Advertisment

ନବୀନଙ୍କ ଗଡ଼ରେ ନରହତ୍ୟାର ଲୋମଟାଙ୍କୁରା ଟ୍ରେଣ୍ଡ, ୨୪ ବର୍ଷରେ ଶହେ ମର୍ଡର !

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଉଦବେଗ । ହିଞ୍ଜିଳିରେ ୨୪ ବର୍ଷରେ ଶହେ ହତ୍ୟାକାଣ୍ଡ ତଥ୍ୟକୁ ନେଇ ହଟଚମଟ ।

author-image
Satyendu Shekher Mishra
undefined

Naveen- Hinjili

ଖୋଦ୍ ନବୀନଙ୍କ ଗଡ଼ ହିଞ୍ଜିଳିରେ ୨୪ ବର୍ଷ ଭିତରେ ଗଡ଼ିଛି ଶହେ ଶହେଟି ମୁଣ୍ଡ। ଆଜି ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ତଥ୍ୟ ରଖିବା ପରେ ସୃଷ୍ଟି ହୋଇଛି କଂପନ । ନିଜ ହାତରେ ଗୃହ ବିଭାଗକୁ ରଖି ଅପରାଧମୁକ୍ତ ଶାସନର କଥା କହି ଆସିଥିବା ନବୀନଙ୍କ ହିଞ୍ଜିଳିରେ ଏଭଳି ରକ୍ତଚରିତ୍ରକୁ ନେଇ ଦେଖାଦେଇଛି ଉଦବେଗ । ଆଶ୍ଚର୍ଯ୍ୟଜନକ କଥା ହେଲା, ଏସବୁ ମାମଲାରୁ ମାତ୍ର ୯ଟିରେ ହିଁ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇ ପାରିଛି। 

Advertisment

ସୁଶାସନର ଡିଣ୍ଡିମ୍ ପିଟୁଥିଲେ ୨୪ ବର୍ଷ ଧରି । ହିଂସାମୁକ୍ତ ଶାସନର କଥା କହି ମାରୁଥିଲେ ତୁଚ୍ଛା ବାହାଦୂରୀ ! ହେଲେ ନବୀନଙ୍କ ଗଡ଼ରେ ନରହତ୍ୟାର ଟ୍ରେଣ୍ଡ୍ ଖୋଲିଛି ବିଜେଡି ଶାସନର ଅସଲ ମୁଖା ଫିଟିଛି ରକ୍ତଚରିତ୍ରର ଲୋମଟାଙ୍କୁରା ରହସ୍ୟ। ୨୪ ବର୍ଷ ଭିତରେ ନବୀନଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଗଡ଼ିଛି ଶହେ ଜଣଙ୍କ ମୁଣ୍ଡ।

ଆଜି ଗୃହରେ ଏଭଳି ଉଦବେଗଜନକ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲିଖିତ ଉତ୍ତରରେ ଦର୍ଶାଇଛନ୍ତି, ୨୪ ବର୍ଷ ଭିତରେ ହିଞ୍ଜିଳିରେ ଶହେଟି ହତ୍ୟାକାଣ୍ଡ ହୋଇଥିବା ବେଳେ ମୋଟ୍ ୩୨୮ ହତ୍ୟାକାରୀଙ୍କୁ ଧରାଯାଇଛି। ହେଲେ ସେହି ଶହେଟି ମାମଲାରୁ ମାତ୍ର ୯ଟିରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଥିବା ବେଳେ ୨୨ଟି ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ୬୯ଟି ମାମଲା ରହିଛି ବିଚାରାଧୀନ। କେବଳ ଏତିକି ନୁହେଁ, ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ ଧରପଗଡ଼ ବେଳେ ପୋଲିସ ଉପରକୁ ୩୭ଟି ମାମଲାରେ ଗୁଳି ଚଳାଇଛନ୍ତି ଅପରାଧୀ।

Advertisment

୨୦୦୯, ଅଗଷ୍ଟ । ହିଞ୍ଜିଳିରେ ଡବଲ୍ ମର୍ଡର। ଜୟରାମ ପାଣିଗ୍ରାହୀ ଏବଂ ଗୌରୀଶଙ୍କର ପଣ୍ଡାଙ୍କୁ କିଭଳି ହତ୍ୟା କରାଯାଇଥିଲା, ସମସ୍ତେ ଦେଖିଥିଲେ। ୨୦୧୦, ସେପଟେମ୍ବର । ଯୁବ ପୋଲିସ ଅଧିକାରୀ ତଥା ଶେରଗଡ଼ OIC ମନୋରଂଜନ ମିଶ୍ରଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ୨୦୨୨, ମାର୍ଚ୍ଚ । କମେଣ୍ଟମରାରୁ ଉପୁଜିଥିବା ଗୋଷ୍ଠୀ ସଂଘର୍ଷରେ ଯାଇଥିଲା ୪ ଜୀବନ। ୨୦୨୩, ସେପଟେମ୍ବର। ଶେରଗଡ଼ ଥାନା କୁମାରପାଣି ଗାଁରେ ପୂର୍ବତନ ସରପଞ୍ଚ ମଧୁସୂଦନ ବିଶୋୟୀଙ୍କୁ ସଂଘବଦ୍ଧ ହତ୍ୟା କରାଯାଇଥିଲା ।

ପ୍ରଶ୍ନ ଉଠୁଛି, ବିଜେଡି ଶାସନ ସମୟରେ ନବୀନଙ୍କ ଗଡ଼ରେ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇ ରଖୁଥିଲା କି ପୋଲିସ୍? ଶହେ ଶହେଟି ହତ୍ୟାକାଣ୍ଡରୁ ମାତ୍ର ୯ଟି ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରିଥିବା ପୋଲିସ କାହା ଇସାରାରେ ନିୟନ୍ତ୍ରଣ କରୁଥିଲା ଆଇନଶୃଙ୍ଖଳା ?

ସୁଧୁରି ଯାଅ, ନଚେତ୍ ସୁଧାରିବାକୁ ନୂଆ ସରକାର ପାଖରେ ବିକଳ୍ପ ବ୍ୟବସ୍ଥା ଅଛି। ବିଧାନସଭା ଗୃହ ଭିତରୁ ଅପରାଧୀଙ୍କୁ ଏଭଳି ଚେତାବନୀ ଦେବା ସହ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ପାଇଁ କଡ଼ା ଚେତାବନୀ ଶୁଣାଇଥିଲେ ମୁଖ୍ୟମନ୍ତ୍ରୀ। ଏବେ ଅପେକ୍ଷା, ଅପରାଧ ଆଉ ଅପରାଧୀଙ୍କ ଗତିବିଧି ଉପରେ କେତେ ଶୀଘ୍ର ନିୟନ୍ତ୍ରଣ ଆଣିବାରେ ସଫଳ ହେଉଛି ନୂଆ ସରକାର।

ସେପଟେ ଗଂଜାମ ହିଂଜିଳି ଥାନା ପିତ୍ତଳ ଛକରେ ୪ ଜଣଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଦୋଷୀ ବିରୋଧରେ ରାୟ ଶୁଣାଇଛନ୍ତି ଆସିକା ଏଡିଜେ କୋର୍ଟ। ଆସାମୀ ମାନେ ହେଲେ ଅମୀୟ କୁମାର ସ୍ୱାଇଁ, ବାହାନ ପତି ବେହେରା, ସନ୍ତୋଷ ସ୍ୱାଇଁ, ମିଲନ ସ୍ୱାଇଁ ଏବଂ ଚନ୍ଦ୍ରସେନ ସେଠୀ। ୨୦୨୨ ମାର୍ଚ୍ଚରେ ନରେନ୍ଦ୍ରପୁର ଗାଁର ମଙ୍ଗୁଳୁ ସ୍ବାଇଁଙ୍କ ୪ ପୁଅ ରାଜା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ପାଣ୍ଡବ ସ୍ୱାଇଁ ଏବଂ ଚନ୍ଦନ ସ୍ୱାଇଁଙ୍କୁ ହତ୍ୟା ପିଟିପିଟି ହତ୍ୟା କରାଯାଇଥିଲା। କମେଣ୍ଟମରାକୁ କେନ୍ଦ୍ର କରି ୪ ଭାଇଙ୍କୁ ହତ୍ୟା କରିଥିଲେ ଆସାମୀ। ଏହାକୁ ନେଇ ସେତେବେଳେ ଚାଞ୍ଚଲ୍ୟ ଖେଳିଯାଇଥିଲା ସାରା ଜିଲ୍ଲାରେ।

BJD BJP Congress Odisha Politics
Advertisment
Advertisment