• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଏଣିକି ଆଉ ବିଜୁ ନୁହେଁ, ନବୀନ ଓଡ଼ିଶା ନାରାରେ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ବିଜେଡି ଯୋଜନା କରୁଛି । ଆସନ୍ତାକାଲି ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲାରେ ସଭା ଓ ରୋଡ୍ ସୋ' କରି ଏକ ପ୍ରକାର କ୍ୟାଂପେନ୍ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ଗସ୍ତ କାର୍ଯ୍ୟକ୍ରମ ରାଜ୍ୟରେ ଆଗୁଆ ନିର୍ବାଚନର ସଙ୍କେତ ବୋଲି ଚର୍ଚ୍ଚା ହେଉଛି । ତେବେ ନବ ଦାସ ଓ ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଜେଡି ପଶ୍ଚିମ ଓଡିଶାରେ ବ୍ୟାକଫୁଟରେ ଥିବାରୁ ତାକୁ କଭର୍ ଅପ୍ ପାଇଁ ଏହି କାର୍ଯ୍ୟକ୍ରମ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଏ ପ୍ରଶ୍ନ ଏଥିପାଇଁ ଉଙ୍କି ମାରୁଛି, କାହିଁକି ନା ନବୀନ ଓଡ଼ିଶାର ନୂଆ ନାରା ନେଇ ଆସନ୍ତାକାଲିଠାରୁ ପଶ୍ଚିମଓଡ଼ିଶାରୁ କ୍ୟାଂପେନ୍ ଆରମ୍ଭ କରିବ ବିଜେଡି । ବିଜୁ ବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନରେ ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରୁଛନ୍ତି । ସରକାରୀ ପ୍ରକଳ୍ପର ଶୁଭାରମ୍ଭ ସହ ବିଭିନ୍ନ ସାଧାରଣ ସଭାରେ ଯୋଗ ଦେବେ ନବୀନ । ସ୍ୱତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ୍ ୱେ'ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଗସ୍ତ ସମୟରେ ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ନବୀନ କରିବେ ରୋଡ୍ ସୋ’ । ସାଧାରଣ ନିର୍ବାଚନ ବେଳେ ସ୍ୱତନ୍ତ୍ର ବସରେ ଯେଭଳି ରୋଡ୍ ସୋ’ ହୋଇଥିଲା, ଆସନ୍ତାକାଲି ବି ଠିକ୍ ସେଭଳି ରୋଡ୍ ସୋର ଆୟୋଜନ କରାଯାଇଛି । ବରଗଡ଼ ଜିଲ୍ଲାର ସୋହେଲାଠୁ ଘେଁସ୍ ଏବଂ କଳାହାଣ୍ଡିର ବୃନ୍ଦାବାହାଲରୁ ଆମପାଣି ପର୍ଯ୍ୟନ୍ତ ହେବ ଏହି ରୋଡ୍ ସୋ’ । ସାଧାରଣ ନିର୍ବାଚନକୁ ଆହୁରି ପ୍ରାୟ ବର୍ଷେ ସମୟ ବାକି ଥିବା ବେଳେ ନବୀନଙ୍କ ଏଭଳି ରୋଡ୍ ସୋ’କୁ ନେଇ ଚର୍ଚ୍ଚା ଜୋରଦାର ଧରିଛି ।

କୁହାଯାଉଛି ୨୦୨୪ ଯାଏଁ ଅପେକ୍ଷା ନକରି, ଚଳିତ ବର୍ଷ ଯେତେବେଳେ ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବ ସେତେବେଳେ ଓଡ଼ିଶାରେ ବି ନିର୍ବାଚନ କରିବାକୁ ଦଳ ଯୋଜନା କରୁଛି । ବିଭିନ୍ନ ଜିଲ୍ଲାକୁ ନବୀନଙ୍କ ମାରାଥନ୍ ଗସ୍ତ ଓ ରୋଡ୍ ସୋ’ରୁ କିଛି ସେଭଳି ସଙ୍କେତ ମିଳୁଛି । ସେପଟେ ବିରୋଧୀ କହିଛନ୍ତି ପଶ୍ଚିମ ଓଡ଼ିଶା ପ୍ରତି ବିଜେଡି ସରକାର ସବୁବେଳେ ଅବେହେଳା କରି ଆସିଛି । ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡ, ଚାଷୀ ସମସ୍ୟା ଆଦି ପ୍ରସଙ୍ଗକୁ ନେଇ ବିଜେଡି ବ୍ୟାକଫୁଟରେ ରହିଛି । ସେସବୁକୁ କଭର୍ ଅପ୍ କରିବା ଲାଗି ବିଜେଡିର ଏହି ଷ୍ଟ୍ରାଟେଜି ବୋଲି ବିରୋଧୀ କହିଛନ୍ତି ।

ପଶ୍ଚିମ ଓଡ଼ିଶାରେ ବିଜେପିର ବେଶ୍ ଦବଦବା ରହିଛି । ୫ରୁ ୫ ଲୋକସଭା ସିଟ୍ ସହ ୨୨ଟି ବିଧାନସଭା ସିଟରୁ ଦଳ ୮ଟି ଜିତିଛି । ତେଣୁ ବିଜେଡି ଫୋକସରେ ରହିଛି ପଶ୍ଚିମ ଓଡ଼ିଶା । ଆଉ ଦଳର ନୂଆ ନାରା ହେଉଛି ନବୀନ ଓଡ଼ିଶା । ବିଜେଡିର ନୂଆ ନାରା, ନୂଆ ଷ୍ଟ୍ରାଟେଜି ଓ ଆଗୁଆ ପ୍ରଚାର କେତେ କାମ ଦେଉଛି , ତା ଉପରେ ସମସ୍ତଙ୍କ ନଜର ।

ବରଗଡ଼ରୁ ଦୀପକ ଶର୍ମା, ନୂଆପଡ଼ାରୁ ମାୟାଧର ସରାଫ, ଧର୍ମଗଡ଼ରୁ
ଇଂଗିତ ପଣ୍ଡାଙ୍କ ସହ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି..