/odishatv-khabar/media/post_attachments/uploadimage/library/16_9/16_9_0/NAC_1710340821.jpg)
NAC
ଭୋଟ୍ ପୂର୍ବରୁ ନିତି ହେଉଥିବା ଘୋଷଣା ଭିତରେ ମୁଖ୍ୟମନ୍ତ୍ରୀ ଆଜି ୧୩ଟି ଜିଲ୍ଲାରେ ୨୨ଟି ନୂତନ NAC ଗଠନ ସହ ଭଞ୍ଜନଗର NACକୁ ମୁନିସିପାଲିଟିକୁ ପଦୋନ୍ନତି ଦେଇଛନ୍ତି। ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହେବା ପରେ କେଉଁଠି ସେଲିବ୍ରେସନ ତ କେଉଁଠି ନିରାଶା। ସେପଟେ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣାକୁ ନେଇ ଶାସକକୁ ଘେରିଛି ବିରୋଧୀ।
ଗତମାସରେ ୩୫, ଆଜି ଆଉ ୨୨ ଏନଏସି ଘୋଷଣା। ଗଲା ମାସରେ ୫ ଏନଏସିକୁ ମୁନିସିପାଲିଟି ଘୋଷଣା କରିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନଏସି ପାଇଛି ମୁନିସିପାଲିଟିର ମାନ୍ୟତା। ଆଜିର ଘୋଷଣାକୁ ମିଶାଇ ନୂଆ ଏନ୍ଏସି ସଂଖ୍ୟା ୫୭ରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକରେ ନାଚଗୀତ, ବାଜା ଓ ବାଣ ଫୁଟାଇବା ସହ ପରସ୍ପରକୁ ମିଠାଖୁଆଇ ସେଲିବ୍ରେସନରେ ମାତିଥିଲେ। ସମାନ ଚିତ୍ର ସମ୍ବଲପୁର ଜିଲ୍ଲାର ବାମରା, କଳାହାଣ୍ଡିର ଏମ୍. ରାମପୁର ଓ ନର୍ଲାରେ।
ଆଉ ଏପଟେ ନିରାଶାର ଚିତ୍ର ଆସିଛି ଭଦ୍ରକ ଜିଲ୍ଲାର ତିହିଡି ଏବଂ ବାଲେଶ୍ୱର ଜିଲ୍ଲାର ଭୋଗରାଇରୁ। ଧାମନଗର, ଚାନ୍ଦବାଲି ଓ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପେଣ୍ଠସ୍ଥଳୀ ହେଉଛି ତିହିଡ଼ି। କିନ୍ତୁ ଏହା NAC ତାଲିକାକୁ ବାଦ୍ ପଡ଼ିଛି। ସେହିପରି ବାଲେଶ୍ୱର ଜିଲ୍ଲାର ଭୋଗରାଇ ସବୁଠାରୁ ବଡ଼ ବ୍ଲକ। ସବୁ ପ୍ରକାର ଭିତ୍ତିଭୂମି ସତ୍ତ୍ୱେ ଏନଏସି ତାଲିକାରୁ ବାଦ୍ ପଡିଛି ଭୋଗରାଇ।
ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ଶାସକ ଦଳ ସ୍ୱାଗତ କରିଥିବା ବେଳେ ବିରୋଧୀ ଏହାକୁ ନିର୍ବାଚନୀ ପୂର୍ବରୁ ଭୋଟ୍ ପାଇଁ ଫନ୍ଦି ବୋଲି ଅଭିଯୋଗ କରିଛନ୍ତି। ସରକାରୀ ପ୍ରକ୍ରିୟା କାର୍ଯ୍ୟକାରୀ ନ ହୋଇ ଏପରି ଘୋଷଣା କାର୍ଯ୍ୟକାରୀ ହେବନି ବୋଲି କହିଛନ୍ତି ବିରୋଧୀ। ସେପଟେ ଶାସକ ବିଧାୟକ କହିଛନ୍ତି ସରକାର ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏସବୁ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)