• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଲୋକାର୍ପିତ ହେଲା ବହୁ ଚର୍ଚ୍ଚିତ ବିଜେଡିର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନ । ତିନି ମହଲା ବିଶିଷ୍ଟ ନୂଆ ଆଲିସାନ୍ ଅଫିସ୍ ଫାଇଭ୍ ଷ୍ଟାର ହୋଟେଲ୍ ଠାରୁ କିଛି କମ୍ ନୁହେଁ । ତେବେ ଦୀର୍ଘ ୨୩ ବର୍ଷ ଧରି ଗୋଟିଏ ଛୋଟିଆ ଘରେ ଅଫିସ୍ ଚାଲିଥିବା ବେଳେ ହଠାତ୍ କାହିଁକି ଏଭଳି ଭବ୍ୟ ସୌଧର ଆବଶ୍ୟକତା ପଡ଼ିଲା ତାକୁ ନେଇ ନାନା ଚର୍ଚ୍ଚା । କୁହାଯାଉଛି ଭବିଷ୍ୟତକୁ ଆଖି ଆଗରେ ରଖି ବିଜେଡି ଏଭଳି ଏକ ବିଶାଳ କାର୍ଯ୍ୟାଳୟ ନିର୍ମାଣ କରିଛି । କର୍ପୋରେଟ୍ ଟଙ୍କାରେ ଏଭଳି ଅଫିସ୍ ତିଆରି ହୋଇଥିବା ଅଭିଯୋଗ କରି ବର୍ଷିଛନ୍ତି ବିରୋଧୀ ।

ଗରିବ ରାଜ୍ୟରେ ହୋଇଛି ଧନୀ ଦଳର ଧନୀ ପାର୍ଟି ଅଫିସ୍ । ବିଜେଡି ଦ୍ୱିତୀୟ ଆଂଚଳିକ ଧନୀ ଦଳ ହୋଇଥିବାବେଳେ ନବୀନ ହେଉଛନ୍ତି ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ଆଉ ସେଭଳି ଢାଂଚାରେ ତିଆରି ହୋଇଛି ଦଳର ମୁଖ୍ୟାଳୟ । ପୂରା କର୍ପୋରେଟ୍ ଅଫିସ୍ ଭଳି ହୋଇଛି ନୂଆ କାର୍ଯ୍ୟାଳୟ । ପାରଂପାରିକ ବାଦ୍ୟ ସହ ଚାଲିଛି ନାଚଗୀତ । ପହଞ୍ଚୁଛନ୍ତି ଜଣକ ପରେ ଜଣେ ଦଳର ହେଭିୱେଟ୍ ନେତା । ଅକ୍ଷୟ ତୃତୀୟାରେ ବିଜେଡିର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଲୋକାର୍ପିତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ଏହି ନୂଆ ଅଫିସ୍ ବିଲ୍ଡିଂ କୌଣସି ଫାଇଭ୍ ଷ୍ଟାର ହୋଟେଲ ଠାରୁ କମ୍ ନୁହେଁ ।

ତିନି ମହଲା ବିଶିଷ୍ଟ ବିଲ୍ଡିଂର ବେସ୍ ମେଣ୍ଟରେ ୪୦ରୁ ଅଧିକ କାର୍ ରହିପାରିବା ଭଳି ବଡ଼ ପାର୍କିଂ ଏରିଆ ରହିଛି । ପ୍ରଥମ ମହଲାରେ ଏକ ବଡ଼ ଶଙ୍ଖ ଚିହ୍ନ ରହିଛି, ଯାହାକି ନିକଟ ରାସ୍ତା ଉପରୁ ଦୃଶ୍ୟମାନ ହେଉଛି । ସେହି ଫାଷ୍ଟ ଫ୍ଳୋରରେ ରହିଛି ଓପନ୍ କନଫରେନ୍ସ ହଲ୍ । ଆଉ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନର ଗାଥା । ସେହିଭଳି ଦ୍ୱିତୀୟ ମହଲାରେ ୨୫୦ ସିଟ୍ ବିଶିଷ୍ଟ ଏକ ଅତ୍ୟାଧୁନିକ ଅଡିଟୋରିୟମ୍ ରହିଛି, ଯାହା ଦେଖିବିକୁ ପୂରା ସିନେମା ହଲ୍ ଭଳି । ଏହା ସହ ଏହି ଫ୍ଳୋରରେ ଦଳର ଆଇଟି ସେଲ୍, ରିସର୍ଚ୍ଚ ୱିଙ୍ଗ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ବିଲ୍ଡିଂର ଥାର୍ଡ ଫ୍ଳୋରରେ ଦଳର ସଭାପତିଙ୍କ ପାଇଁ ସ୍ପେଶାଲ ରୁମ୍ ସହିତ ଅନେକ ଛୋଟବଡ଼ କନଫରନେସ୍ ହଲ୍ ରହିଛି ।

ଦୁଇ ବର୍ଷ ପୂର୍ବରୁ ବିଜେଡି କାର୍ଯ୍ୟାଳୟ କିଛି ଥିଲା ଅଲଗା । ବର୍ତ୍ତମାନର କାର୍ଯ୍ୟାଳୟରେ ଆକାଶ ପାତାଳ ଫରକ୍ । ତେବେ କାହିଁକି ବଦଳିଲା ଦଳର କାର୍ଯ୍ୟାଳୟ ? ଏଭଳି ଆଲିସାନ୍ କାର୍ଯ୍ୟାଳୟ ପଛର କାରଣ କଣ ? ଏତେ ବର୍ଷ ପରେ ହଠାତ୍ କାହିଁକି ଆବଶ୍ୟକ ପଡିଲା ? ଦଳ ଭବିଷ୍ୟତ କଥା ଚିନ୍ତା କରୁଛି ନା ବିଜେଡିରେ ବି ହେଉଛି ରୂପାନ୍ତରୀକରଣ ? ନୂଆ ବିଜେଡିର ଭିତ୍ତି ପଡୁଛି କି ? ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବିଜେଡି ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ କହିଛନ୍ତି ନବୀନ ବାବୁ ଯାହାକୁ ଆଶୀର୍ବାଦ କରିବେ ସେ ହିଁ ଭବିଷ୍ୟତ ନେତା ହେବେ । ଅନ୍ୟପକ୍ଷରେ ନୂଆ ଅଫିସ୍ ତିଆରି ପାଇଁ କେତେ ଖର୍ଚ୍ଚ ହୋଇଛି ତାହା ସ୍ପଷ୍ଟ ହୋଇନଥିବାବେଳେ ବିଜେଡି କହିଛି ଅଡିଟ୍ ପରେ ତାହା ଜଣାପଡ଼ିବ ।

ସେପଟେ ବିଜେଡିର ଏଭଳି ଆଲିଶାନ୍ ବିଲ୍ଡିଂକୁ ନେଇ ବିରୋଧୀ କଡା ସାମଲୋଚନା କରିଛନ୍ତି । କର୍ପୋରେଟ୍ ଟଙ୍କାରେ ବିଜେଡିର ଅଫିସ୍ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିବା ବେଳେ ସରଳ ନେତାଙ୍କ ଏହା ସରଳ ପାର୍ଟି ଅଫିସ୍ କି ବୋଲି ପ୍ରଶ୍ନ କରିଛି ବିଜେପି ।

ଭୁବନେଶ୍ୱରରୁ କ୍ୟାମେରାପର୍ସନ ସନ୍ତୋଷ ନାୟକଙ୍କ ସହ ସୌମ୍ୟରଂଜନ ସାହୁ ଓ ହରିହର ଚାନ୍ଦଙ୍କ ରିପୋର୍ଟ ଓଟିଭି....

  • Reported by:
  • HARIHARA CHAND , SOUMYA RANJAN SAHOO