/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699973364.jpg)
Odisha Politics
୨୪ ପୂର୍ବରୁ ବିଜେପିର ହାଲ୍ଲାବୋଲ । ରାଜ୍ୟବ୍ୟାପୀ ପ୍ରତିବାଦ, ବିକ୍ଷୋଭ, ଘେରାଉ । ପ୍ରସଙ୍ଗ- ଦୁର୍ନୀତି, ଭ୍ରଷ୍ଟାଚାର ଆଉ ପିସି କାରବାର । ଏମିତି ଚିତ୍ର ଦେଖିବାକୁ ମିଳିଛି ରାଜଧାନୀରେ । ବିଏମ୍ସି ଅଫିସ୍ ଆଗରେ ଅଳିଆ ଢାଳିଲେ ବିଜେପି କର୍ମୀ । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ବେଳେ ତାତି ଥିଲେ କର୍ମୀ। ଖାଲି ଅଳିଆ ଗଦାଇନଥିଲେ, ବିଏମ୍ସି ଅଫିସ୍ ଉପରକୁ ଗୋବର ମାଡ଼ ମଧ୍ୟ କରିଥିଲେ । ସ୍ମାର୍ଟସିଟି ଯୋଜନାରେ କେନ୍ଦ୍ରୀୟ ଅର୍ଥ ହଡ଼ପ, ପରିମଳ ପରିଚାଳନାରେ ବିଏମ୍ସିର ବିଫଳତାକୁ ମୁଦ୍ଦା କରି ପ୍ରବଳ ବିକ୍ଷୋଭ କରିଥିଲା ଦଳ।
ସେହିପରି କଟକ ସଦର ବ୍ଲକରେ ମଧ୍ୟ ୫୦ ପ୍ରତିଶତ ପିସି କାରବାର ମୁଖ୍ୟ ପ୍ରସଙ୍ଗ କରି ବିଜେପି ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ବ୍ଲକ ଅଫିସ୍ ଘେରାଉ କରିଥିଲେ ଦଳୀୟ କର୍ମୀ । ଦଳ ଅଭିଯୋଗ କରିଛି, ବର୍ଷକୁ ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ସେପଟେ ଗଞ୍ଜାମ ଖଲ୍ଲିକୋଟଠାରେ ଏନଏସି ଅଫିସ୍ ଘେରାଉ ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ବିଜେପି ନେତାଙ୍କ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା ।
୧୯ ନିର୍ବାଚନ ବେଳେ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଷ୍ଟ୍ରାଟେଜିରେ ଦୁର୍ନୀତି, ଭ୍ରଷ୍ଟାଚାର ଆଉ ପିସି କାରବାରକୁ ମୁଖ୍ୟ ପ୍ରସଙ୍ଗ କରିଥିଲା ବିଜେପି । ଯେଉଁଥିପାଇଁ ଦଳର ଭୋଟ୍ ପ୍ରତିଶତ ୨୧.୫ରୁ ବଢି ୩୨.୫ରେ ପହଞ୍ଚିଥିଲା । ମୁଖ୍ୟ ବିରୋଧୀ ଦଳକୁ ଆସିବା ସହ ୨୩ ବିଧାନସଭା ଆସନ ଅକ୍ତିଆର କରିଥିଲା ଦଳ।
ଆଉ ଅଗଷ୍ଟ ୫ରେ ଓଡିଶା ଗସ୍ତରେ ଆସି ରାଜ୍ୟ ନେତୃତ୍ୱଙ୍କ ସହ ମିଶନ ୨୪ ସଂପର୍କରେ ଆଲୋଚନା କରିଥିଲେ ଶାହ । ଆଉ ମୁଖ୍ୟ ଟାସ୍କ ଦେଇଥିଲେ ମନରୁ ଦ୍ୱନ୍ଦ୍ୱ ଦୂର କରି ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ବାର ଲଢେଇ ପାଇଁ। ସେହି ଷ୍ଟ୍ରାଟେଜି ଆନୁସାରେ ଆଜିଠୁ ଆଗାମୀ ୧୮ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଦଳ । ତେବେ ବିଜେଡି କହିଛି ଏହାର କୌଣସି ପ୍ରଭାବ ପଡିବନି ।
ଗୋଟିଏ ମଞ୍ଚରେ ଶାହ-ନବୀନଙ୍କ ଭେଟଘାଟ ପରେ ବିଜେଡି-ବିଜେପି ସଂପର୍କକୁ ନେଇ ଖାଲି ରାଜ୍ୟ ନୁହଁ ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏବେ ଆନ୍ଦୋଳନ ଆଉ ବିକ୍ଷୋଭ କରି ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକାଇବା, ବିଜେପି କର୍ମୀଙ୍କ ଦ୍ୱନ୍ଦ୍ୱ ଦୂର କରିବାରେ ସହାୟକ ହେବ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)