• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସବୁ କଳ୍ପନାଜଳ୍ପନାର ଶେଷ, ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଶେଷରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି ତିନି ନୂଆ ସଦସ୍ୟ । ସେମାନେ ହେଲେ ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାର୍ଣ୍ଡି । ଏହି ତିନି ବିଧାୟକଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କଲ ଯାଇଛି । ତେବେ କିଏ କେଉଁ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ତାହା ଜଣାପଡ଼ିନି । ଆସନ୍ତାକାଲି ସକାଳେ ଏହି ନୂଆ ମନ୍ତ୍ରୀମାନେ ଶପଥ ନେବେ ।

ତିନି ଜଣ ଯାକ କ୍ୟାବିନେଟ ପାହ୍ୟା ପାଇବେ ବୋଲି ସୂଚନା ମିଳିଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ନୂଆ ମନ୍ତ୍ରିମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ନବ ଦାସଙ୍କ ମୃତ୍ୟୁ ଓ ପରେ ଗତ ୧୨ ତାରିଖରେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଏବଂ ଦୁଇ ମନ୍ତ୍ରୀ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ ।

ଏମାନଙ୍କ ସ୍ଥାନ ପୂରଣ ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ପ୍ରବଳ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ଏଥିପାଇଁ ବିଭିନ୍ନ ନେତାଙ୍କ ନାଁ ସାମ୍ନାକୁ ଆସୁଥିଲା । ତେବେ ମୁଖ୍ୟମନ୍ତ୍ରୀ ସବୁ ଚର୍ଚ୍ଚାରେ ଅବସାନ ଘଟାଇ ବରିଷ୍ଠ ସଦସ୍ୟଙ୍କ ଉପରେ ଆସ୍ଥା ପ୍ରକଟ କରିବା ପରେ ରେସରେ ଥିବା ଅନ୍ୟ ଆଶାୟୀଙ୍କୁ ନିରାଶ ହେବାକୁ ପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କଲ୍ ପାଇବା ପରେ ବିକ୍ରମ ଆରୁଖ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ନବୀନଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ବିକ୍ରମ ଆରୁଖ । ତାହାସହ ସେ ଯେଉଁ ବିଭାଗ ଦେବେ ଆନ୍ତରିକତାର ସହ ଦାୟିତ୍ୱ ତୁଲାଇବି ବୋଲି ଆରୁଖ କହିଛନ୍ତି ।

ସେହିପରି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଯେ, ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଓଡ଼ିଶାବାସୀଙ୍କ ସେବାର ସୁଯୋଗ ପାଇବା ସୌଭାଗ୍ୟର ବିଷୟ । ସାରଦା ପ୍ରସାଦ ନାୟକ ହେଉଛନ୍ତି ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ଏକ ଜଣାଶୁଣା ଚେହେରା । ଏବେ ରାଉରକେଲାରୁ ବିଧାୟକ ଅଛନ୍ତି ।

୬୪ ବର୍ଷୀୟ ସାରଦା ୨୦୦୪ରେ ବିଜେଡି ଟିକେଟରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୯ ଏବଂ ୨୦୧୯ରେ ରାଉରକେଲାରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ । ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସାରଦା ନାୟକ । ସେ ପୂର୍ବରୁ ନଗର ଉନ୍ନୟନ ଓ ଯୋଗାଣ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ଆଜି ପୁଣିଥରେ ତାଙ୍କୁ ଫୋନ୍ କଲ ଆସିଛି। ସେ ଆସନ୍ତାକାଲି ମନ୍ତ୍ରୀ ଭାବେ ଶପଥ ନେବେ ।

ସେପଟେ ସୁଦାମ ମାର୍ଣ୍ଡି ଏବେ ମୟୂରଭଂଜ ଜିଲ୍ଲାର ବିଜେଡି ସଭାପତି ଅଛନ୍ତି । ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ୨ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ପୂର୍ବରୁ ରାଜସ୍ୱ ଓ ପ୍ରଶମନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ସୁଦାମ ମାର୍ଣ୍ଡି । ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବା JMM ଟିକେଟରୁ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ବିଜେଡି ଟିକେଟରୁ ଲଢି ବିଧାନସଭାକୁ ଯାଇଛନ୍ତି ।