• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

NDAକୁ ଫେରିଲେ...ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ବନିଲେ...। ୨୦୨୦ ନିର୍ବାଚନ ପରେ ତୃତୀୟ ଥର ଏବଂ ଦେଢ଼ ବର୍ଷ ଭିତରେ ଦ୍ୱିତୀୟ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ 'ଖିଲାଡ଼ି ନେତା' ନୀତୀଶ କୁମାର। ସମୟ- ଅପରାହ୍ଣ ୫ଟା । ପାଟନା ସ୍ଥିତ ରାଜଭବନ । ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର । ସଭାସ୍ଥଳରେ ଉପସ୍ଥିତ ଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । RJDକୁ ବାଏ ବାଏ କରି, ବିଜେପି ନେତୃତ୍ୱାଧୀନ NDAରେ ସାମିଲ ହୋଇ ଆଜି ନୂଆ ସରକାର ଗଢ଼ିଛନ୍ତି ଜେଡିୟୁ ନେତା ନୀତୀଶ କୁମାର।

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦୁଇ ବରିଷ୍ଠ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା। ସମ୍ରାଟ ବିହାର ବିଜେପି ସଭାପତି ଥିବା ବେଳେ, ବିଜୟ ଥିଲେ ବିଧାନସଭାରେ ବିରୋଧୀ ଦଳ ନେତା। ଖାଲି ଏତିକି ନୁହେଁ, ଆଜି ଅନ୍ୟ ୬ ନେତା ବି ମନ୍ତ୍ରୀ ଭାବେ ନେଇଛନ୍ତି ଶପଥ । ସେମାନେ ହେଲେ- JDUର ବିଜେନ୍ଦ୍ର ପ୍ରସାଦ ଯାଦବ, ବିଜୟ କୁମାର ଚୌଧୁରୀ ଓ ଶ୍ରବଣ କୁମାର, BJPର ପ୍ରେମ କୁମାର, HAM ମୁଖ୍ୟ ଜିତନ ରାମ ମାଂଝୀଙ୍କ ପୁଅ ସନ୍ତୋଷ ସୁମନ ଏବଂ ନିର୍ଦ୍ଦଳୀୟ ବିଧାୟକ ସୁମିତ କୁମାର ସିଂ।

ଗତ କିଛି ଦିନର କଳ୍ପନାଜଳ୍ପନାକୁ ସତ କରି, ଆଜି ଦିନ ୧୧ଟା ୨୦ରେ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇଥିଲେ ନୀତୀଶ କୁମାର। ପୁଣି ୧୨ଟା ୪୦ରେ NDAର ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଇ ରାଜ୍ୟପାଳଙ୍କ ନିକଟରେ ନୂଆ ସରକାର ଗଠନ ପାଇଁ ଦାବି ଜଣାଇଥିଲେ ନୀତୀଶ। ଗଣମାଧ୍ୟମକୁ କହିଥିଲେ- ଦେଢ଼ ବର୍ଷର ମେଣ୍ଟରେ କିଛି ସ୍ଥିତି ଠିକ୍ ଲାଗିଲାନି। ଏବେ ନୂଆ ମେଣ୍ଟ ସହ ଆଗକୁ ବଢ଼ିବା ସମୟ ଆସିଛି।

କ୍ଷମତାରେ ରହିବାର କଳାରେ ମାହିର୍ ୭୨ ବର୍ଷୀୟ ନୀତୀଶ କୁମାର । ତାଙ୍କ ଦଳ ଥରୁଟିଏ ବି ସଂଖ୍ୟା ଗରିଷ୍ଠତା ହାସଲ କରିନି। ହେଲେ ସେ ବିହାରରେ ସବୁଠୁ ଲମ୍ବା ଅବଧି ପାଇଁ ରହିଥିବା ମୁଖ୍ୟମନ୍ତ୍ରୀ । ୨୦୦୫ରୁ ୨୦୧୪ ଏବଂ ୯ ମାସର ବ୍ୟବଧାନ ପରେ ପୁଣି ୨୦୧୫ରୁ ଏବେ ଯାଏଁ । ମୋଟ ୯ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେଣି ନୀତୀଶ । ଟ୍ରାକ୍ ରେକର୍ଡକୁ ଦେଖିଲେ, ୧୭ ବର୍ଷ NDAରେ ରହିବା ପରେ ୨୦୧୩ରେ ତାକୁ ବାଏ ବାଏ କରିଥିଲେ ନୀତୀଶ କୁମାର । ଲାଲୁଙ୍କ RJD ଓ କଂଗ୍ରେସ ସହ ମହାଗଠବନ୍ଧନ କରି ନିର୍ବାଚନ ଲଢିଥିଲେ । ତେବେ ୨୦୧୭ରେ ହଠାତ ପୁଣି NDAକୁ ଏବଂ ୨୦୨୨ରେ ପୁଣି ମହାଗଠବନ୍ଧନକୁ ଡେଇଁଥିଲେ । ଆଉ ଆଜି ପୁଣି NDAର ହାତ ଧରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେଥିପାଇଁ ବୋଧେ ତାଙ୍କ ବାସଭବନ ଆଗରେ ହୋର୍ଡିଂ ଲାଗିଛି- ନୀତୀଶ ସବକେ ହେଁ।

ନୀତୀଶଙ୍କ ଆଜିର ପଲିଟିକାଲ୍ ୟୁ-ଟର୍ଣ୍ଣ ପରେ ବିଜେପି ଶିବିରରେ ଉତ୍ସବର ମାହୋଲ୍। ପୁଣି ଥରେ ଦଳ କ୍ଷମତାକୁ ଫେରିଥିବାରୁ ଉତ୍ସାହିତ ନେତା ଓ କର୍ମୀ। ନୀତୀଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦି । ତେବେ ଅନ୍ୟପଟେ RJDକୁ ଦୁଃସ୍ୱପ୍ନ ସତ ହୋଇଗଲା, ଲାଗିଛି ଶକ୍ତ ଧକ୍କା । ମାତ୍ର ଦେଢ଼ ବର୍ଷର କ୍ଷମତାଭୋଗ ପରେ, ଅଚାନକ ସରକାରରୁ ବିଦା ହେବାକୁ ପଡ଼ିଛି ଲାଲୁଙ୍କ ଦଳକୁ। ରାତାରାତି ଉପମୁଖ୍ୟମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହୋଇଥିବା ତେଜସ୍ୱୀ ଯାଦବ କହିଛନ୍ତି- ଖେଲ୍ ଅଭି ବାକି ହୈ। ୨୦୨୪ରେ ଜେଡିୟୁର ଅନ୍ତ ଘଟିବ।

ନୀତୀଶ ମହାଗଠବନ୍ଧନ ସହ ସଂପର୍କ ଛିନ୍ନ କରି NDAରେ ମିଶିବା ପରେ, ‘ଇଣ୍ଡି’ ମେଣ୍ଟକୁ ଲାଗିଛି ବଡ଼ ଝଟକା। କାରଣ ନୀତୀଶ ଥିଲେ ଏହି ଗଠବନ୍ଧନର ଅନ୍ୟତମ ପ୍ରମୁଖ ଉଦ୍ୟୋକ୍ତା । ତାଙ୍କର ମୁଡ୍ ସ୍ୱିଙ୍ଗ୍, କେବଳ ‘ଇଣ୍ଡି’ ମେଣ୍ଟକୁ ଦୁର୍ବଳ କରିନି, ବରଂ ୨୦୨୪ ମହାଲଢ଼େଇ ପାଇଁ ମେଣ୍ଟର ମନୋବଳକୁ ଦୋହଲାଇ ଦେଇଥିବା କୁହାଯାଉଛି। କଂଗ୍ରେସ କ୍ଷୁବ୍ଧ ହୋଇ ନୀତୀଶ କୁମାରଙ୍କୁ କଟାକ୍ଷ କରିଛି। ନୀତୀଶଙ୍କ ଏହି ପଟ-ପରିବର୍ତ୍ତନ ୨୦୨୪ରେ ତାଙ୍କୁ ଏବଂ NDAକୁ କିଭଳି ଫାଇଦା ଦେଉଛି, ଏବେ ତା ଉପରେ ନଜର।