ଏକ ଅନୈତିକ ମେଣ୍ଟ ହେବାକୁ ଯାଉଥିଲା ବୋଲି କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ।

ତେବେ ଏସବୁ ଭିତରେ ନବୀନଙ୍କୁ ଆରମ୍ଭରୁ ଧନ୍ୟବାଦ ଓ ଶେଷରେ ଏକାକି ଲଢ଼େଇର ନିଷ୍ପତ୍ତି ଶୁଣାଇ ବିଜେପି କ'ଣ ଦର୍ଶାଇବାକୁ ଚାହୁଁଛି। ସବୁଠାରୁ ବଡ଼ ପ୍ରଶ୍ନ ଏଥର ଲଢ଼େଇ ଜୋରଦାର ହେବ ତ ।

BJD BJP General Elections 2024 Manmohan Samal
Advertisment
Advertisment