Advertisment

ରାଜ୍ୟ ରାଜନୀତିରେ ଗୋମାତା: ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାକୁ ବିଜେଡିର କାଉଣ୍ଟର?

ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଗୋଶାଳା ପରିଦର୍ଶନକୁ ନେଇ ରାଜନୀତି ବି ତେଜିଛି।

author-image
Chandan Shishu
Odisha CM Naveen Patnaik visits goushala, opposition smells rat

Odisha CM Naveen Patnaik visits goushala, opposition smells rat

ରାଜ୍ୟ ରାଜନୀତିରେ ଏବେ ଗୋମାତା। ମନ୍ଦିର ବିକାଶ ପରେ ଫୋକସରେ ଗୋ-ସୁରକ୍ଷା। ହଠାତ୍ ଗୋମାତାଙ୍କ କଥା ମନେ ପଡିବା ପଛରେ ଲୁଚିଛି କି କାରଣ ?
ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାକୁ କାଉଣ୍ଟର ଲାଗି ବିଜେଡିର ଷ୍ଟ୍ରାଟେଜି ନୁହେଁ ତ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହଠାତ୍ ଭୁବନେଶ୍ୱର ନିକଟ ଜାମୁକୋଳି ଗୋଶାଳା ପରିଦର୍ଶନ ଓ ଗୋଶାଳା ସମ୍ପ୍ରସାରଣ ପାଇଁ ପ୍ରତିଶୃତିକୁ ନେଇ ଏବେ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା। ଗୋଟିଏ ପଟେ ରାଜ୍ୟରେ ବେଆଇନ ଗୋଚାଲାଣ ଚରମ ସୀମାରେ ପହଞ୍ଚିଥିବାବେଳେ ସରକାର ନିଦାବିଷ୍ଣୁ ସାଜିଥିବା ମାଳ ମାଳ ଅଭିଯୋଗ ଆସୁଛି ହେଲେ ଏଭଳି ସମୟରେ ନବୀନଙ୍କ ଗୋଶାଳା ପରିଦର୍ଶନକୁ ନେଇ ଉଠିଛି ପ୍ରଶ୍ନ।

Advertisment

ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ଓ ସମ୍ବେଲେଶ୍ୱରୀ ମନ୍ଦିରଠୁ ରାଜ୍ୟରେ ଅନେକ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏବେ ଗୋମାତା ସୁରକ୍ଷାକୁ ଫୋକସକୁ ନେଇ ବିଜେଡି ହିନ୍ଦୁତ୍ୱ କାର୍ଡ ଖେଳୁଥିବା କୁହାଯାଉଛି। ଯେହେତୁ ବିଜେପି ସବୁବେଳେ ମଠ ଓ ମନ୍ଦିର ସହିତ ଗୋ-ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଆସିଛି। ତେଣୁ ବିଜେପିକୁ କାଉଣ୍ଟର ଲାଗି ବିଜେଡି ଆଗୁଆ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଗୋଶାଳା ପରିଦର୍ଶନକୁ ନେଇ ରାଜନୀତି ବି ତେଜିଛି। ବିଜେପି କହିଛି ଏହା କେବଳ ଏକ ଡ୍ରାମା ଯାହାର ଜବାବ ରଖିଛି ବିଜେଡି।

ଗୋଟିଏ ପଟେ ହକି ବିଶ୍ୱକପ୍ ଆୟୋଜନ ସମୟରେ ରାଜଧାନୀରୁ ବୁଲା ଗୋରୁ ଓ ଷଣ୍ଢଙ୍କୁ ଏବେ ଜାମୁକୋଳି ଗୋଶାଳାରେ ରଖାଯାଇଛି। ଉପଯୁକ୍ତ ରକ୍ଷଣବେକ୍ଷଣ ଅଭାବ ଯୋଗୁ ସେଠାରେ ନିଇତି କିଛି ଗାଇ ଓ ଷଣ୍ଢ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋ-ଚାଲାଣକାରୀ ମାତିଛନ୍ତି ଓ ପୋଲିସ୍ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ଆସୁଛି। କେବଳ ଗୋ-ସୁରକ୍ଷାକାରୀ ହିଁ ଗୋରୁ ଚାଲାଣ ଗାଡ଼ି ଜବତ କରି ପୋଲିସ ନଜରକୁ ଆଣୁଛନ୍ତି।

Advertisment

ଏବେ ବେସରକାରୀ ଭାବେ ରାଜ୍ୟରେ ୪୫ଟି ଗୋଶାଳା ଚାଲିଛି। ୧୧ ହଜାର ୯୧୦ ଗୋରୁ-ଗାଇ ଓ ଷଣ୍ଢ ରହୁଛନ୍ତି। ଏବେ ରାଜ୍ୟରେ ପ୍ରାୟ ୧କୋଟି ଗୋରୁଗାଇ ଥିବାବେଳେ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ଉଠିଛି ପ୍ରଶ୍ନ।

(ଖୋର୍ଦ୍ଧାରୁ ବଳରାମ ଲେଙ୍କା, ବାଲେଶ୍ୱରରୁ ରଶ୍ଣିରଂଜନ ଦାସ ଓ ଭୁବନେଶ୍ୱରୁ ହରିହର ଚାନ୍ଦଙ୍କ ରିପୋର୍ଟ)

BJD BJP
Advertisment
Advertisment