Advertisment

ଚାଲୁନି ବିଧାନସଭା ! ତିନି ଦିନ ହେଲା ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ

ରାଜ୍ୟପାଳଙ୍କ ପୁଅ ବିବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ସତ୍ତ୍ୱେ ନଛୋଡ଼ବନ୍ଧା ବିଜେଡି । ସର୍ବଦଳୀୟ ବୈଠକ ଫେଲ୍ ।

author-image
Satyendu Shekher Mishra
undefined

Odisha Assembly

ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ। ଲଗାତାର ତୃତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା। ଗୃହ ବାରମ୍ବାର ମୁଲତବୀ। ଜିଦ୍‌ରେ ଅଟଳ ବିଜେଡି, ଆଉ କଂଗ୍ରେସ୍ ପ୍ରସଙ୍ଗ ବଦଳାଇ କରୁଛି ଆଟାକ୍। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ଫେଲ୍। ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଦୋହରାଇଥିଲେ ପୁରୁଣା ପ୍ରସଙ୍ଗ। ରାଜ୍ୟପାଳଙ୍କ ପୁଅ ବିବାଦକୁ ନେଇ ଦାବି କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ବିବୃତି। ଏମିତି କି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ସାମିଲ ହେବନି କହି ଗୃହରୁ ୱାକ ଆଉଟ୍ କରିଥିଲେ ବିଜେଡି ବିଧାୟକ।

Advertisment

ଅନ୍ୟପଟେ କେନ୍ଦ୍ର ବଜେଟ୍‌ରେ ଓଡ଼ିଶାକୁ ଅବହେଳା ଅଭିଯୋଗ ନାରା ଦେଇ ଗୃହ ମଧ୍ୟଭାଗକୁ ପଶିଥିଲେ କଂଗ୍ରେସ ବିଧାୟକମାନେ। ଯା'ଫଳରେ ଗୃହକୁ ପ୍ରଥମେ ସାଢେ ୧୧ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି। ସାଢେ ୧୧ଟାରେ ସର୍ବଦଳୀୟ ବୈଠକ ଡାକି ପୁଣି ୧୨ଟା ଯାଏଁ ଗୃହକୁ ମୁଲତବୀ ରଖାଯାଇଥିଲା। ହେଲେ ସର୍ବଦଳୀୟ ବୈଠକରେ ନିଷ୍କର୍ସ ନ ବାହାରିବାରୁ ୪ଟା ଯାଏଁ ମୁଲତବୀ ହୋଇଥିଲା।

୪ଟା ପରେ ଉପବାଚସ୍ପତି ନିର୍ବାଚନରେ ବିରୋଧୀ ଉପସ୍ଥିତ ରହିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଶୂନ୍ୟ ଥିଲା ଗୃହ। ଯାହାକୁ ନେଇ ଗୃହ ବାହାରେ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଥିଲେ ଶାସକ-ବିରୋଧୀ।

Advertisment

ନୂଆ ସରକାର ଆସିବା ପରେ ଅନେକ କିଛି ଆଶା ରଖିଛନ୍ତି ରାଜ୍ୟବାସୀ। ଖାସ୍ କରି ବିଧାନସଭାରେ ସାଧାରଣ ଲୋକଙ୍କ ସହ ଜଡିତ କେଉଁ ପ୍ରସଙ୍ଗ ଉଠିବ ତା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ଆରମ୍ଭରୁ ଏମିତି ସ୍ଥିତି ଦେଖିବାକୁ ମିଳିଛି। ବଡ଼ କଥା ହେଉଛି ବିରୋଧୀ ଉଠାଇଥିବା ପ୍ରସଙ୍ଗରେ ନିଜେ ଆଇନ ମନ୍ତ୍ରୀ ସ୍ପଷ୍ଟ କରି ସାରିଛନ୍ତି ଯେ, ଜିଲ୍ଲାପାଳ ତଦନ୍ତ କରୁଛନ୍ତି। ତଦନ୍ତ ରିପୋର୍ଟକୁ ଅପେକ୍ଷା ଅଛି, ଆଇନ ତା ବାଟରେ ଯିବ। କିନ୍ତୁ ତା ସତ୍ତ୍ୱେ ବି ନଛୋଡବନ୍ଧା ବିଜେଡି।

ବଡ କଥା ହେଲା ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଗତକାଲି ବିଜେଡି ପକ୍ଷରୁ ଶୂନ୍ୟକାଳରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ତା ଉପରେ ଆଲୋଚନା ପାଇଁ ମଧ୍ୟ ବାଚସ୍ପତି ଗ୍ରହଣ କରିଥିଲେ। କିନ୍ତୁ ଗତକାଲି ବି ଗୃହକୁ ସଂପୂର୍ଣ୍ଣ ଅଚଳ କରିଦେଇଥିଲା ବିଜେଡି। ପ୍ରଶ୍ନ ଉଠୁଛି, କଣ ନିର୍ଦ୍ଦିଷ୍ଟ ଗୋଟିଏ ପ୍ରସଙ୍ଗ ଛଡା, ସରକାରଙ୍କୁ ଘେରିବାକୁ ବିଜେଡି ପାଖରେ ଆଉ କୌଣସି ଇସ୍ୟୁ ନାହିଁ। ନା ବିଜେଡି ଗୃହ ଚଳାଇ ଦେବାକୁ ଚାହୁଁନାହିଁ? ରାଜନୈତିକ ସମୀକ୍ଷକଙ୍କ ମତରେ ଅପ୍ରତ୍ୟାଶିତ ପରାଜୟ ପରେ ବିଧାନସଭାରେ ନିଜ ବଡ଼ ଉପସ୍ଥିତି ଜାହିର କରିବା ପାଇଁ ଗୃହକୁ ଅଚଳ କରୁଛି ବିଜେଡି।

ଚଳିତ ଥର ରେକର୍ଡ ସଂଖ୍ୟକ ୮୪ ଜଣ ନୂଆ ବିଧାୟକ ପ୍ରଥମ ଥର ବିଧାନସଭାକୁ ଆସିଛନ୍ତି। ତେଣୁ ଗୃହ ପରିଚାଳନାରେ ବିରୋଧୀଙ୍କ ଏମିତି ଆଚରଣକୁ ଅନେକ ନାପସନ୍ଦ କରିଛନ୍ତି । ଏସବୁ ଭିତରେ ଆସନ୍ତାକାଲି ଆସିବ ମୋହନ ସରକାରଙ୍କ ପ୍ରଥମ ବଜେଟ୍। ତେଣୁ ଆଗକୁ ବିରୋଧୀଙ୍କ ଆଭିମୁଖ୍ୟ କଣ ରହୁଛି ତା ଉପରେ ନଜର।

BJD BJP Congress Odisha Politics
Advertisment
Advertisment