• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିବଙ୍ଗତ ନେତା ସୂର୍ଯ୍ୟ ପାତ୍ରଙ୍କୁ ଦିଆଗଲା ଶେଷ ସମ୍ମାନ । ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବି ଅଣାଯାଇଥିଲା ପାର୍ଥିବ ଶରୀର...ହେଲେ ଏଥିରେ ଦେଖାଦେଲା ବ୍ୟତିକ୍ରମ । ଶଙ୍ଖ ଭବନ ବଦଳରେ କଡ଼ରେ ଥିବା କ୍ୱାର୍ଟରରେ ଅନ୍ତିମ ବିଦାୟ ଜଣାଇଥିଲେ ଦଳର ବିଧାୟକ, ମନ୍ତ୍ରୀ, ସାଂସଦଙ୍କ ସମେତ ବହୁ ନେତା ଓ କର୍ମୀ । ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ ବି କରାଯାଇଥିଲା।

ତେବେ ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟ ତଥା ସାତ ସାତ ଥରର ବିଧାୟକଙ୍କ ମରଶରୀରକୁ ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖଭବନ ଭିତରକୁ ପୁରାଇ ନଦେବାକୁ ନେଇ ଏବେ ଚର୍ଚ୍ଚା। ଶଙ୍ଖଭବନ ବଦଳରେ ପାଖ କ୍ୱାର୍ଟରରେ ଶ୍ରଦ୍ଧାଞ୍ଜଳି ଦେବା କେତେ ଯୁକ୍ତିଯୁକ୍ତ ? ଏହା କିଭଳି ସମ୍ମାନ ? କାହିଁକି ଓ କାହା ନିର୍ଦ୍ଦେଶରେ ଶଙ୍ଖଭବନ ଭିତରକୁ ନିଆଗଲା ନାହିଁ ସୂର୍ଯ୍ୟ ପାତ୍ରଙ୍କ ମରଶରୀର ?

ଏଭଳି ବ୍ୟତିକ୍ରମ ପଛର ରହସ୍ୟ କ’ଣ ? ତାକୁ ନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ବିରୋଧୀ ମଧ୍ୟ ଏହା କି ପ୍ରକାର ସମ୍ମାନ କହି ସମାଲୋଚନା କରିଛନ୍ତି। ସଫେଇରେ ବିଜେଡ଼ି କହିଛି, ସୂର୍ଯ୍ୟ ପାତ୍ରଙ୍କୁ କୌଣସି ଅସମ୍ମାନ କରାଯାଇନାହିଁ। ଯେଉଁଠାରେ ତାଙ୍କର ମୃତଦେହ ରଖାଯାଇଥିଲା ତାହା ଶଙ୍ଖଭବନ ପରିସରରେ ହିଁ ଆସୁଛି।

ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀରକୁ ଶଙ୍ଖଭବନ ଭିତରକୁ ନନେବା ପଛର ବିଭିନ୍ନ କାରଣକୁ ନେଇ ନାନା ଚର୍ଚ୍ଚା ହେଉଛି। ଯେହେତୁ ବାସ୍ତୁଶାସ୍ତ୍ର ଅନୁସାରେ ଭବ୍ୟ ଶଙ୍ଖଭବନ ନିର୍ମାଣ କରାଯାଇଛି ଏବଂ ଆମିଷ କିମ୍ବା ପାର୍ଥିବ ଶରୀର ନିଷେଧ ରହିଥିବା କୁହାଯାଉଛି । ଏପରିକି ଶଙ୍ଖଭବନରେ ଶଙ୍ଖର ପ୍ରତିକୃତି ସହ ପଥର ଖୋଦେଇ ମହାପ୍ରଭୁଙ୍କ ମୂର୍ତ୍ତି ବି ରହିଛି। ବାସ୍ତୁଶାସ୍ତ୍ର ଆଧାରରେ ଶଙ୍ଖଭବନରେ କଖାରୁ ସହ କଳସ ବି ଲଗାଯାଇଛି। ଏସବୁ କାରଣ ପାଇଁ ପାର୍ଥିବ ଶରୀରକୁ ଭିତରକୁ ନଆଣି କଡ଼ରେ ଥିବା କ୍ୱାର୍ଟରରେ ରଖି ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା କୁହାଯାଉଛି। କାରଣ ଯାହା ବି ହେଉନା କାହିଁକି ଏଭଳି କାର୍ଯ୍ୟକୁ ନେଇ ସୂର୍ଯ୍ୟ ପାତ୍ରଙ୍କ ସମର୍ଥକ କିନ୍ତୁ କ୍ଷୋଭ ପ୍ରକାଶ କରିଛନ୍ତି।

ତେବେ ଭୁବନେଶ୍ବର ସ୍ଥିତ ବାସଭବନ, ବିଧାନସଭା ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୂର୍ଯ୍ୟ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ସହ ଶେଷ ସମ୍ମାନ ଜଣାଇଥିଲେ ବି ଶଙ୍ଖଭବନରେ ଘଟିଥିବା ବ୍ୟତିକ୍ରମକୁ ନେଇ ଲାଗିରହିଛି ଚର୍ଚ୍ଚା।

 

  • Reported by:
  • JAGANATH SAHU , HARIHARA CHAND , CHANDAN PAIKRAY