Advertisment

ରାଜ୍ୟ ବଜେଟ୍‌; କେଉଁଠୁ ଆସିବ କେତେ... ହେବ କେମିତି ଖର୍ଚ୍ଚ ?

କର୍ମଚାରୀଙ୍କ ଦରମା, ପେନ୍‌ସନ୍ ଓ ଅନ୍ୟ ରାଜସ୍ୱ ବ୍ୟୟ ପାଇଁ ଖର୍ଚ୍ଚ ହେବ ୧ ଲକ୍ଷ ୩୯ ହଜାର ୫୨୦ କୋଟି । ସେହିପରି ଋଣ ପରିଶୋଧ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮ ହଜାର ୭୮୬ କୋଟି ଟଙ୍କା ।

author-image
Tanmay Kumar Mahalik
Odisha Budget

Odisha Budget

୨୦୨୩-୨୪ରେ ରାଜ୍ୟ ସରକାର ନିଜସ୍ୱ ଆୟରୁ ୧ ଲକ୍ଷ ୫ ହଜାର ୫୦୦ କୋଟି ଟଙ୍କା ପାଇବେ । ଯାହାକି ମୋଟ ବଜେଟର ପ୍ରାୟ ୪୬ ପ୍ରତିଶତ । ଏଥିମଧ୍ୟରୁ ରାଜ୍ୟର ନିଜସ୍ୱ ଟିକସ ଆୟରୁ ୫୩ ହଜାର କୋଟି ଟଙ୍କା ମିଳିବାକୁ ଥିବା ବେଳେ ନିଜସ୍ୱ ଅଣ-ଟିକସ ଆୟରୁ ମିଳିବ ୫୨ ହଜାର ୫୦୦ କୋଟି ଟଙ୍କା । ସେହିପରି କେନ୍ଦ୍ରୀୟ ଟିକସ ଭାଗରୁ ରାଜ୍ୟ ୪୬ ହଜାର ୨୫୧ କୋଟି ଟଙ୍କା ପାଇବାକୁ ଥିବା ବେଳେ ୩୨ ହଜାର ୭୪୮ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇବ ।

Advertisment

ଋଣ ଅସୁଲରୁ ୮୭୦ କୋଟି ଟଙ୍କା ମିଳିବାକୁ ଥିବା ବେଳେ ବିଭିନ୍ନ ଉତ୍ସରୁ ୩୩ ହଜାର ୬୩୦ କୋଟି ଟଙ୍କା ଋଣ କରିବେ ରାଜ୍ୟ ସରକାର । ସେହିପରି ଭବିଷ୍ୟନିଧି ପାଣ୍ଠି ଓ ଅନ୍ୟ ପାଣ୍ଠିରୁ ୧୧ ହଜାର କୋଟି ଟଙ୍କା ଆଣିବେ ସରକାର । ଅପରପକ୍ଷରେ କର୍ମଚାରୀଙ୍କ ଦରମା, ପେନ୍‌ସନ୍ ଓ ଅନ୍ୟ ରାଜସ୍ୱ ବ୍ୟୟ ପାଇଁ ଖର୍ଚ୍ଚ ହେବ ୧ ଲକ୍ଷ ୩୯ ହଜାର ୫୨୦ କୋଟି । ସେହିପରି ଋଣ ପରିଶୋଧ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮ ହଜାର ୭୮୬ କୋଟି ଟଙ୍କା ।

ଚଳିତ ବଜେଟରେ ରାଜ୍ୟ ସରକାର ପ୍ରଚଳିତ ଫ୍ଲାଗ୍ସିପ୍ ଯୋଜନାଗୁଡ଼ିକ ପାଇଁ ମଧ୍ୟ ଢେର୍ ପାଣ୍ଠି ବ୍ୟୟବରାଦ କରିଛନ୍ତି । କାଳିଆ ଯୋଜନା ପାଇଁ ୧ ହଜାର ୮୭୯ କୋଟି, ମିଲେଟ୍ ମିଶନ ପାଇଁ ୪୯୭ କୋଟି, ବିଏସ୍କେୱାଇ ସ୍ୱାସ୍ଥ୍ୟ ବୀମା ଯୋଜନା ପାଇଁ ୨ ହଜାର ୩୮୦ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୩ ହଜାର ୩ କୋଟି, ନ୍ୟାସନାଲ ହେଲ୍ଥ ମିଶନକୁ ୧ ହଜାର ୯୧୧ କୋଟି, ନିର୍ମାଲ୍ୟ ଯୋଜନା ପାଇଁ ୫୧୩ କୋଟି, କ୍ୟାନସର୍ କେୟାର ସେଣ୍ଟର ପାଇଁ ୨୧୧ କୋଟି ବ୍ୟୟବରାଦ ହୋଇଛି ।

Advertisment

ସେହିଭଳି କ୍ରୀଡ଼ା ଭିତ୍ତିଭୂମି ଲାଗି ୧ ହଜାର ୪୪ କୋଟି, ଅର୍ବାନ୍ ଓଡ଼ିଶା ଟ୍ରାନ୍ସଫର୍ମ ଲାଗି ୭ ହଜାର ୯୧୪ କୋଟି, ମିଶନ ଶକ୍ତି କର୍ଯ୍ୟକ୍ରମ ପାଇଁ ୯୮୯ କୋଟି ବ୍ୟୟବରାଦ ହୋଇଛି । ଏଥର ବଜେଟରେ ରାଜ୍ୟ ୨ଶହ ଆଶାୟୀଙ୍କୁ ସିଭିଲ ସର୍ଭିସ କୋଚିଂ ବ୍ୟବସ୍ଥା ହୋଇଛି । ଏହି ଯୋଜନାରେ ୨ ଶହ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସିଭିଲ ସର୍ଭିସ କୋଚିଂ ଦିଆଯିବ । ପ୍ରବେଶିକା ପରୀକ୍ଷା ଜରିଆରେ ଶିକ୍ଷାର୍ଥୀ ଚୟନ କରାଯାଇ ସେମାନଙ୍କୁ ମାଗଣା କୋଚିଂ ସହ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ । ବଜେଟରେ ହରିଶ୍ଚନ୍ଦ୍ର ସହାୟତା ରାଶି ପରିମାଣ ବୃଦ୍ଧି ହୋଇଛି । ଗ୍ରାମାଞ୍ଚଳରେ ସହାୟତା ରାଶି ୨ ହଜାରରୁ ୩ ହଜାରକୁ ବୃଦ୍ଧି ହୋଇଥିବା ବେଳେ ସହରାଞ୍ଚଳରେ ସହାୟତା ରାଶି ୩ ହଜାରରୁ ୪ ହଜାରକୁ ବୃଦ୍ଧି ପାଇଛି ।

ଏଥର ବଜେଟରେ ୨୦ଟି ନୂଆ କାର୍ଯ୍ୟକ୍ରମର ଘୋଷଣା କରଯାଇଛି । ଧାନ ସଂଗ୍ରହ ଲାଗି ୨ ହଜାର କୋଟି ଟଙ୍କାର ରିଭଲଭିଂ ଫଣ୍ଡ ଘୋଷଣା ହୋଇଛି । ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟି, ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ କାର୍ଯ୍ୟକ୍ରମ ଲାଗି ୮୧୧ କୋଟି, ସିଏମ୍ ଆୱାର୍ଡ ଫର୍ ଏଜୁକେସନ୍ ପାଇଁ ୧୩୯ କୋଟି । ଆମ ବସ୍‌ଷ୍ଟାଣ୍ଡ ଯୋଜନା ପାଇଁ ୧୫୦ କୋଟି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି, କଫି ମିଶନ ପାଇଁ ୧୨୬ କୋଟି ବ୍ୟୟବରାଦ କରାଯାଇଛି ।

ସେହିପରି ମହିଳା ଏସ୍ଏଚଜି ଉଦ୍ୟୋଗୀ ପ୍ରୋତ୍ସାହନ ଓ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ୧୦୦ କୋଟି ଲେଖାଏଁ ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ ଆନ୍ତର୍ଜାତିକ ବିମାନ ସେବା ସଂଯୋଗ ଲାଗି ୧୦୦ କୋଟି, ସିଏମ୍ ଏନର୍ଜୀ କଞ୍ଜରଭେସନ୍ କାର୍ଯ୍ୟକ୍ରମ ପାଇଁ ୨୫୦ କୋଟି ଓ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧ ହଜାର ୪୪୬ କୋଟି ଘୋଷଣା କରାଯାଇଛି । ସେହିଭଳି ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟିର ଘୋଷଣା କରାଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି, ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି ଏବଂ ବନ ସୁରକ୍ଷା ସମିତି ପାଇଁ ୨୫୦ କୋଟି ବ୍ୟୟବରାଦ ହୋଇଛି ।

Finance Minister Niranjan Pujari
Advertisment
Advertisment