• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଳିଲା କୁଶପୁତ୍ତଳିକା । ଜୋର ଧରିଲା ନାରାବାଜି । ଜାଗା ଜାଗାରେ ବିକ୍ଷୋଭ, ପ୍ରତିବାଦ । ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ କଂଗ୍ରେସ ମୁଖପାତ୍ର ଅଜୟ କୁମାରଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି । ଭୁବନେଶ୍ୱର ରାଜଧାନୀରେ ଦଳୀୟ ନେତା ଓ କର୍ମୀ କରିଛନ୍ତି ପ୍ରତିବାଦ ଶୋଭାଯାତ୍ରା । ଦାବି ହୋଇଛି, ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ଅଜୟ କୁମାର, କ୍ଷମା ମାଗନ୍ତୁ ରାହୁଲ ଗାନ୍ଧି । ଭଦ୍ରକ, ରାଉରକେଲା, କେନ୍ଦୁଝରରେ ବି ତୀବ୍ର ହୋଇଛି ପ୍ରତିବାଦର ସ୍ୱର । ସବୁଠି ଗୋଟିଏ ଦାବି, ଅଶାଳୀନ ମନ୍ତବ୍ୟ ପାଇଁ କ୍ଷମା ମାଗ ନଚେତ୍ ଆଗକୁ ତୀବ୍ର ହେବ ଆନ୍ଦୋଳନ ।

ଏପଟେ ବିଧାନସଭାରେ ବି ଜୋରଦାର ହଙ୍ଗାମା । ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ । ଦ୍ରୌପଦୀ ମୁର୍ମୁ ଓଡିଶାର, ତାଙ୍କୁ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ତେଣୁ ଦ୍ରୌପଦୀଙ୍କ ବାବଦରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଜୟ କୁମାରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ ବିଜେପି ବିଧାୟକ । ତେବେ ବିଜେପିକୁ କାଉଁଟର କରିଥିଲା କଂଗ୍ରେସ । ଅଜୟ କୁମାର ଓ ରାହୁଲ ଗାନ୍ଧୀ ଗୃହର ସଦସ୍ୟ ନୁହଁନ୍ତି । ତେଣୁ ତାଙ୍କ ବିରୋଧରେ ଆଲୋଚନା କରିବା ଗୃହ ବିରୋଧୀ ବୋଲି କହିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏପରିକି ପୂର୍ବ କଥା ମନେ ପକାଇ ବିଜେପିକୁ ସମାଲୋଚନା କରିବା ସହ ହୋହଲ୍ଲା କରିଥିଲା କଂଗ୍ରେସ । ଯାହାକୁ ନେଇ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିଲେ ଉଭୟ ବିଜେପି ଓ କଂଗ୍ରେସ । ଅଚଳ ହୋଇ ଯାଇଥିଲା ଗୃହକାର୍ଯ୍ୟ । ଫଳରେ ପ୍ରଥମେ ଦିନ ସାଢେ ୧୧ଟା ଏବଂ ପରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ।

 

ତେବେ କଣ କହିଥିଲେ କଂଗ୍ରେସ ମୁଖପାତ୍ର ଅଜୟ କୁମାର ? ଯାହାକୁ ନେଇ ଉପୁଜିଛି ଏତେ ବଡ ବିବାଦ । ଅଜୟ କୁମାର କହିଥିଲେ, ଦ୍ରୌପଦୀ ମୁର୍ମୁ ଜଣେ ଭଲ ବ୍ୟକ୍ତି । କିନ୍ତୁ ସେ ଏକ ମନ୍ଦ ବିଚାରଧାରାର ପ୍ରତିନିଧିତ୍ୱ କରୁଛନ୍ତି । ଆମର ଏହ ଭ୍ରମ ହେବା ଉଚିତ ନୁହେଁ ଯେ ଦ୍ରୌପଦି ମୁର୍ମୁ ହେଉଛନ୍ତି ଆଦିବାସୀଙ୍କ ପ୍ରତୀକ । ଏହାଛଡା ସେ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦାହାରଣ ମଧ୍ୟ ଦେଇଥିଲେ । ତାଙ୍କ ସମୟରେ ମଧ୍ୟ ଦଳିତଙ୍କ ଉପରେ ଅତ୍ୟାଚାର ହୋଇଥିବା ଅଜୟ କହିଛନ୍ତି ।

ଅଜୟ କୁମାରଙ୍କ ଏଭଳି ମନ୍ତବ୍ୟକୁ ଘୋର ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି, ଦ୍ରୌପଦୀ ନିଜର ଦକ୍ଷତା, କାର୍ଯ୍ୟକୁଶଳତା ଯୋଗୁଁ ଆଜି ଏହି ପାହାଚରେ ପହଞ୍ଚିଛନ୍ତି । ସେ ପୂର୍ବରୁ ମନ୍ତ୍ରୀ ଓ ରାଜ୍ୟପାଳ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ଏଣୁ ତାଙ୍କ ବିରୋଧରେ ଏଭଳି ଟିପ୍ପଣୀ କରିବା ଆଦୌ ଗ୍ରହଣୀୟ ନୁହେଁ ।