• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିରୋଧୀଙ୍କ ପ୍ରବଳ ଚାପ ପରେ ଶେଷରେ ୟୁ-ଟର୍ଣ୍ଣ ମାରିରେ ସରକାର । ବିରୋଧୀ ଦଳ ନେତାଙ୍କ ପ୍ରତି ଦିଆଯାଇଥିବା 'ମେଣ୍ଟାଲ୍ ଡିଜ୍ଅର୍ଡର' ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍ ଦିଆଯାଇଛି । ତେବେ ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇନଥିବାରୁ ବିଧାନସଭାରେ ହଟ୍ଟଗୋଳ ଜାରି ରହିଛି । ଏନେଇ ବିରୋଧୀ ବିଜେପି ଗୃହରେ ହଙ୍ଗାମା କରିବା ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି । ଆଉ ଏହାରି ଭିତରେ ଜୟନାରାୟଣ ସାଂଘାତିକ ଅଭିଯୋଗ, ନା ଗୃହରେ ନା ଗୃହ ବାହାରେ ସେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି । ତାଙ୍କର ଯଦି କିଛି ହୋଇଯାଏ, ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ।

ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ଆଉ ବାଚସ୍ପତି । ଏଣେ ଶାସକ ଦଳ ଟାର୍ଗେଟରେ ବିରୋଧୀ । ଏକଦମ୍ ଟକ୍କରା ଟକ୍କରି ସ୍ଥିତିରେ ଦୁଇ ପକ୍ଷ, ଅଚଳ ବିଧାନସଭା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିବା କହି ଶାସକ ଦଳ ଆକ୍ଷେପ କରିବା ପରେ ବାଚସ୍ପତିଙ୍କ ଉପରକୁ ବିଜେପି ବିଧାୟକଙ୍କ ଡାଲି ମାଡ଼ କରି ଦୁଇ ବିଧାୟକ ସସପେଣ୍ଡ ହୋଇଛନ୍ତି ।

ପ୍ରଶ୍ନ ଉଠୁଛି ଏଠି କିଏ ଠିକ୍ ? ବିରୋଧୀ ଦଳ ନେତାଙ୍କୁ ଏକ ପ୍ରକାର ମାନସିକ ବିକୃତ କହିବା କେତେଦୂର ଗ୍ରହଣୀୟ ? ଏଭଳି ସ୍ଥିତି ଭିତରେ ଆଜି ବି ଚାଲିପାରିଲାନି ଗୃହ । ବିଜେପି ସଦସ୍ୟଙ୍କ ପ୍ରବଳ ହୋହଲ୍ଲା ଓ ପାଟିତୁଣ୍ଡ ଭିତରେ ଧୋଇଗଲା ମୌସୁମୀ ଅଧିବେଶନର ଆଉ ଏକ ଦିନ । ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କ ସସପେଣ୍ଡ ପ୍ରତ୍ୟାହର ଏବଂ ବିରୋଧୀ ଦଳ ନେତାଙ୍କ ପ୍ରତି ପ୍ରୟୋଗ କରାଯାଇଥିବା ଅପଶଦ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବା ଦାବିରେ ବିଜେପି ବିଧାୟକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରବଳ ଚାପ ପଡ଼ିବା ପରେ ଶେଷରେ ୟୁ-ଟର୍ଣ୍ଣ ମାରିଛନ୍ତି ସରକାର । ସର୍ବଦଳୀୟ ବୈଠକ ପରେ ଗୃହ ବିବରଣୀରୁ ମେଣ୍ଟାଲ ହେଲ୍ଥ ବୟାନକୁ ବାଦ୍ ଦିଆଯାଇଛି । ଏହି ପ୍ରସଙ୍ଗରେ କେବଳ ବିରୋଧୀ ଦଳ ନୁହନ୍ତି, ସାଧାରଣ ଲୋକେ ବି କ୍ଷୋଭ ପ୍ରକାଶ କରିଥିଲେ ।

ସେହିପରି ଜୟ ନାରାୟଣ ଅଭିଯୋଗ କରିଥିଲେ ବାଚସ୍ପତି ପକ୍ଷପାତ କରୁଛନ୍ତି । ଶାସକ ଦଳର କଣ୍ଢେଇ ସାଜିଛନ୍ତି । ବିଧାନସଭା ଚଳାଇ ନଦେବା ପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । କଂଗ୍ରେସ୍ କହିଛି, ସରକାର ଭୟଭୀତ ଓ ବ୍ୟାକଫୁଟରେ ରହିଛି । ତେବେ ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯିବା କଥା । ଏପଟେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ବିଜେପି ବିଧାୟକଙ୍କ ଆଚରଣ, ଉଚ୍ଚାରଣ ପାଇଁ ନିଲମ୍ବନ ଯଥାର୍ଥ ।

ନବ ଦାସ ହତ୍ୟା ଘଟଣା, 5T ସଚିବଙ୍କ ଗସ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ନିଶାନା କରୁଥିବାରୁ ଅଡୁଆରେ ପଡୁଛି ବିଜେଡି । ଯେଉଁଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ପରୋକ୍ଷରେ ଜୟ ନାରାୟଣଙ୍କୁ ନିଶାନା କରୁଛନ୍ତି । ଜୟନାରାୟଣ ଓ ବିଜେଡି ଭିତରେ ବିବାଦ ବଢୁଥିବାବେଳେ ନିଜେ ଅସୁରକ୍ଷିତ ଅଛନ୍ତି ବୋଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଜୟ । ମୋର କିମ୍ବା ମୋ ପରିବାର ଯଦି କିଛି କ୍ଷତି ହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି କହିଛନ୍ତି । ବିଜେଡି କହିଛି ସମସ୍ତେ ସୁରିକ୍ଷତ ଅଛନ୍ତି । କେବଳ ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ ଜୟ ନାରାୟଣ ଏଭଳି କହୁଛନ୍ତି ।

 

  • Reported by:
  • HARIHARA CHAND , JAGDISH DAS