Advertisment

କଂଗ୍ରେସରେ ନୂଆ ଷ୍ଟିୟରିଂ କମିଟିକୁ ନେଇ ଝଡ଼, ତାତିଲେ ତାରା-ନରସିଂହ !

ନୂଆ ଷ୍ଟିୟରିଂ କମିଟିରେ ନାହାନ୍ତି ତାରା, ନରସିଂହ, ନିରଞ୍ଜନ, ପ୍ରସାଦଙ୍କ ଭଳି ଅଭିଜ୍ଞ ।

author-image
Satyendu Shekher Mishra
Odisha Politics

Odisha Politics

କଂଗ୍ରେସ୍ ଷ୍ଟିୟରିଂ କମିଟିରେ ବରିଷ୍ଠଙ୍କୁ ଉପେକ୍ଷା, କନିଷ୍ଠଙ୍କୁ ଗୁରୁତ୍ୱ । ବିଷ ଓଗାଳିଲେ ଉପେକ୍ଷିତ ଅଭିଜ୍ଞ ନେତା । ଜୁଲାଇ ୨୧ରେ ପିସିସି ସମେତ ଦଳର ସବୁ କମିଟିକୁ ଏଆଇସିସି ଭାଙ୍ଗିଦେବା ପରେ ବିନା ମୁରବିରେ ଚାଲିଥିଲା ପ୍ରଦେଶ କଂଗ୍ରେସ। ଯାହାକୁ ନେଇ ଚାରିଆଡୁ ଆଲୋଚନା ସମାଲୋଚନା ପରେ ଗତକାଲି ବିକଳ୍ପ ଚିନ୍ତା କରି ହଠାତ୍ ଦଳର ଜାତୀୟ ସଭାପତି ମଲିକାର୍ଜୁନ ଖଡଗେଙ୍କ ନିର୍ଦ୍ଦେଶରେ ଓଡ଼ିଶା ପାଇଁ ଗଢ଼ା ହୋଇଛି ୧୪ ଜଣିଆ ଷ୍ଟୟରିଂ କମିଟି।

Advertisment

ଯେଉଁଥିରେ ପ୍ରଭାରୀ ଅଜୟ କୁମାରଙ୍କ ଅଧ୍ୟକ୍ଷତାରେ ହାତ ଗଣତି କିଛି ବରିଷ୍ଠ ନେତାଙ୍କୁ ଛାଡିଦେଲେ ବାକି ସବୁ ନୂଆ ନହେଲେ ଅନଭିଜ୍ଞ। ଏମିତିକି କିଛି ନେତା ଗତ ନିର୍ବାଚନ ପୂର୍ବରୁ ଦଳକୁ ଫେରିଥିଲେ। ହେଲେ ତାଲିକାରେ କିନ୍ତୁ ପାଞ୍ଚ ପାଞ୍ଚ ଥରର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାଁ ନାହିଁ। ସେହିପରି ଦଳର ବରିଷ୍ଠ ନେତା ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତଙ୍କ ଭଳି ନେତା କିମ୍ବା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନଙ୍କୁ ବି ଗୁରୁତ୍ୱ ଦେଇନି ଏଆଇସିସି। ଯାହାକୁ ନେଇ ଅସନ୍ତୋଷ ଝାଡିଛନ୍ତି ତାରା, ନରସିଂହ ଓ ଶରତଙ୍କ ଭଳି ପୁରୁଖା ନେତା।

୨୪ ସାଧାରଣ ନିର୍ବାଚନ ବେଳେ ୯ରୁ ୯୦ ନାରା ଦେଇଥିଲା କଂଗ୍ରେସ। ହେଲେ ବିଧାନସଭାରେ ଦଳ ପାଇଛି ମାତ୍ର ୧୪ ସିଟ୍। ଖାଲି ସେତିକି ନୁହେଁ, ୨୦୧୯ ଅପେକ୍ଷା ଭୋଟ୍ ହାର ବି ୧୬ରୁ ୧୩ ପ୍ରତିଶତକୁ ଖସି ଆସିଛି। ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଓ ପିସିସି ସଭାପତିଙ୍କ ବିରୁଦ୍ଧରେ ନାନା ଅଭିଯୋଗ ପରେ ଓଡ଼ିଶା ପିସିସିର ସବୁ କମିଟିକୁ ଗତ ଜୁଲାଇ ୨୧ରେ ଭାଙ୍ଗି ଦେଇଥିଲା ଏଆଇସିସି। ଆଉ ହଠାତ୍ ଗତକାଲି ଗଠନ କରିଛି ୧୪ଜଣିଆ ଷ୍ଟିୟରିଂ କମିଟି।

Advertisment

କମିଟିର ଭୂମିକା କଣ ହେବ ? ପିସିସି ପରିଚାଳନା କେମିତି କରିବ ? ତାହା କିନ୍ତୁ ଅସ୍ପଷ୍ଟ। ତେଣେ ଷ୍ଟିୟରିଂ କମିଟି ସଦସ୍ୟ ଜୟଦେବ ଜେନା କହିଛନ୍ତି ଏହା ଏକ ଅସ୍ଥାୟୀ କମିଟି। ପିସିସି ଗଠନ ହେବା ପର୍ଯ୍ୟନ୍ତ ଏହା ଦଳକୁ ପରିଚାଳନା କରିବ। ତେଣେ ରାଜନୀତି ସମୀକ୍ଷକ କହିଲେଣି- ଏଆଇସିସି ଏଭଳି ଷ୍ଟିୟରିଂ କମିଟି ଗଢ଼ି ରାଜ୍ୟ କଂଗ୍ରେସରେ ତାଳିପକା କାମ କରୁଛି।

ଏପଟେ ଏଆଇସିସି ଆଜି ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛି ଯେ, ଆସନ୍ତା ୨୧ ତାରିଖରେ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ଭୁବନେଶ୍ୱରରେ ବସିବ। ଯେଉଁଥିରେ ସମସ୍ତ ପୂର୍ବତନ ପିସିସି ସଭାପତି ଓ ବିଧାୟକ ଦଳ ନେତାମାନେ ରହି ଦଳର ଆଗାମୀ ରଣନୀତି ସ୍ଥିର କରିବେ।

BJD BJP Congress Odisha Politics Taraprasad Bahinipati
Advertisment
Advertisment