• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନ ବେଶ୍ ସରଗରମ ରହିବା ଆଶା କରାଯାଉଛି । ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ପର୍ଯ୍ୟଟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅବକାରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଶ୍ନକାଳ ରହିଛି ।

ସେହିପରି ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ । କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ଆସିପାରେ । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହରେ ଆଲୋଚନା ହେବ । ସ୍ୱଳ୍ପ ଦିବସର ଅଧିବେଶନରେ ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ଦଳକୁ ଗୃହରେ ଘେରିବା ପାଇଁ ରଣନୀତି କରିଛନ୍ତି ।

ଅନ୍ୟପଟେ ଓଡ଼ିଶା ବିକାଶ, ବିଶ୍ୱ ଓଡ଼ିଆ ସମ୍ମିଳନୀକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସଙ୍ଗରେ ଭାଗନେବା ସହ ବିରୋଧୀଙ୍କ ପ୍ରଶ୍ନର ସଠିକ ମୁକାବିଲା କରିବାପାଇଁ ବିଜେଡି ବିଧାୟକ ଦଳ ବୈଠକରେ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗତକାଲି ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ପ୍ରଥମ ଅଭିଭାଷଣ ରଖିଥିଲେ । ଏକ ଘଣ୍ଟା ୫୫ ମିନିଟର ଅଭିଭାଷଣରେ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତାକୁ ବଖାଣିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ନୂଆ ଓ’ କାର୍ଯ୍ୟକ୍ରମ ଯାଏଁ ସବୁଥିରେ ରାଜ୍ୟ ବିକାଶ ଆଡ଼କୁ ବଢୁଥିବା ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ।

ସେହିପରି ୨୦୨୭ ସୁଦ୍ଧା ମେଟ୍ରୋ ରେଳ ଆରମ୍ଭ ଓ ୨୦୨୪ ଡିସେମ୍ୱର ସୁଦ୍ଧା ବସ୍ତି ମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ତତ୍ପରତାର ସହ କାମ କରୁଥିବା କହିଥିଲେ । ଫାଇଭ ଟି ଓ ମୋ ସରକାର ପ୍ରଶାସନିକ ସେବା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ସେହିପରି ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ସ୍ଥିର ଓ ଶାନ୍ତିପୂର୍ଣ୍ଣ ରହିଛି । ମାଓବାଦୀ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ୧୦କୁ କମିଆସିଛି । ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା, କୃଷି ଓ ଜଳସେଚନ ଆଦି କ୍ଷେତ୍ରରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଥିବାରୁ ରାଜ୍ୟ ଅଗ୍ରଣୀ ଆଡକୁ ଗତି କରୁଛି ବୋଲି ରାଜ୍ୟପାଳ ମତ ରଖିଥିଲେ ।

  • Reported by:
  • KAPILENDRA PRADHAN