• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟ ର୍ନିବାଚନ କମିଶନଙ୍କ ବିଜ୍ଞପ୍ତି ପରେ ଆରମ୍ଭ ହୋଇଛି ବିବାଦ । ନିର୍ବାଚନ କମିଶନ୍‌ଙ୍କୁ ସିଧାସଳଖ ଟାର୍ଗେଟ୍‌ କରିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛି କଂଗ୍ରେସ । ଗତକାଲି ପଂଚାୟତ ର୍ନିବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏହାପରେ ପ୍ରତିକ୍ରିୟା ରିଖିଛି କଂଗ୍ରେସ । ପଞ୍ଚାୟତରାଜ ପାଇଁ ଏହା କଳଙ୍କିତ ଦିବସ ବୋଲି କହିବା ସହ ଏହାର ମୁଖ୍ୟ ଖଳନାୟକ ରାଜ୍ୟ ସରକାର ବୋଲି କହିଛି କଂଗ୍ରେସ । କେବଳ ରାଜ୍ୟ ସରକାର ନୁହଁନ୍ତି ତାଙ୍କ ସଖି କଣ୍ଢେଇ ସାଜିଥିବା ନିର୍ବାଚନ କମିଶନ ମଧ୍ୟ ଏଥିପାଇଁ ଦାୟୀ ବୋଲି କହିଛି କଂଗ୍ରେସ ।

କରୋନା କାଳରେ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ନିର୍ବାଚନ କମିଶନ କିଭଳି ନିର୍ବାଚନ କରିବାକୁ ନିଷ୍ପତ୍ତି ନେଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହାସହ ଏହାକୁ ଦୃଢ଼ ନିନ୍ଦା ମଧ୍ୟ କରିଛି । ଖାଲି ସେତିକି ନୁହେଁ ଆଦିବାସୀ ହରିଜନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି, ତେଣୁ ର୍ନିବାଚନ କମିଶନ ତାଙ୍କର ନିରପେକ୍ଷତା ବଜାୟ ରଖନ୍ତୁ ବୋଲି କଂଗ୍ରେସ ଦାବି କରିଛି । ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଯାଇଛନ୍ତି, ଓବିସିଙ୍କୁ ଚାକିରି କ୍ଷେତ୍ରରେ ସଂରକ୍ଷଣ ନକରିବାକୁ ନେଇ ସୁପ୍ରିମକୋର୍ଟ ୧୭ ତାରିଖରେ ବିଚାର ଶୁଣାଇବେ, ତେଣୁ ତାକୁ ଅପେକ୍ଷା କରିବାର ଥିଲା ବୋଲି କଂଗ୍ରେସ କହିଛି ।

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମୋଟ୍ ୫ଟି ପର୍ଯ୍ୟାୟରେ ମତଦାନ ହେବ । ସେହିପରି ଜିଲ୍ଲା ପରିଷଦଓ୍ୱାରୀ ଫେବ୍ରୁଆରୀ ୨୬ରୁ ୨୮ ମଧ୍ୟରେ ବ୍ଲକ୍ ଗୁଡ଼ିକରେ ଭୋଟ୍ ଗଣତି ହେବ । ପ୍ରାର୍ଥୀମାନେ ୧୭ରୁ ୨୧ ତାରିଖ ଭିତରେ ନାମାଙ୍କନ ପତ୍ର ଦାଖଲ କରିବେ ।

ଚଳିତ ନିର୍ବାଚନରେ ଭୋଟ୍ ଗ୍ରହଣ ସମୟ ଗତଥର ଅପେକ୍ଷା ଘଣ୍ଟାଏ ବଢ଼ାଯିବା ସହିତ ପ୍ରାର୍ଥୀଙ୍କ ସତ୍ୟପାଠ ଦାଖଲ ଓ ସେଣ୍ଟ୍ରାଲ କାଉଣ୍ଟିଂ ଭଳି କିଛି ନୂଆ ନିଷ୍ପତ୍ତି ନିଆଯାଇଛି । ତାରିଖ ଘୋଷଣା ସହିତ ଆଜିଠୁ ସାରା ରାଜ୍ୟରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଫେବ୍ରୁଆରୀ ୧୬, ୧୮, ୨୦, ୨୨, ଓ ୨୪ ତାରିଖରେ ହେବ ମତଦାନ । ୧୬ ଫେବ୍ରୁଆରୀରେ ୭୧ଟି ବ୍ଲକର ୨୦୨ ଜିଲ୍ଲା ପରଷଦ ଜୋନ୍, ୧୮ରେ ୬୮ଟି  ବ୍ଲକ୍‌ର ୧୮୬ ଜିଲ୍ଲା ପରିଷଦ ଜୋନ୍, ୨୦ରେ ୬୩ ବ୍ଲକର ୧୭୧ଟି ଜୋନ୍, ୨୨ରେ ୬୪ଟି ବ୍ଲକ୍‌ର ୧୬୩ ଜୋନ୍ ଓ ୨୪ରେ ୪୮ଟି ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନ୍ ଓ ଏହା ଅଧୀନରେ ଥିବା ଓ୍ୱାର୍ଡ ଓ ପଂଚାୟତଗୁଡ଼ିକରେ ମତଦାନ କରାଯିବ ।

ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜାନୁଆରୀ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ୨୧ ଭିତରେ ନାମଙ୍କନପତ୍ର ଦାଖଲ, ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଓ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଫେବ୍ରୁଆରୀ ୨୬, ୨୭ ଓ ୨୮ ତିନି ଦିନ ଜିଲ୍ଲା ପରିଷଦଓ୍ୱାରୀ ଭୋଟ୍ ଗଣତି ହେବ । ସେହିପରି ୧୧ ମାର୍ଚ୍ଚରେ ନାଏବ ସରପଞ୍ଚ, ୧୨ ମାର୍ଚ୍ଚରେ ପଂଚାୟତ ସମିତି ଅଧ୍ୟକ୍ଷ, ୧୩ରେ ଜିଲ୍ଲା ପରିଷଦ ସଭାପତି, ୨୩ ମାର୍ଚ୍ଚରେ ପଂଚାୟତ ସମିତି ଉପାଧ୍ୟକ୍ଷ ଓ ୨୫ ମାର୍ଚ୍ଚରେ ଜିଲ୍ଲା ପରିଷଦ ଉପସଭାପତି ପଦ ଲାଗି ପରୋକ୍ଷରେ ନିର୍ବାଚନ ହେବ । ନିର୍ବାଚନ ତାରିଖ ଘୋଷଣା ସହ ସାରା ରାଜ୍ୟରେ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହା ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏଥର ନିର୍ବାଚନରେ ୯୧ ହଜାର ୯୧୩ ଓ୍ୱାର୍ଡମେମ୍ବର, ୬ ହଜାର ୭୯୪ ସରପଞ୍ଚ, ୬ ହଜାର ୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ମତଦାନ ହେବ । ମୋଟ୍ ୨ କୋଟି ୭୯ ଲକ୍ଷ ଭୋଟର ନିର୍ବାଚନରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ।