/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716738028.jpg)
BJP, BJD vie for government formation
ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆରମ୍ଭ ହେଲା ବୟାନବାଜି । ବିଜେଡି ସୁପ୍ରିମୋ, ଗତକାଲି ରାଜ୍ୟରେ ସ୍ଥିର ସରକାର ଗଠନ ନେଇ ମନ୍ତବ୍ୟ ଦେବା ପରେ ତେଜିଲା ରାଜନୀତି । ଅନେକ ବିଦ୍ରୋହ ଓ ବିରୋଧୀ ହାୱା ଥିଲେ ବି ନବୀନ କିନ୍ତୁ ବେଶ୍ କନ୍ଫିଡେଣ୍ଟ । କିନ୍ତୁ ବିଜେପି କହିଛି, ଲୋକେ ମନ ବଦଳାଇ ସାରିଛନ୍ତି । ଦୁଇ ତୃତୀୟାଂଶ ସିଟ୍ ଦଖଲ କରି ରାଜ୍ୟରେ ଗଠନ ହେବ ବିଜେପି ସରକାର । ରାଜ୍ୟରେ ବଢୁଥିବା ମୋଦିଙ୍କ ଲୋକପ୍ରିୟତା ବିଜେପିକୁ ବଳ ଯୋଗାଇଛି। ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ସମେତ ଶାହ, ନଡ୍ଡାଙ୍କ ଭଳି ମାଳ ମାଳ କେନ୍ଦ୍ରୀୟ ନେତାଙ୍କ ଗସ୍ତ ଓ ପ୍ରଚାର ଗେମ୍ ଚେଞ୍ଜର ହୋଇପାରେ। ଏପେଟେ ବିଜେପି ଓ ବିଜେଡିର ସରକାର ଗଠନ ପାଇଁ ସଂଖ୍ୟା ବୟାନ ବାଜିକୁ କଡ଼ା ସମାଲୋଚନା କରିଛି କଂଗ୍ରେସ୍ । ଏ ଦୁଇ ଦଳକୁ ଲୋକେ ଜବାବ୍ ଦେବେ ବୋଲି ମତ ରଖିଛି କଂଗ୍ରେସ ।
୩ଟି ପର୍ଯ୍ୟାୟରେ ରାଜ୍ୟର ୧୫ ଲୋକସଭା ଓ ୧୦୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସରିଛି । ଯାହା ଟ୍ରେଣ୍ଡ୍ କହୁଛି ଏଥର ମତଦାନ ହାର ବଢୁଛି । ଏପରିକି କମ୍ ମତଦାନ ହେଉଥିବା ରାଜଧାନୀ ଭୁବନେଶ୍ୱରରେ ବି ଏଥର ଭୋଟିଂ ପର୍ସେଣ୍ଟେଜ୍ ବଢ଼ିଛି । ୨୦୧୯ରେ ରାଜ୍ୟରେ ମତଦାନ ହାର ଥିଲା ୭୩.୦୨ ପ୍ରତିଶତ । ଆଉ ଭୁବନେଶ୍ୱରରେ ଥିଲା ୫୯.୦୫ ପ୍ରତିଶତ। ଏଥର କିନ୍ତୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୬୨% ମତଦାନ ହୋଇଛି ।
ସେହିପରି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୭୩.୯୭, ଦ୍ୱିତୀୟ ପର୍ଯ୍ୟାୟରେ ୭୩.୫ ଏବଂ ତୃତୀୟ ପର୍ଯ୍ୟାୟରେ ପ୍ରାୟ ୭୧ ପ୍ରତିଶତ ମତଦାନ ହୋଇଛି । ରାଜନୈତିକ ସମୀକ୍ଷକଙ୍କ ମତ ହେଲା ମତଦାନ ହାର ବଢ଼ିଲେ ଏହା ପରିବର୍ତ୍ତନ ଆଡ଼କୁ ଇଶାରା ଦେଇଥାଏ । ସେ ଦୃଷ୍ଟିରୁ ଦେଖିଲେ ରାଜ୍ୟ ରାଜନୀତିରେ ଆଗକୁ ରୋଚକ ମୋଡ଼ ଦେଖିବାକୁ ମିଳିପାରେ । ଓଡ଼ିଶାରେ ପରିବର୍ତ୍ତନର ହାୱା କେତେ କାମ ଦେଉଛି ଓ ରାଜନୈତିକ ସମୀକରଣ କେଉଁ ଆଡ଼କୁ ଯାଉଚି ତା ଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)