• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଧାନସଭାରେ 5T ସଚିବଙ୍କୁ ବିରୋଧୀଙ୍କ ସିଧା ଆକ୍ରମଣ । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ? ଏହି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଣି ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ । କୋଭିଡ ପୂର୍ବରୁ ସିଏମ୍‌ଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା । କୋଭିଡ ଯୋଗୁ ପ୍ରାୟ ୨ ବର୍ଷ ହେବ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା ।

କିନ୍ତୁ କୋଭିଡ ପରେ ଯଥେଷ୍ଟ ଲୋକ ଅଭିଯୋଗ ପ୍ରକୋଷ୍ଠ ଆସୁନଥିବା ଦେଖିଥିଲୁ । ତେଣୁ ମୋ ନିର୍ଦ୍ଦେଶରେ ସିଏମ୍ ଓ ଅଫିସରମାନେ ଜିଲ୍ଲାକୁ ଯାଇ ଅଭିଯୋଗ ଆଣିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖାଲି ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଗତ ୬ ମାସ ମଧ୍ୟରେ ୧୯୦ ଜାଗାରୁ ୫୭, ୪୪୨ ଅଭିଯୋଗ ଅଣାଯାଇଛି । ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛ ଓ ବୈଷୟିକ ଜ୍ଞାନକୌଶଳ ପରିଚାଳିତ ।

ଦୀର୍ଘଦିନରୁ ପଡ଼ିଥିବା ସମସ୍ୟାର ସମାଧାନ ୨/୩ ମାସ ମଧ୍ୟରେ ହୋଇଯିବ । କୋଭିଡ୍‌ ସମୟରେ ଏହି ସମାନ ଟିମ୍‌ ଜିଲ୍ଲା ବୁଲି ତଦାରଖ କରୁଥିଲା । ଅନ୍ୟମାନେ ଘରେ ଥିବା ବେଳେ ସିଏମ୍‌ଓ ଟିମ୍ ଜୀବନକୁ ବାଜି ଲଗାଇ ବୁଲୁଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମ୍‌ଓ ଦ୍ୱାରା ପରିଚାଳିତ ହୋଇଆସୁଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ଏପରି ବିବୃତି ଶୁଣିବା ପରେ ପୋଡିୟମ ତଳେ ବିଜେପି ବିଧାୟକ ହଟ୍ଟଗୋଳ କରିଥିଲେ । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ବୋଲି ନାରାବାଜି ଦେଇଥିଲେ । ବିରୋଧୀ ସଦସ୍ୟମାନେ ଗଣତନ୍ତ୍ରକୁ ହତ୍ୟା ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ଣ ୪ଟା ଯାଏ ବାଚସ୍ପତି ମୁଲତବି ରଖିଛନ୍ତି ।

  • Reported by:
  • HARIHARA CHAND