• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାତ୍ର ୪ ଦିନରେ ଶେଷ ହୋଇଗଲା ବିଧାନସଭାର ଶୀତ ଅଧିବେସନ । ବିରୋଧୀଙ୍କ ପ୍ରସଙ୍ଗରେ ଡରିଗଲେ କି ସରକାର ? ନା ନିର୍ବାଚନ ପାଖଉଥିବାରୁ ଛବି ମଳିନ ପଡିବାର ଭୟ ଘାରିଲା ସରକାରୀ ଦଳକୁ ? ନଭେମ୍ୱର ୨୧ରୁ ଡିସେମ୍ୱର ୩୦ ଯାଏ ଏହି ଅଧିବେଶନ ଚାଲିବାର ଥିଲା । ଯେଉଁଥିରେ ରହିଥିଲା ୩୦ଟି କାର୍ଯ୍ୟଦିବସ । କିନ୍ତୁ ୪ ଦିନରେ ପୁରା ଅଧିବେଶନକୁ ସାରିଦିଆଗଲା । ଆଉ ସେହି ଚାରିଦିନ ଭିତରୁ ପ୍ରଥମ ଦିନଟି ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ କରାଯାଇ ମୁଲତବୀ କରାଯାଇଥିଲା ।

ନଭେମ୍ୱର ୨୨ ଦ୍ୱିତୀୟ ଦିନରେ ଆଦିବାସୀ ଜମି ହସ୍ତାନ୍ତର ସଂପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ କରି ବିରୋଧୀଙ୍କ ହଟଗୋଳ ଲାଗି ପୁରା ଦିନ ଧୋଇଯାଇଥିଲା । ନଭେମ୍ୱର ୨୩ ତୃତୀୟ ଦିନର ପ୍ରଥମାର୍ଦ୍ଧରେ ଅଚଳାବସ୍ଥା ଲାଗି ରହିଲା । ତେବେ ଦ୍ୱିତୀୟାର୍ଦ୍ଧରେ ଗୃହକୁ ସ୍ୱାଭାବିକତା ଫେରିଲା। ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ସରକାର ପୁଣି କ୍ୟାବିନେଟ୍ ଡାକି ସ୍ଥଗିତ ଥିବା ଆଦିବାସୀ ଜମି ହସ୍ତାନ୍ତର ପ୍ରସ୍ତାବକୁ ଆଦିବାସୀ ଉପଦେଷ୍ଟା ପରିଷଦକୁ ପୁନଃ ତର୍ଜମା ପାଇଁ ପଠାଇଲେ । ଏହାପରେ ଗୃହ ସ୍ୱାଭାବିକ ଚାଲିଲା ।

ଅର୍ଥାତ ପୁରା ସେସନରେ କେବଳ ଚତୁର୍ଥ କାର୍ଯ୍ୟଦିବସଟି ସଂପୂର୍ଣ୍ଣ ଚାଲିଥିଲା । ବିରୋଧୀ ସରକାରଙ୍କୁ ଅନ୍ୟ ପ୍ରସଙ୍ଗରେ ଘେରିବାକୁ ଯୋଜନା କରୁଥିବାବେଳେ ହଠାତ୍ ଗୃହରେ ଆଉ କୌଣସି କାର୍ଯ୍ୟ ନଥିବା ଦର୍ଶାଇ ବିଧାନସଭାକୁ ବନ୍ଦ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଲେ । ଯାହାକୁ ବାଚସ୍ପତି ଗ୍ରହଣ କରି ଅନିର୍ଦ୍ଦିଷ୍ଟକାଳ ପାଇଁ ବିଧାନସଭାକୁ ମୁଲତବୀ କରିଥିଲେ । ଯାହାକୁ ନେଇ ବିରୋଧୀ ପୁରା ଆଶ୍ଚର୍ଯ୍ୟ। ବିଜେପି କହିଛି ରାଜ୍ୟ ସରକାର ଆଦିବାସୀ ବିରୋଧୀ ଓ ଜନବିରୋଧୀ ହୋଇଥିବାରୁ ପଳାୟନ ପନ୍ଥି ସାଜିଲେ । କଂଗ୍ରେସ କହିଛି ବିରୋଧୀଙ୍କୁ ପ୍ରସଙ୍ଗକୁ ସାମ୍ନା କରିବାକୁ ସରକାର ଭୟ କରୁଛନ୍ତି । ଜବାବରେ ବିଜେଡି କହିଛି ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ।

ଗୋଟିଏ କ୍ୟାଲେଣ୍ଡର ବର୍ଷର ମୌସୁମୀ, ବଜେଟ ଓ ଶୀତକାଳୀନ ଅଧିବେଶନରେ ମୋଟ ୬୦ ଦିନ ଗୃହ ଚାଲିବା କଥା । ଯଦିଓ ଏହା ବାଧ୍ୟତାମୂଳକ ନୁହେଁ କିନ୍ତୁ ଭୋଟରଙ୍କ ସ୍ୱାର୍ଥ ଦୃଷ୍ଟିର ବେଶ୍ ଗୁରତ୍ୱ ବହନ କରିଥାଏ । ଚଳିତ ବର୍ଷ ୬୦ ଦିନରୁ ମାତ୍ର ୩୪ ଦିନ ଚାଲିଛି ବିଧାନସଭା । ସେହିପରି ୨୦୨୨ରେ ୩୫ ଦିନ ହିଁ ଗୃହ ଚାଲିଥିଲା । ୨୦୦୦ ମସିହାରୁ ନବୀନ ସରକାର ଶାସନକୁ ଆସିବା ପରେ ୨୦୦୬, ୨୦୧୦ ଓ ୨୦୧୨ରେ ମାତ୍ର ତିନି ଥର ସଂପୂର୍ଣ୍ଣ ୬୦ ଟି କାର୍ଯ୍ୟଦିବସ ପୂରଣ ହୋଇଛି ।

ଏଠି ପ୍ରଶ୍ନ କାହିଁକି ଶୀତ ଅଧିବେଶନ ୨୬ ଦିନ ପୂର୍ବରୁ ସରିଲା । ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ଆଦିବାସୀ ଜମି ହସ୍ତାନ୍ତର କ୍ୟାବିନେଟ ନିଷ୍ପତ୍ତିରେ ସରକାର ବ୍ୟାକ୍ ଫୁଟରେ ରହିଲେ । ସେହିପରି ପଶ୍ଚିମ ଓଡିଶା ବିବାଦ, ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲା ପ୍ରସଙ୍ଗ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ତେବେ ସରକାର ବିରୋଧୀଙ୍କୁ ଅଧିକ ସୁଯୋଗ ନଦେବା ପାଇଁ ହଠାତ୍ ଗୃହକୁ ବନ୍ଦ କରିଦେବା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ ।

  • Reported by:
  • JAGDISH DAS