• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୁରଙ୍କ ପରେ ଜଟଣୀରେ କିଏ ? କଂଗ୍ରେସ ରଖିପାରିବ ତ ଜଟଣୀ ସିଟ୍ ? ନା ଦାଦା-ପୁତୁରା କଳିରେ ହାତ ହାତରୁ ଖସିଯିବ ଜଟଣୀ ? କାରଣ କଂଗ୍ରେସର ଜଟଣୀ ଅଙ୍କ ଏବେ ଭାରି ଜଟିଳ । ଗତକାଲି ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ, କିଛିଦିନ ତଳେ ବିଜେପିରେ ସାମିଲ ହୋଇଥିବା ସନ୍ତୋଷ ଜେନାଙ୍କୁ ନେଇ କଂଗ୍ରେସ ଭବନରେ ପହଞ୍ଚିଥିଲେ । ସନ୍ତୋଷଙ୍କୁ କଂଗ୍ରେସରେ ସାମିଲ୍ କରିବାକୁ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା । ଜଟଣୀରୁ ଆଶାୟୀ ଥିବା ସନ୍ତୋଷ, ବିଜେପି ଟିକେଟ ପାଇ ନ ଥିବାରୁ କଂଗ୍ରେସରୁ ଟିକେଟ ନେଇ ଲଢିବାକୁ ପ୍ରୟାସ କରିଥିଲେ। ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥଙ୍କ ଏଥିରେ ସମର୍ଥନ ରହିଥିଲା । ମାତ୍ର କଂଗ୍ରେସ ଭବନରେ ହଙ୍ଗାମା କରି ମିଶ୍ରଣ ପର୍ବକୁ ଭଣ୍ଡୁର କରିଦେଇଥିଲେ ସୁରଙ୍କ ପୁତୁରା ତଥା ଟିକେଟ ଆଶାୟୀ ସଂଗ୍ରାମ ରାଉତରାୟ । ଏପରିକି ସୁରଙ୍କ ପୁଅ ଓ ପୁତୁରା ମୁହାଁମୁହିଁ ହେଇଯାଇଥିଲେ ।

ଆଉ ଆଜି ସୁରଙ୍କ ଇଙ୍ଗିତରେ ସଂଗ୍ରାମଙ୍କୁ କାଉଣ୍ଟର କରିବାକୁ କଂଗ୍ରେସ ଭବନରେ ହୋ ହଲ୍ଲା କରିଥିଲେ ଜଟଣୀ ନଗର କଂଗ୍ରେସର ସଭାପତି ଅଶୋକ ମଙ୍ଗରାଜ । ସୁରଙ୍କ ସପକ୍ଷରେ ନାରା ଦେଲେ, ଆଉ ନିଜ ପାଇଁ ଟିକଟ୍ ଭିକ୍ଷା କଲେ । ଏବେ ପରିସ୍ଥିତି ଏମିତି ଯେ, ଜଟଣୀରେ କଂଗ୍ରେସ କାହାକୁ ଟିକେଟ ଦେବ, ସୁରଙ୍କ ଉତ୍ତରାଧିକାରୀ କିଏ ହେବ , ଆଉ କାହାକୁ କାଟିବ ତାକୁ ନେଇ ଅଡ଼ୁଆରେ ଦଳ ।

ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ବିଦା ହେବା ପରେ ବିଜେଡିର ଯୋଗ ଦେଲେ । ଆଉ ବିଜେଡିରୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ହୋଇ ପ୍ରଚାର କରୁଛନ୍ତି । ସୁର ବି ନିଜ ପୁଅ ପାଇଁ ବିଜେଡି ସପକ୍ଷରେ ଭୋଟ୍ ଭିକ୍ଷା ବି କରୁଛନ୍ତି । ଯେଉଁଥିପାଇଁ ପିସିସି ଶୃଙ୍ଖଳା କମିଟି ସୁରଙ୍କୁ ସୋ କଜ୍ ନୋଟିସ୍ ବି ଜାରି କରିସାରିଛି । ତେବେ ସୁରଙ୍କ ପରିବାରରେ ବଢ଼ୁଥିବା ବିବାଦ କଂଗ୍ରେସକୁ ଅକଳରେ ପକାଇବନି ତ ?

କଂଗ୍ରେସ ହାତରେ ଥିବା ୯ ସିଟ୍ ମଧ୍ୟରୁ ଜଟଣୀ ନିର୍ବାଚନ ମଣ୍ଡଳୀ ଗୋଟିଏ । ତେବେ ବଢୁଥିବା କଂଗ୍ରେସ ବିବାଦ ବିଜେଡି ଆଉ ବିଜେପି ପାଇଁ ବାଟ ଖୋଲିଦେବ ବୋଲି ଚର୍ଚ୍ଚା ହେଉଛି । ଜଟଣୀରୁ ବିଜେଡି ବିଭୂତି ବଳବନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଏଠାରୁ ବିଶ୍ୱରଂଜନ ବଡ଼ଜେନାଙ୍କ ଉପରେ ଭରସା କରିଛି । ଜଟଣୀରୁ ୧୯୯୫ ଓ ୨୦୦୦ରେ ସୁର କଂଗ୍ରେସ୍ ଟିକଟରେ ବିଧାୟକ ହୋଇଥିବା ବେଳେ ୨୦୦୪, ୦୯ ଓ ୧୪ ଏହି ସିଟ୍ ବିଜେଡି ଦଖଲକୁ ଯାଇଥିଲା । ତେବେ ୧୯ରେ ଏଠାରେ ପୁଣି କଂଗ୍ରେସକୁ ଜିତାଇଥିଲେ ସୁର। ଏବେ କିନ୍ତୁ ଦିନକୁ ଦିନ ବଢୁଥିବା ସୁରଙ୍କ ଘର କଳି ୨୪ରେ ଏହି ଆସନ କାହା ଖାତାକୁ ଯାଉଛି, ତା ଉପରେ ନଜର ।

  • Reported by:
  • JAGDISH DAS , Niranjan Behera