Advertisment

ପୁଣି ଚର୍ଚ୍ଚାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ, ଗୃହରେ ମୁଖ୍ୟମନ୍ତ୍ରୀ ରଖିଲେ ଉତ୍ତର...

'ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନଥିବା ସୁପ୍ରିମକୋର୍ଟଙ୍କ ରାୟ'

author-image
Satyendu Shekher Mishra
undefined

High Court Bench

ପୁଣି ଚର୍ଚ୍ଚାରେ ହାଇକୋର୍ଟ ବେଞ୍ଚ୍ ପ୍ରସଙ୍ଗ। ଓଡ଼ିଶାର କୌଣସି ଯାଗାରେ ବେଞ୍ଚ୍ ପ୍ରତିଷ୍ଠାର ଯଥାର୍ଥତା ନାହିଁ ବୋଲି, ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବା ପରେ ତେଜିଛି ରାଜନୀତି। ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ଏହା ବିଶ୍ୱାସଘାତକତା ବୋଲି ବିଜେଡି କହୁଥିବା ବେଳେ କଂଗ୍ରେସ ବି ସ୍ୱର ମିଶାଇଛି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ହାଇକୋର୍ଟ ବେଞ୍ଚ ଦାବି ଯଥାର୍ଥ ବୋଲି କହିଛନ୍ତି।

Advertisment

ରାଜ୍ୟର କେଉଁଠି ବି ପ୍ରତିଷ୍ଠା ହେବନି ହାଇକୋର୍ଟ ବେଞ୍ଚ ! ବଲାଙ୍ଗିରରେ ହାଇକୋର୍ଟର ସର୍କିଟ୍ ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କ ପ୍ରସ୍ତାବ ଅଛି କି, ବୋଲି ବିଧାନସଭାରେ ବିଜେଡି ବିଧାୟକ କଳୀକେଶ ସିଂହଦେଓଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି- ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏ ସଂପର୍କିତ ଆସିଥିବା ରାୟ ଅନୁସାରେ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଯଥାର୍ଥତା ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ଏ ଉତ୍ତର ପରେ ତେଜିଛି ରାଜନୀତି। କଳୀକେଶ ସିଧା ବିଜେପି ସରକାରକୁ ଆକ୍ଷେପ କରି କହିଛନ୍ତି- ଏହା ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତ। ସରକାର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। କଂଗ୍ରେସ ବି ଆରୋପ ଲଗାଇଛି-ବିଜେପି ବିରୋଧୀ ଦଳରେ ଥିବାବେଳେ ଏହି ଆନ୍ଦୋଳନକୁ ସମର୍ଥନ କରୁଥିଲା, ହେଲେ କ୍ଷମତାକୁ ଆସିବା ପରେ ବଦଳି ଗଲା।

Advertisment

ସେପଟେ ଖୋଦ୍ ଶାସକ ଦଳର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ସ୍ଥାପନ ଦାବିରେ ଅଟଳ ଥିବା କହିଛନ୍ତି। ତେଣେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଏ ପ୍ରସଙ୍ଗରେ ଅଧିକ ବିଚାର ବିମର୍ଶର ଆବଶ୍ୟକତା ରହିଛି। ତାପରେ ଯାହା କିଛି ନିଷ୍ପତ୍ତି ନିଆଯିବ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ରାଜ୍ୟରେ ଏକ ଚର୍ଚ୍ଚିତ ଓ ପୁରୁଣା ଦାବି। ଗତ ବିଜେଡି ସରକାର ଅମଳରେ ଏ ପ୍ରସଙ୍ଗକୁ ନେଇ ଟାଳଟୁଳ ନୀତି ଅବଲମ୍ବନ ହେବାରୁ ଆଇନଜୀବୀଙ୍କ ଆନ୍ଦୋଳନର ନିଆଁ ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ଯାଏଁ ବ୍ୟାପି ଯାଇଥିଲା। ତେବେ ଗତ ୨୦୨୨ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟଙ୍କ ରାୟ ସେ ନିଆଁକୁ ଥଣ୍ଡା ପକାଇ ଦେଇଥିଲା। ସୁପ୍ରିମକୋର୍ଟ କହିଥିଲେ-ଏବେ ଟେକ୍ନୋଲୋଜିର ଯୁଗ, ଅନଲାଇନ୍ ଯୋଗେ କୌଣସି ଏକ ଜିଲ୍ଲା କୋର୍ଟରୁ ହାଇକୋର୍ଟ ପାଇଁ କେସ୍ ଫାଇଲ୍ ହୋଇପାରିବ। ଭର୍ଚୁଆଲରେ ବି ଶୁଣାଣି ହୋଇପାରିବ। ତେଣୁ କୌଣସି ସ୍ଥିତିରେ ବି ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦରକାର ନାହିଁ।

ଆଉ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ, ରାଜ୍ୟର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ କହିଥିବା ଉତ୍ତର ଦେବା ପରେ ବିଭିନ୍ନ ଓକିଲ ସଂଘଙ୍କ ପକ୍ଷରୁ ଆସୁଛି ପ୍ରତିକ୍ରିୟା। ଏବେ ଦେଖିବାର କଥା ସୁପ୍ରିମ କୋର୍ଟଙ୍କ ସଫା ନା ପରେ ହାଇକୋର୍ଟ ବେଞ୍ଚ ଦାବି ଏଇଠି ଥମୁଛି ନା ପୁଣି ଆଗକୁ ବ୍ୟାପୁଛି। 

BJD BJP Congress Odisha Politics HIgh Court Bench
Advertisment
Advertisment