• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଧାନସଭାରେ ବି, ବିଧାନସଭା ବାହାରେ ବି ବିରୋଧୀଙ୍କ ଉପରେ ନବୀନଙ୍କ ହମଲା । ବିରୋଧୀଙ୍କୁ ବିକାଶ ବିରୋଧୀ ଓ ଜନ ବିରୋଧୀ କହି ଲୋକମାନେ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ ବୋଲି କଡ଼ା ଭାଷାରେ ସାମଲୋଚାନ କରିଛନ୍ତି ନବୀନ । ବିଜେଡିର ଜନସଂପର୍କ ପଦଯାତ୍ରାରେ ନବୀନ ଏଭଳି କହିଥିବା ବେଳେ ବିରୋଧୀ ପାଲଟା ଅଭିଯୋଗ କରିଛନ୍ତି, ନବୀନ ହିଁ ସବୁଠାରୁ ବଡ଼ ଜନବିରୋଧୀ । ଅନ୍ୟପଟେ ପଦଯାତ୍ରାର ପ୍ରଥମ ଦିନରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀକନ୍ଦଳ ସାମ୍ନାକୁ ଆସିଛି ।

ଆଗ୍ରେସିଭ୍ ମୁଡ୍‌ରେ ନବୀନ । ବିଧାନସଭା ଭିତର ହେଉ କି ବାହାର, ବିରୋଧୀଙ୍କୁ ଧୁଲାଇ କରିବାର କୌଣସି ମୌକା ଛାଡୁନାହାନ୍ତି ବିଜେଡି ସୁପ୍ରିମୋ । କାର୍ଯ୍ୟକ୍ରମ ଥିଲାବିଜେଡିର ଜନସଂପର୍କ ଅଭିଯାନ । ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ସାଧାରଣ ସଭାକୁ ଉଦବୋଧନ ବେଳେ ବିରୋଧୀଙ୍କୁ ନିଶାନା କରିଛନ୍ତି ନବୀନ । କହିଛନ୍ତି, ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ୍ ଖବର ଦେବା, ଭ୍ରମିତ କରିବା ସେମାନଙ୍କର କାମ ପାଲଟିଛି ।

ନିର୍ବାଚନ ଆସିଲେ ସେମାନେ ଏମିତି କାମ କରନ୍ତି ।ସେଥିପାଇଁ ହିଁ ବିରୋଧୀଙ୍କୁ ଜନତା ସବୁବେଳେ ରିଜେକ୍ଟ କରିଆସିଛନ୍ତି । ଏତିକିରେ ନଅଟକି ଆହୁରି କହିଛନ୍ତି, ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ବିକାଶ କାର୍ଯ୍ୟରେ ବିରୋଧୀ ବାଧା ଦେବାକୁ ଚେଷ୍ଟା କରିଛନ୍ତି । ତେଣୁ ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନବିରୋଧୀ ।

ଜବାବରେ ବିଜେପି କହିଛି ନବୀନ ହେଉଛନ୍ତି ସବୁଠୁ ବଡ଼ ଜନବିରୋଧୀ । ସେ ଜନ ବିରୋଧୀ ହେଇନଥିଲେ ଜଣେ ଆଇଏଏସ୍ ଅଫିସରଙ୍କୁ ସରକାର ଚଳାଇବାକୁ ଲିଜ୍‌ରେ ଦେଇଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ- Xରେ ଲେଖିଛନ୍ତି ଆପଣ ଓ ଆପଣଙ୍କ ସରକାର ମଠ, ମନ୍ଦିର ବିରୋଧୀ । ପ୍ରଶ୍ନ କରିଛନ୍ତି କୋଭିଡ୍ ସମୟରେ ରଥଯାତ୍ରା ବନ୍ଦ କରିବା ପାଇଁ କେଉଁମାନେ ଷଡ଼ଯନ୍ତ୍ର କରିଥିଲେ ? ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ବିକାଶ କ’ଣ ହୋଇଛି ଆଗ ମୁଖ୍ୟମନ୍ତ୍ରୀ ଚିନ୍ତା କରନ୍ତୁ । ଅନ୍ୟର ଲେଖା ପଢି କୁହନ୍ତୁ ନାହିଁ ।

ସେପଟେ ପଦଯାତ୍ରା ଆରମ୍ଭ ହେଉ ହେଉ ବିଜେଡିରେ ଦେଖାଦେଲାଣି ଗୋଷ୍ଠୀ କନ୍ଦଳ । ଆଜି ସାଲେପୁର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ବେଳେ ଏଠାରୁ ବିଜେଡି ଟିକେଟ ଆଶାୟୀ ଥିବା ହିମାଂଶୁ ମହାନ୍ତିଙ୍କ ଗୋଷ୍ଠୀ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଥିଲା । ସେହିପରି ରାଜନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଗୋଷ୍ଠୀକନ୍ଦଳ ସାମ୍ନାକୁ ଆସିଛି । ବିଧାୟକ ଧ୍ରୁବ ସାହୁ ଜନସଂପର୍କ ପଦଯାତ୍ରା କରିଥିବା ବେଳେ, ସମାନ୍ତରାଳ ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ ପଢିହାରୀଙ୍କ ସମର୍ଥକମାନେ ମଧ୍ୟ ପଦଯାତ୍ରା ଆୟୋଜନ କରିଥିଲେ ।

ଏପଟେ ଭୁବନେଶ୍ୱରରେ ଜନସଂପର୍କ ପଦଯାତ୍ରା ପାଇଁ ଆୟୋଜିତ ସଭାରେ ନବୀନ ବିରକ୍ତି ଭାବ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ନବୀନଙ୍କ କାନ୍ଧରେ ସାଂସଦ ସୁଲତା ଦେଓ ଉତ୍ତରୀୟ ପକାଇବା ପରେ ବିରକ୍ତ ହୋଇଥିଲେ ନବୀନ । ତା’ସହ ନବୀନଙ୍କ କୁର୍ତ୍ତାରେ ଏକ ଦଳୀୟ ବ୍ୟାଜ୍ ଲଗାଇଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ହେଲେ ନବୀନ ବିରକ୍ତ ହୋଇନିଜେ ଉତ୍ତରୀୟ କାଢି ଦେଇଥିଲେ । ଆଉ ପିଏସ୍ଓଙ୍କୁ ଶଙ୍ଖ ଚିହ୍ନ ଥିବା ବ୍ୟାଜ୍ ବି ଖୋଲିବାକୁ କହିଥିଲେ ।

  • Reported by:
  • HARIHARA CHAND , JAGDISH DAS , Manoj Acharya , PRABIR KUMAR NAYAK