/odishatv-khabar/media/post_attachments/uploadimage/library/16_9/16_9_0/Naba_Das__1678457413.jpg)
Naba Das
ହୋହଲ୍ଲା...ପାଟିତୁଣ୍ଡ...ନାରାବାଜି । ନବ ହତ୍ୟା ପ୍ରସଙ୍ଗକୁ ନେଇ ପୁଣି କଂପିଲା ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଭଳି ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ବି ସମାନ ଚିତ୍ର । ପୂରା ଆଟାକିଂ ମୋଡରେ ବିଜେପି ଓ କଂଗ୍ରେସ। ନିଶାନାରେ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ନବ ହତ୍ୟା ମାମଲାର ପର୍ଦାଫାସ କରିବାରେ କ୍ରାଇମବ୍ରାଞ୍ଚ ଓ ସରକାରଙ୍କ ବିଫଳତାକୁ ଦାୟୀ କରି ସିଧା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ଉଭୟ ଦଳ।
ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ନାରାବାଜି କରିବାରୁ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ଏହା ପରେ ଶୂନ୍ୟକାଳ ଏବଂ ଅପରାହ୍ନ ଅଧିବେଶନରେ ବି ହଟ୍ଟଗୋଳର ଧାରା ଜାରି ରହିବାରୁ ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଥିଲା । ବିଜେପି ଅଭିଯୋଗ କରିଛି, ନବ ହତ୍ୟାର ୪୧ ଦିନ ପରେ ବି କ୍ରାଇମ ମୋଟିଭ୍ ସାମ୍ନାକୁ ଆଣିନି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡରେ ବଡ଼ ବଡ଼ିଆଙ୍କ ହାତ ଥିବା ସହ ଏନେଇ ରାଜ୍ୟ ପ୍ରଶାସନର ଟପ୍ ଲେବୁଲରେ ଷଡ଼ଯନ୍ତ୍ର ହୋଇଥିବା କହି ବିଜେପି ପୁଣି ସିବିଆଇ ତଦନ୍ତ ଓ କଂଗ୍ରେସ ଏସ୍ଆଇଟି ତଦନ୍ତ ଦାବି ଦୋହରାଇଛି। ଯାହାର ଜବାବ ରଖିଛି ବିଜେଡି ।
ଏପଟେ ଅଭିଯୁକ୍ତ ଗୋପାଳ ମାନସିକ ରୋଗୀ ନୁହେଁ ବୋଲି ମେଡିକାଲ ବୋର୍ଡ ଉଲ୍ଲେଖ କରି ସାରିଥିଲେ ବି କ୍ରାଇମବ୍ରାଞ୍ଚ ତଦନ୍ତ କିନ୍ତୁ କେବଳ ଗୋପାଳ ଚାରିପାଖେ ବୁଲିବା ଏବଂ ହତ୍ୟାକାଣ୍ଡର ବ୍ୟକ୍ତିଗତ, ରାଜନୈତିକ କିମ୍ବା ବ୍ୟାବସାୟିକ ଦିଗରେ ତଦନ୍ତ ହେଉ ନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ନବଙ୍କ ସମର୍ଥକ ଓ ସ୍ଥାନୀୟ ବାସିନ୍ଦା ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏହି ଜଘନ୍ୟ ହତ୍ୟାକାଣ୍ଡ ବାବଦରେ ଝାରସୁଗୁଡା, ଲଖନପୁର ଅଚଂଳର ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ତଥା ନବଙ୍କ ଅନ୍ତରଂଗମାନେ ଜାଣିଥିବାରୁ ମୁହଁ ବନ୍ଦ ପାଇଁ ସେମାନଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ କରିଥିଲେ ବିଜୟ । ତେଣୁ ସେ ଜିଲ୍ଲା ପରିଷଦ ସଦସ୍ୟମାନେ କିଏ ଏବଂ ତାଙ୍କୁ କି ଧମକ ଦିଆଯାଇଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)