• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୨୪ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ । ଅନେକ ପୁରୁଖାଙ୍କ ଘର ବାହୁଡାକୁ ନେଇ ଉତ୍ସାହିତ ଦଳ । ତେବେ ଘର ବାହୁଡା ଦେଉଥିବା କଂଗ୍ରେସ ନେତାଙ୍କର କିନ୍ତୁ ସେତେଟା ପ୍ରଭାବ ନାହିଁ । ଦୀର୍ଘ ଦିନ ହେବ କ୍ଷମତାରେ ବି ନାହାନ୍ତି । ଦଳ କିନ୍ତୁ ଭରସା କରିଛି ଦିନେ ଘର ଛାଡ଼ି ଚାଲି ଯାଇଥିବା ନେତାଙ୍କ ଉପରେ । କଂଗ୍ରେସ କିନ୍ତୁ ଏ ଷ୍ଟ୍ରାଟେଜିକୁ ନେଇ ଫୁଲ୍ କନ୍‌ଫିଡେନ୍ସ ଥିବାବେଳେ, ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଦଳ ପାଇଁ ୨୪ ନିର୍ବାଚନ ହେବ ଏସିଡ୍ ଟେଷ୍ଟ ।

ନିର୍ବାଚନ ଯେତିକି ପାଖଉଛି, ରାଜ୍ୟ କଂଗ୍ରେସରେ ହଲଚଲ୍ ସେତିକି ହେଉଛି । ଘଡ଼ିକେ ଘୋଡ଼ା ଛୁଟୁଛି । କେତେବେଳେ ଦଳକୁ ଫେରୁଛନ୍ତି ପୁରୁଖା ତ ଆଉ କେତେବେଳେ ଆମଦାନୀ ନେତା । ନୂଆ ପ୍ରଭାରୀ ଅଜୟ କୁମାର ଆସିବା ପରେ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଦଳକୁ ଫେରିଛନ୍ତି । ଗମାଙ୍ଗଙ୍କ ପରିବାର ଫେରିଥିବାରୁ କଂଗ୍ରେସ ନେତୃତ୍ୱର ଆଶା, ଯେ ଦକ୍ଷିଣ ଓଡିଶାରେ ଦଳର ସ୍ଥିତି ମଜବୁତ ହେବ ।

ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଆଦିବାସୀ ବର୍ଗର ପକେଟ ଭୋଟ୍ ବି ଦଳକୁ ଫେରିବ । ପୂର୍ବରୁ କୋରାପୁଟର ପୂର୍ବତନ ବିଜେଡି ସାଂସଦ ଜୟରାମ ପାଙ୍ଗୀ ବି କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳର ଆକଳନ ହେଲା ୯ ଥରର ସାଂସଦ ଗମାଙ୍ଗ ଓ ପାଙ୍ଗୀ କଂଗ୍ରେସରେ ଥିବାରୁ ଦଳ ଦକ୍ଷିଣ ଓଡିଶାରେ ଭଲ ପ୍ରଦର୍ଶନ କରିବ । ସେହିପରି କଂଗ୍ରେର ବର୍ତ୍ତମାନର ୯ ବିଧାୟକଙ୍କ ମଧ୍ୟରୁ ଦୁଇ ବିଧାୟକ ସାନଖେମୁଣ୍ଡିର ରମେଶ ଜେନା ଓ ଜୟପୁରର ତାରା ବାହିନୀପତି ଦକ୍ଷିଣ ଓଡିଶାର ।

ଦକ୍ଷିଣ ବେଲ୍ଟରେ ଥିବା କଂଗ୍ରେସର ପୁରୁଣା ଭୋଟରଙ୍କୁ ସଂଗଠିତ କରି ଦଳ ୨୪ ନିର୍ବାଚନରେ ସଂଖ୍ୟା ବଢାଇବାକୁ ଯୋଜନା ରଖିଛି । ଅନ୍ୟପକ୍ଷରେ କୋରାପୁଟରେ ତାରା ଓ ଉଲାକାଙ୍କ ଭିତରେ ଥିବା ମନୋମାଳିନ୍ୟକୁ ଦୂର କରି ଉଭୟଙ୍କୁ ଏକାଠି କରିଛନ୍ତି ହାଇକମାଣ୍ଡ । ତାସହିତ ନିଲମ୍ବିତ ନେତାଙ୍କୁ ମାଫ୍ କରି ଫେରାଇଆଣିବା ସହ ଦଳକୁ ମଜବୁତ କରିବାକୁ ଯୋଜନା ରଖିଛି କଂଗ୍ରେସ ।

କଂଗ୍ରେସକୁ ଜଣେ ପରେ ଜଣେ ନେତା ଫେରୁଛନ୍ତି ସତ । ମାତ୍ର ସତରେ କଣ ଶକ୍ତି ସଂଗ୍ରହ କରୁଛି ଦଳ ? ତାହା ଏବେ ବଡ ପ୍ରଶ୍ନ । ୨୦୧୯ରେ କଂଗ୍ରେସ ରାଜ୍ୟରେ ଶୋଚନୀୟ ପ୍ରଦର୍ଶନ କଲା । ଏଥର ଯେ କେନ୍ଦ୍ରୀୟ ନେତୃତ୍ୱ ଓଡିଶାକୁ ଫୋକସ୍ କରୁଛି ସେଥିରେ ସନ୍ଦେହ ନାହିଁ । ରାଜନୈତିକ ସମୀକ୍ଷକଙ୍କ ମତ ହେଲା କଂଗ୍ରେସ ନିଜକୁ ବଳଶାଳୀ କରିବାକୁ ଚେଷ୍ଟା କରୁଛି । କିନ୍ତୁ ବିଜୟ ପଟ୍ଟନାୟକଙ୍କ ପରେ ଏଯାଏ କେହି ପ୍ରଭାବଶାଳୀ ବା ଗ୍ରହଣୀୟତା ଥିବା ନେତା ଦଳକୁ ଆସିନାହାନ୍ତି । ପୁରୁଖା ନେତା ଦଳକୁ ଫେରୁଛନ୍ତି ସତ ମାତ୍ର ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମିରେ ସେମାନଙ୍କର ଦବଦବା ସେତେଟା ନାହିଁ । ଗୋଟିଏ ପଟେ ଅସଜଡା ଘର ଅନ୍ୟପଟେ ପୁରୁଖାଙ୍କୁ ନେଇ ସଞ୍ଜିବନୀ ଆଶା । ଏଭଳି ସ୍ଥଳେ ଦଳର ଶକ୍ତି ବଢୁଛି ନା ଛିଡୁଛି ତାଉପରେ ନଜର ।

  • Reported by:
  • T GOURISHANKAR , JAGDISH DAS