Advertisment

ଭୋଟରଙ୍କ ଚରମ ନିଷ୍ପତ୍ତି: ବିକାଶ ନାହିଁ ତ ଭୋଟ୍ ନାହିଁ

ପଞ୍ଚାୟତ ନିର୍ବାଚନର ମଉକାବେଳେ ସରକାର ଓ ସରକାରୀ ଅବ୍ୟବସ୍ଥାର ତଣ୍ଟି ଧରିବାକୁ ଅଣ୍ଟା ଭିଡ଼ିଛନ୍ତି ଲୋକେ। ଶୁଣାଇଛନ୍ତି ଚରମ ନିଷ୍ପତ୍ତି।

author-image
Chandan Shishu
No work No vote

No work No vote

ବିକାଶ ନାହିଁ, ତ ଭୋଟ୍ ନାହିଁ। ପଞ୍ଚାୟତ ନିର୍ବାଚନର ମଉକାବେଳେ ସରକାର ଓ ସରକାରୀ ଅବ୍ୟବସ୍ଥାର ତଣ୍ଟି ଧରିବାକୁ ଅଣ୍ଟା ଭିଡ଼ିଛନ୍ତି ଲୋକେ। ଶୁଣାଇଛନ୍ତି ଚରମ ନିଷ୍ପତ୍ତି। କେଉଁଠି ବୈଠକ କରି ମେଳି କରୁଛନ୍ତି ତ ଆଉ କେଉଁଠିି ଡାକବାଜି ଯନ୍ତ୍ରରେ ପ୍ରଚାର ସହ ଶୋଭାଯାତ୍ରା କରୁଛନ୍ତି। ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅଞ୍ଚଳରେ ଅଧିକାଂଶ ପଞ୍ଚାୟତର ବହୁ ଇଲାକାରେ ଗମନାଗମନ ବ୍ୟବସ୍ଥା ନାହିଁ, ମୋବାଇଲ୍ ନେଟ୍ୱର୍କ ନାହିଁ। ନିର୍ବାଚନ ଆସିଲେ ନେତା ଆସୁଛନ୍ତି, ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଭୋଟ୍ ପରଠୁ କେହିଁ ଆଡ଼ ଆଖିରେ ବି ଅନାଉ ନାହାଁନ୍ତି। ଯାହାକୁ ନେଇ ଏହି ବ୍ଲକର ପାରପୋଷି, ଝରାଗୋଗୁଆ, ଝାରମୁଣ୍ଡା, ଗଣ୍ଡମ, ଦିମିରିକୁଦା ପଞ୍ଚାୟତର ଅସନ୍ତୁଷ୍ଟ ଜନତା ଜନାର୍ଦ୍ଦନ, ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଏପରିକି ସରପଞ୍ଚଠୁ ୱାର୍ଡସଭ୍ୟ ଯାଏଁ, କୌଣସି ଗୋଟିଏ ହେଲେ ପଦବୀ ପାଇଁ କେହି ବି ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି।

Advertisment

ଆଦିବାସୀ ବହୁଳ କୋରାପୁଟ ଲମତାପୁଟ ବ୍ଲକ ଆମ୍ବାପଡ଼ା ଗାଁ। ବସବାସ କରୁଛନ୍ତି ପ୍ରାୟ ଶହେଟି ପରିବାର। ମାଛକୁଣ୍ଡ ନଦୀ ଘେରାରେ ଥିବା ଏହି ଆଦିବାସୀ ସଂପ୍ରଦାୟଙ୍କ ପାଇଁ ଭଲ ରାସ୍ତା ନାହିଁ। ଗାଁଠୁ ମାଛକୁଣ୍ଡ ରାସ୍ତା ଦୂରତା ମାତ୍ର ୧ କିଲୋମିଟର। ହେଲେ ସେହି ରାସ୍ତାଯାଏଁ ପହଞ୍ଚିବାକୁ ହେଲେ ଭଙ୍ଗାଦଦରା କାଠ ଡଙ୍ଗାରେ ୧୨ କିଲୋମିଟର ପାରିହେବାକୁ ପଡ଼େ। ଚାରିଆଡ଼େ ପାଣି ଥିଲେ ବି ପିଇବା ପାଇଁ ମୁନ୍ଦାଏ ନଥିବାରୁ ହୀନସ୍ତା ବି ହେଉଛନ୍ତି ସମସ୍ତେ। ସ୍ୱାସ୍ଥ୍ୟସେବା ତ ଦୂରର କଥା, ଏହି ବିପଦସଙ୍କୁଳ ସ୍କୁଲ ହିଁ ପିଲାଙ୍କ ପାଠପଢ଼ା ପାଇଁ ସାଜିଛି ମାଧ୍ୟମ। ଗୁହାରୀ କଲେ ନା ନେତା ଶୁଣୁଛନ୍ତି ନା ଅଫିସର। ତେଣୁ ବିକାଶଠୁ ଦୂରରେ ଥିବା ଅଞ୍ଚଳବାସୀ ଭୋଟ୍ ବର୍ଜନ ପାଇଁଁ  ନିଷ୍ପତ୍ତି ନେଇଛନ୍ତି। ଲମତାପୁଟ ଭଳି କନ୍ଧମାଳରେ ବି ସମାନ ଅବସ୍ଥା। ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଓ ମୋବାଇଲ୍ ନେଟୱାର୍କ ସମସ୍ୟାକୁ ପ୍ରସଙ୍ଗ କରି ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଆଡ଼ାସୀପଡ଼ା ବାସିନ୍ଦା। ଏପରିକି ଏଟାରେ ଜଣେ ବି ନାମାଙ୍କନ ଦାଖଲ କରିନାହାଁନ୍ତି।

ଉପାନ୍ତ କଥା ଛାଡ଼ନ୍ତୁ, ଉପକୂଳରେ ତାପୁଣି ମନ୍ତ୍ରୀଙ୍କ ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପୈତୃକ ଗାଁ ପୁରୀ ଜିଲ୍ଲା ନଗର ପଞ୍ଚାୟତ ବାଲିଡିଆରେ ଶୁଦ୍ଧ ପାଣି ପାଇଁ ଲୋକେ ପ୍ଲାଷ୍ଟିକ କୁଣ୍ଡ ଓ ବାଲଟିରେ ବାଲିଗୋଡ଼ି ପକାଇ ନିର୍ମାଣ କରିଛନ୍ତି ଦେଶୀ ଜଳଯନ୍ତ୍ର। ଏହା ସହାୟତରେ ପାଣି ଛାଣି ପିଉଛନ୍ତି ସମସ୍ତେ। ଅସ୍ତରଙ୍ଗ ବ୍ଲକର ୭ଟି ପଞ୍ଚାୟତରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ତେଣୁ ଅସନ୍ତୁଷ୍ଟ ହୋଇ ପଞ୍ଚାୟତ ନିର୍ବାଚନରେ ନେତାଙ୍କ ଆଗରେ ଏହି ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ଭୋଟର୍ସ।

Advertisment

ରିପୋର୍ଟ: ସିଦ୍ଧାର୍ଥ ଗୁରୁ, ଜଗଜୀବନ କାଚ୍ଛିମ, ତ୍ରିନାଥ ସାହୁ, ସଞ୍ଜୟ ପତି

Odisha Panchayat Election No Work No Vote
Advertisment
Advertisment