Advertisment

ମନ୍ତ୍ରିମଣ୍ଡଳରେ ଗଞ୍ଜାମ-ମୟୂରଭଞ୍ଜ-ସୁନ୍ଦରଗଡ଼କୁ ଫୋକସ୍ ! ପଦ୍ମକୁ ଚେକ୍ ଦେବାକୁ ପ୍ଲାନ୍

ଆଦିବାସୀ ଭୋଟ୍ ନେବାକୁ ବି ଷ୍ଟ୍ରାଟେଜି ରହିଥିବା ଚର୍ଚ୍ଚା । ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କଲେ ବିରୋଧୀ । ଏଭଳି ମନ୍ତ୍ରିମଣ୍ଡଳ ପୁନର୍ଗଠନ କୌଣସି ପ୍ରଭାବ ପଡ଼ିବନି କହିଲେ ବିରୋଧୀ ।

author-image
Satyendu Shekher Mishra
undefined

Odisha Politics, Naveen Patnaik, Ministry Reshuffle

ବଦଳିଲା ମନ୍ତ୍ରିମଣ୍ଡଳର ରୂପରେଖ। ଏଥର ଅଦଳବଦଳରେ ଅଭିଜ୍ଞ ତଥା ବରିଷ୍ଠଙ୍କୁ ଦିଆଯାଇଛି ଗୁରୁତ୍ୱ । ବିଜେପିକୁ ଚେକ୍ ମେଟ୍ ଓ ବିଜେଡି ସଙ୍ଗଠନକୁ ଅଧିକ ମଜଭୁତ୍ କରିବା ପାଇଁ ପୁନର୍ଗଠନ ହେଲା କି ମନ୍ତ୍ରିମଣ୍ଡଳ ? ସାଧାରଣ ନିର୍ବାଚନ ପାଇଁ ଆଉ ବର୍ଷକରୁ ବି କମ୍ ସମୟ ଥିବା ବେଳେ ଅଦବଦଳକୁ ନେଇ ଏହି ଚର୍ଚ୍ଚା ଜୋର୍ ଧରିଛି। ତେବେ ଏଥର ଯୁବ ଓ ମହିଳାଙ୍କୁ ନନେଇ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜଣେ ଲେଖାଏଁ ଅଭିଜ୍ଞ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି।

Advertisment

ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରୁ ଜଣେ ଲେଖାଏଁ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ବାଲାନ୍ସ କରାଯିବାକୁ ଚେଷ୍ଟା କରାଯାଇଛି । ତେବେ ଫୋକସରେ ରହିଛି ତିନି ନୂଆମନ୍ତ୍ରୀଙ୍କ ଘରୋଇ ଜିଲ୍ଲା ସୁନ୍ଦରଗଡ଼, ଗଞ୍ଜାମ ଓ ମୟୂରଭଞ୍ଜ। ସୁନ୍ଦରଗଡ଼ର ସାଂସଦ ବିଜେପିର ଜୁଏଲ୍ ଓରାମ୍ ଥିବା ବେଳେ ଜିଲ୍ଲାର ୩ଟି ବିଧାନସଭା ଆସନ ବି ପଦ୍ମ ଅକ୍ତିଆରରେ ରହିଛି। ତେଣୁ ଏଠାରେ ବିଜେପିକୁ ଚେକ୍ ମେଟ୍ ପାଇଁ ସାରଦାଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଇଥିବା କୁହାଯାଉଛି। ମୟୂରଭଂଜ ଜିଲ୍ଲାରେ ବି ବିଜେପିର ସଙ୍ଗଠନ ମଜଭୁତ୍ ରହିଛି। ଏଠାକାର ସାଂସଦ ବିଶେଶ୍ୱର ଟୁଡୁଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଛି।

ସେହିପରି ଜିଲ୍ଲାର ୯ଟି ବିଧାନସଭା ଆସନରୁ ୬ଟିରେ ଅଛନ୍ତି ବିଜେପି ବିଧାୟକ। ଅନ୍ୟପକ୍ଷରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ କାଳେ ଆଦିବାସୀ ଭୋଟ୍ ବିଜେପି ଖାତାକୁ ଚାଲିଯିବ, ତାକୁ ଚେକ୍ ଦେବାକୁ ସୁଦାମ ମାର୍ଣ୍ଡିଙ୍କୁ ମନ୍ତ୍ରୀ ପଦ ମିଳିଛି। ସୁନ୍ଦରଗଡ଼ ଓ ମୟୂରଭଂଜ ଜିଲ୍ଲା ସମେତ ସାରା ରାଜ୍ୟରେ ଆଦିବାସୀ ଭୋଟ୍ ପ୍ରାୟ ୨୨ ପ୍ରତିଶତ ଥିବାରୁ ଏହାକୁ ନିଜ ଆଡକୁ ଟାଣିବା ଲାଗି ମନ୍ତ୍ରିମଣ୍ଡଳ ପୁର୍ନଗଠନ ବେଳେ ଆଦିବାସୀ ଜିଲ୍ଲାକୁ ଫୋକସ୍ ଦିଆଯାଇଛି।

Advertisment

ସେପଟେ ଗଂଜାମ ଜିଲ୍ଲାରେ ବିଜେଡିର ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି। ନେତୃତ୍ୱ ସଂକଟ ବି ଦେଖାଦେଇଛି। ବରିଷ୍ଠ ବିଜେଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ଅସୁସ୍ଥତା, ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କାର ହେବା ଓ କଂଗ୍ରେସ ଆସି ସାଂସଦ, ବିଧାୟକ ହୋଇଥିବା ନେତାଙ୍କ ଉପରେ ଭରସା କରିପାରୁନି ଦଳ। ତେଣୁ ଜିଲ୍ଲାର ଟାଣୁଆ ନେତା ବିକ୍ରମ ଆରୁଖଙ୍କୁ ପୁଣିଥରେ କ୍ୟାବିନେଟରେ ସାମିଲ କରାଯାଇଛି। ଜିଲ୍ଲାର ୧୩ଟି ନିର୍ବାଚନ ମଣ୍ଡଳୀରେ ସେ ସଂଗଠନ କଥା ବୁଝିବେ ବୋଲି ଚର୍ଚ୍ଚା ହେଉଛି।

ବିଜେଡି ସବୁବେଳେ ମହିଳା କାର୍ଡ ଖେଳୁଥିବା ବେଳେ ଏଥର ଅଦଳବଦଳରେ କିନ୍ତୁ କୌଣସି ମହିଳାଙ୍କୁ ସୁଯୋଗ ମିଳି ନାହିଁ। ଉପକୂଳ ଓଡ଼ିଶାକୁ ବି ଗୁରୁତ୍ବ ଦିଆଯାଇ ନାହିଁ। ସେହିପରି ପୁରୀ ସଂସଦୀୟ କ୍ଷେତ୍ରରୁ ମଧ୍ୟ କାହାକୁ ମନ୍ତ୍ରୀ କରାଯାଇ ନାହିଁ। ଅନ୍ୟପକ୍ଷରେ ସୁଶାନ୍ତ ସିଂ ଓ ଦୀପାଳି ଦାସଙ୍କ ମଧ୍ୟରେ ବିବାଦ ଥିବାରୁ କାହାରିକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଲା ନାହିଁ ବୋଲି କୁହାଯାଉଛି। ତେବେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। କହିଛନ୍ତି ଏହାର କୌଣସି ପ୍ରଭାବ ପଡିବ ନାହିଁ।

BJD Odisha BJP Odisha Politics Ministry Reshuffle
Advertisment
Advertisment