• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୋହଲିଯାଇଛି ସାଧାରଣ ଜନତାଙ୍କ ଜୀବନଯାତ୍ରା । ପ୍ରଭାବିତ ହୋଇଛି ଗମନାଗମନ ବ୍ୟବସ୍ଥା । ପ୍ରଥମ ଦିନରେ ଯାହା ହେଲା ତ ହେଲା, ଦ୍ୱିତୀୟ ଦିନରେ ସ୍ଥିତି ଆହୁରି ହୋଇଛି ସଂଗୀନ । ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିବା କ୍ଷଣି ମହାପ୍ରଭୁଙ୍କୁ ସୁରୁଖୁରୁ ଦର୍ଶନ କରିବେ ବୋଲି କାହିଁ ଛତିଶଗଡ଼ ରାୟପୁରରୁ ଧାଇଁ ଆସିଥିଲେ ଶ୍ରଦ୍ଧାଳୁ । ଟ୍ରେନରେ ଆସି ପୁରୀରେ ପହଞ୍ଚି ତ ଗଲେ, କିନ୍ତୁ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ଗାଡ଼ି ପାଉନାହାଁନ୍ତି । ଦୀର୍ଘ ସମୟ ଧରି ପଡ଼ିରହିଥିଲେ ରେଳ ଷ୍ଟେସନରେ ।

ଆଉ ଏମାନେ ହେଉଛନ୍ତି, ସୁଦୂର ରାଜସ୍ଥାନରୁ ଆସିଥିବା ପର୍ଯ୍ୟଟକ । ପୁରୀରେ ପହଞ୍ଚିଥିଲେ ବି ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଯାଇପାରିଲେନି ଶ୍ରୀମନ୍ଦିର । ମହାପ୍ରଭୁଙ୍କୁ ଦର୍ଶନ ବି କରିପାରିଲେନି । ଶେଷରେ ପର୍ଯ୍ୟଟନ ତଥା ଧାର୍ମିକ ପୀଠରୁ ତିକ୍ତ ଅନୁଭୂତି ନେଇ ବାହୁଡ଼ିଯାଉଥିବା କହିଛନ୍ତି ସମସ୍ତେ ।

କେବଳ ରାଜ୍ୟ ବାହାରର ପର୍ଯ୍ୟଟକ କିମ୍ବା ଯାତ୍ରୀ କଲବଲ ହୋଇଛନ୍ତି ତା’ ନୁହେଁ । ରାଜ୍ୟ ଭିତରେ ବି ସାଂଘାତିକ ଅବସ୍ଥା ଭୋଗିଛନ୍ତି ଲୋକେ । ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡ ବାଦାମବାଡିରେ ବି ସ୍ଥିତି ସଙ୍ଗୀନ । ଖାଁ ଖାଁ...ଶୂନଶାନ । ଯେଉଁଠି ହରଦମ୍ ଗଡୁଥିଲା ଗାଡ଼ି, ସେଠି ଜମୁଛି କ୍ରିକେଟ ଖେଳ । ଆନ୍ଦୋଳନରେ ଘରୋଇ ବସ ମାଲିକ ସଂଘ ସାମିଲ ହୋଇନଥିଲେ ବି ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁ ଗଡ଼ିପାରୁନି ଘରୋଇ ବସ୍ । ହୀନସ୍ତା ହେଉଛନ୍ତି ଦୂରଦୂରାନ୍ତକୁ ଯିବା ପାଇଁ ଅପେକ୍ଷା କରିଥିବା ଯାତ୍ରୀ ।

ସେପଟେ ପୋଲିସ ସୁରକ୍ଷା ଦେଉନ ଥିବାରୁ ଏବଂ ରାସ୍ତା କ୍ଲିୟର ନହେବାରୁ ବସ ଚାଲିପାରୁନଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଛି ବସ ମାଲିକ ସଂଘ । ଆଜି ସଂଧ୍ୟା ସୁଦ୍ଧା ରାସ୍ତା କ୍ଲିୟର ନକଲେ କାଲିଠୁ ରାଜ୍ୟବ୍ୟାପି ବସ୍ ସେବା ବନ୍ଦ ରହିବ ବୋଲି ସଂଘ ଚେତାବନୀ ଶୁଣାଇଛି । ୨ ଦିନ ହେଲା ରାଜଧାନୀରୁ ରାଜ୍ୟବ୍ୟାପି ଜାରି ରହିଥିବା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସତ୍ତ୍ୱେ ବାହାରି ପାରୁନି ସମାଧାନର ବାଟ । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଡ୍ରାଇଭର ମାନେ ସମାଜରୁ ଅସ୍ପୃଶ୍ୟ ନୁହଁନ୍ତି । ତାଙ୍କ ସହ ରାଜ୍ୟ ସରକାର ଆଲୋଚନା ନକରି ରାସ୍ତା ବାହାର ନକରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ।

ସେପଟେ ତମାଣ୍ଡୋ ଯାଇ ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ଭେଟିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ । ବିଜେପି ବିଧାୟକ ନାଉରୀ ନାଏକ, ମୁକେଶ ମହାଲିଙ୍ଗ ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ଡ୍ରାଇଭରଙ୍କୁ ଭେଟି ଆଲୋଚନା କରିଛନ୍ତି । ଅପରପକ୍ଷେ ଡ୍ରାଇଭର ଆନ୍ଦୋଳନକୁ ନେଇ ଗୃହ ବି ହୁଲସ୍ତଲ । ଶୂନ୍ୟକାଳରେ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବି ହୋଇଥିଲା । ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ, ଯେଉଁଥିରେ ଆସନ୍ତାକାଲି ପରିବହନମନ୍ତ୍ରୀ ବିବୃତ୍ତି ରଖିବାକୁ କହିଥିଲେ ବାଚସ୍ପତି ।