• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେଡି ଜିତିଲା ଝାରସୁଗୁଡ଼ା ବାଜି । ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଦୀପାଳି ଲକ୍ଷେ ୭ ହଜାର ୧୯୮ଟି ଭୋଟ ପାଇଥିବାବେଳେ ଟଙ୍କଧର ପାଇଛନ୍ତି ୫୮ ହଜାର ୪୭୭ ଭୋଟ୍ । ତେବେ ଶୋଚନୀୟ ପ୍ରଦର୍ଶନ ସହ ଅମାନତ ହରାଇଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ତାଙ୍କୁ ମିଳିଛି ମାତ୍ର ୪ ହଜାର ୪୯୬ ଖଣ୍ଡ ଭୋଟ୍ ।

ଝାରସୁଗୁଡ଼ାରେ ବିଜେଡିର ବଡ଼ ବିଜୟ । ନବଙ୍କ ଗଡ଼ରେ ପୁଣି ଶଙ୍ଖନାଦ । ଉତ୍ସବମୁଖର ବିଜେଡି କ୍ୟାଂପ୍ । ଖୁସିରେ ଝୁମୁଛନ୍ତି ନେତା ଓ କର୍ମୀ । ଭୋଟ୍ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେଡିକୁ ମିଳିସାରିଥିଲା ବୃହତ ବିଜୟର ବାସ୍ନା । ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୨୭ ଶହରୁ ଅଧିକ ଭୋଟରେ ଆଗରେ ଥିଲେ ନବଙ୍କ ଝିଅ ଦୀପାଳି ଦାସ । ଏହା ପରଠୁ ଗଣତି ଯେତେ ଯେତେ ଆଗକୁ ବଢୁଥିଲା, ବ୍ୟବଧାନକୁ ଲମ୍ବା କରି ବଢି ଚାଲିଥିଲା ଦୀପାଳିଙ୍କ ଲିଡ୍ ।

୧୨ଟା ବାଜୁ ବାଜୁ ସରିଗଲା ସମସ୍ତ ୧୯ ରାଉଣ୍ଡର ଗଣତି । ଆଉ ଆତତାୟୀ ପୋଲିସ ଗୁଳିରେ ବାପାଙ୍କ ମୃତ୍ୟୁର ୧୦୩ ଦିନରେ, ତାଙ୍କରି ଅବର୍ତ୍ତମାନରେ ହୋଇଥିବା ଏଇ ଉପନିର୍ବାଚନରେ ଦୀପାଳି ଜିତିଲେ ବିଜେଡି ବାଜି । ପୁଣିବାପାଙ୍କଠୁ ଆହୁରି ୮ହଜାର ୫୭୮ ଅଧିକ ଭୋଟରେ । ସଂଯୋଗ ଏମିତି, ଜାନୁଆରୀ ୨୯ ତାରିଖର ଯେଉଁ ସମୟରେ ବାପା ନବଙ୍କ ଉପରେ ଗୁଳିମାଡ଼ ହୋଇଥିଲା, ପାଖାପାଖି ସେହି ସମୟ ବେଳକୁ ଆସିଯାଇଥିଲା ବିଜୟ ରେଜଲ୍ଟ ।

ବାପାଙ୍କ ଗଡ଼ ଜିତୁ ଜିତୁ ବାପାଙ୍କ ଫଟୋରେ ଦୀପ ଧୂପ ଦେଇ ଭାଇ ବିଶାଳଙ୍କ ସହ ସାର୍ଟିଫିକେଟ୍ ଆଣିବାକୁ ସବ କଲେକ୍ଟର ଅଫିସକୁ ବାହାରି ଯାଇଥିଲେ ଦୀପାଳି । ପ୍ରତିକ୍ରିୟାରେ ସାମ୍ବାଦିକଙ୍କୁ କହିଥିଲେ, ମୋ ବାପା ବାଘ ଥିଲେ, ତାଙ୍କ ଛୁଆ ମୁଁ ବି ବାଘ ।

ଏପଟେ ବିଜେପି ଓ କଂଗ୍ରେସ ଶିବିରରେ ନିରାଶା । ୧୯ ନିର୍ବାଚନରେ ୪୫ ହଜାରରୁ ଅଧିକ ଭୋଟରେ ହାରିଥିବା ବିଜେପି ଏଥର ଯୁବ ଚେହେରା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିବା ସାଙ୍ଗକୁ ନବ ହତ୍ୟା, ଆଇନଶୃଙ୍ଖଳାକୁ ପ୍ରସଙ୍ଗ କରି ବି ବିଜେଡିର ବିଜୟ ଅଭିଯାନକୁ ରୋକି ପାରିନି । ବରଂ ଗତ ଥରଠୁ ଏଥର ବଢ଼ିଛି ପରାଜୟର ବ୍ୟବଧାନ । ତେବେ ଗତଥରଠୁ ଏଥର ୫, ୫୫୬ ଖଣ୍ଡ ଭୋଟ୍ ଅଧିକ ମିଳିବା ଦଳ ପାଇଁ ଏକ ମାତ୍ର ଆଶ୍ୱସ୍ତିର କାରଣ ହୋଇଛି । ସେହିପରି କଂଗ୍ରେସ ବି ଦୟନୀୟ ପ୍ରଦର୍ଶନ କରିଛି । ୨୦୧୯ରେ ୧୮ ହଜାରରୁ ଅଧିକ (୧୮,୮୨୩) ଭୋଟ୍ ପାଇଥିବା କଂଗ୍ରେସର ଭୋଟ୍ ଏଥର ୪, ୪୯୬କୁ ଖସିଛି । ଅମାନତ ହରାଇଛନ୍ତି ଦଳୀୟ ପ୍ରାର୍ଥୀ ତରୁଣ ପାଣ୍ଡେ ।

ଏହି ଉପନିର୍ବାଚନରେ ବିଜେଡି ମୋଟ୍ ୬୦.୯୩ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେପି ପାଇଛି ୩୩.୨୪ ପ୍ରତିଶତ । ସେହିପରି କଂଗ୍ରେସକୁ ମିଳିଛି ମାତ୍ର ୨. ୫୬ ପ୍ରତିଶତ ଭୋଟ୍ । ଉପନିର୍ବାଚନରେ ବିଜେଡିର ଲଗାତର ଅପରାଜେୟ ଧାରାରେ ବ୍ରେକ୍ ଲଗାଇ ବିଜେପି ଜିତିଥିବା ଧାମନଗର ବାଜିକୁ ପଦ୍ମପୁର ଜିତି ଭରଣା କରି ନେଇଥିଲା ବିଜେଡି । ଆଉ ଏବେ, ୨୪ ମହାଲଢ଼େଇ ପୂର୍ବରୁ ସମ୍ଭବତଃ ଶେଷ ଟକ୍କର କୁହାଯାଉଥିବା ଝାରସୁଗୁଡ଼ା ଜିତି ବିଜୟ ଧାରାରେ ଆଉ ଏକ ଫର୍ଦ୍ଦର ଯୋଡ଼ିଛି ଶାସକ ଦଳ ।