• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଞ୍ଚମ ପାଳିର ଚତୁର୍ଥ ବର୍ଷ ଶେଷ ଆଡ଼କୁ ଟିମ୍ ନବୀନରେ ଛୋଟ ଅଦଳବଦଳ । ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ତିନି ନୂଆ ମନ୍ତ୍ରୀ । ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ରେ ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ ତିନି ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ବି ହୋଇଛି। ହେଲେ ଏପର୍ଯ୍ୟନ୍ତ ବାଚସ୍ପତି ପଦକୁ ନେଇ ସସ୍ପେନ୍ସ ଜାରି ରହିଛି ।

ପାଖାପାଖି ବର୍ଷକ ତଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବାଚସ୍ପତି ହୋଇଥିବା ବିକ୍ରମ କେଶରୀ ଆରୁଖ । ଗତ ଜୁନ ୫ ମନ୍ତ୍ରିମଣ୍ଡଳ ନବକଳେବରରୁ ବାଦ୍ ପଡ଼ିଥିଲେ ସୁଦାମ ମାର୍ଣ୍ଡି । ଦୀର୍ଘ ବର୍ଷ ପରେ ପୁଣି ନବୀନଙ୍କ ବିଶ୍ୱାସ ଜିତିଛନ୍ତି ବିଧାୟକ ସାରଦା ନାୟକ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଲୋକସେବା କନଭେନ୍ସନ୍ ହଲରେ ଆୟୋଜିତ ଶପଥ ପାଠ ଉତ୍ସବରେ ବରିଷ୍ଠତା ଆଧାରରେ ଏହି କ୍ରମରେ ତିନି ଅଭିଜ୍ଞଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଶପଥ ଗ୍ରହଣ ପରେ ତିନି ମନ୍ତ୍ରୀ ପ୍ରଥମେ ଶଙ୍ଖଭବନ ବୁଲିବା ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି। ଏଥିସହ ତିନି ନୂଆ ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗ ବି ମିଳିଛି। ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ମିଳିଥିଲା ବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣ ଶିକ୍ଷା ଏବଂ ସାରଦା ନାୟକଙ୍କୁ ମିଳିଛି ଶ୍ରମ ବିଭାଗ। ତେବେ ଏ ତିହ୍ନିଙ୍କ ବିଭାଗ ବଣ୍ଟନକୁ ନେଇ ବି ଭାବିଚିନ୍ତି ଗୋଟି ଚଳାଇଛନ୍ତି ନବୀନ।

ପୂର୍ବରୁ ନିରଞ୍ଜନ ପୂଜାରୀଙ୍କ ସହ ଅର୍ଥ ସହ ଅତିରିକ୍ତ ଭାବେ ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ବିଭାଗ ଥିଲା। ହେଲେ ନିରଞ୍ଜନଙ୍କ ଠାରୁ ଅର୍ଥ ବିଭାଗ କାଢ଼ି ବିକ୍ରମଙ୍କୁ ଦିଆଯାଇଛି। କୁହାଯାଉଛି, ଏହାଦ୍ୱାରା ମନ୍ତ୍ରିମଣ୍ଡଳରେ ଆରୁଖଙ୍କୁ ନମ୍ବର ଟୁ ପୋଜିସନ୍ ଭଳି ସମ୍ମାନ ସହ, ଦୈନନ୍ଦିନ କାର୍ଯ୍ୟ ନଥିବା ବିଭାଗ ଦେଇ ତାଙ୍କୁ ଗଂଜାମର ସାଂଗଠନିକ କାର୍ଯ୍ୟରେ ଲଗାଇବାର ଯୋଜନାରେ ଅଛି ଶାସକ ଦଳ। ସେହିପରି ଟାଣୁଆ ଆଦିବାସୀ ନେତା ସୁଦାମ ମାର୍ଣ୍ଡିଂଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦେଇ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଯୋଜନାର ସୁଫଳ ବାଣ୍ଟି ଆଦିବାସୀ ଭୋଟ ବ୍ୟାଙ୍କ ମଜଭୁତ୍ କରିବାର ଲକ୍ଷ୍ୟ ରହିଛି।

ଅପରପକ୍ଷେ ଖଣି ଖାଦାନ, ଇସ୍ପାତ କାରଖାନା ଓ ଶ୍ରମ ସଂପଦରେ ଭରା ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ସାରଦାଙ୍କୁ ଶ୍ରମ ବିଭାଗ ଦେଇ ଶ୍ରମିକ ବର୍ଗଙ୍କ ଭୋଟ୍ ଅକ୍ତିଆରର ବି ଉଦ୍ଦେଶ୍ୟ ଥିବା କୁହାଯାଉଛି।

ମନ୍ତ୍ରିମଣ୍ଡଳ ପୁନର୍ଗଠନ ପରେ କାହାପାଖକୁ ଯିବ ଗୁରୁତ୍ୱପୂର୍ଣ୍ଣ ବାଚସ୍ପତି ପଦ ଏବେ ତା ଉପରେ ନଜର। ବାଚସ୍ପତି ପଦ ଲାଗି ଦେବୀ ପ୍ରସାଦ ମିଶ୍ର, ଅମର ଶତପଥୀ, ପ୍ରଫୁଲ୍ଲ ସାମଲ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ତେବେ ୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯଦି ମହିଳା କାର୍ଡ ଖେଳନ୍ତି ତା ହେଲେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ରାଜ୍ୟର ପ୍ରଥମ ମହିଳା ଭାବେ ଏଇ ଦାୟିତ୍ୱ ମିଳିପାରେ।