Advertisment

ରି-ଓପନ୍‌ ହେବ ଫାଇଲ ! ୩ ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ହେବ ପର୍ଦ୍ଦାଫାସ୍...

ମନ୍ତ୍ରୀ ନବ ଦାସ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାର ହେବ ପୁନଃ ତଦନ୍ତ । ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାର ପୁନଃ ତଦନ୍ତ ନେଇ ଆଇନମନ୍ତ୍ରୀଙ୍କ ସୂଚନା ।

author-image
Satyendu Shekher Mishra
undefined

Naba Das

ପୁଣି ଥରେ ଖୋଲିବ ଅନେକ ପୁରୁଣା ଫାଇଲ୍। ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଦେଢ଼ ବର୍ଷ ପରେ, ପୁଣି ଏହି କେସ୍ ରି-ଓପନ୍ କରିବେ ବିଜେପି ସରକାର । ଏନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Advertisment

୨୦୨୩- ନବ ଦାସ ହତ୍ୟାକାଣ୍ଡ । ୨୦୨୧- ମମିତା ମେହେର ହତ୍ୟାକାଣ୍ଡ । ୨୦୦୮- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ । ପୁଣି ଖୋଲିବ ଏହି ୩ ବହୁଚର୍ଚ୍ଚିତ ହତ୍ୟା ମାମଲାର ପୁରୁଣା ଫାଇଲ୍ । କେଉଁ ସତ ଲୁଚାଇବାକୁ ଚେଷ୍ଟା କରିଥିଲେ ତତ୍କାଳୀନ ବିଜେଡି ସରକାର ? ଅନେକ ମର୍ଡର୍ ମିଷ୍ଟ୍ରିର ଗୁମର ଖୋଜିବାକୁ ବିଜେପି ସରକାରର ବଡ଼ ନିଷ୍ପତ୍ତି ।

୨୦୨୩ ଜାନୁଆରୀ ୨୯ । ଝାରସୁଗୁଡ଼ା ବ୍ରଜରାଜନଗରକୁ ଏକ କାର୍ଯ୍ୟକ୍ରମରେ ଯାଇଥିଲେ ତତ୍କାଳୀନ ମନ୍ତ୍ରୀ ନବ ଦାସ । ଭିଡ଼ ଭିତରେ ପଶି ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲା ASI ଗୋପାଳ ଦାସ । ଘଟଣାସ୍ଥଳରୁ ଗୋପାଳ ଗିରଫ ହୋଇଥିବା ବେଳେ ସୁରକ୍ଷାକର୍ମୀ ଓ ସମର୍ଥକଙ୍କୁ ଚକମା ଦେଇ ସେ କିପରି ଏ କାଣ୍ଡ ଭିଆଇଲା, ଏହା ପଛର କାରଣ କଣ, କୌଣସି ଷଡ଼ଯନ୍ତ୍ର ଅଛି କି, ଏସବୁର ଉତ୍ତର ଏବେବି ରହସ୍ୟ ଘେରରେ। ମାମଲାର ତଦନ୍ତଭାରକୁ ତତ୍କାଳୀନ ବିଜେଡି ସରକାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ବି, ହତ୍ୟାକାଣ୍ଡର ପ୍ରକୃତ କାରଣ ଉପରୁ ପରଦା ହଟିନି।

Advertisment

ଏବେ ଘଟଣାକୁ ଦେଢ଼ ବର୍ଷ ବିତିସାରିଥିବା ବେଳେ, ଏହି କେସ୍ ରିଓପନ୍ କରିବାକୁ ନିଷ୍ପତ୍ତି ନିଆଯାଇଥିବା, ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ନବ ଦାସ ଜଣେ ବିଜେଡି ନେତା ହେଲେ ମଧ୍ୟ ସେ ଜଣେ ମନ୍ତ୍ରୀ ଥିଲେ। ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ହାଲୁକା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।

ଓଡ଼ିଶା ଇତିହାସରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା ଘଟଣା ପ୍ରଥମ ହୋଇଥିବା ବେଳେ, ସେତେବେଳେ ଏହା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା ଏବଂ ଓଡ଼ିଶାର ଆଇନଶୃଙ୍ଖଳା ଚିତ୍ରକୁ ମଳିନ କରିଥିଲା। ଆଇନମନ୍ତ୍ରୀଙ୍କ ନିଷ୍ପତ୍ତି ସୂଚନା ପରେ, ବିଜେପି ବିଜେଡିକୁ ଟାର୍ଗେଟ୍ କରିବା ସହିତ, ଘଟଣାର ନିରପେକ୍ଷ ପୁନଃତଦନ୍ତ ହେବା ଦରକାର ବୋଲି କହିଛି। ଘଟଣା ପଛର ପ୍ରକୃତ ସତ୍ୟାସତ୍ୟ ସାଧାରଣ ଜନତାଙ୍କର ଜାଣିବା ଅଧିକାର ଅଛି ବୋଲି କହିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ଅନ୍ୟପକ୍ଷରେ ବିଜେଡି ବି ଏନେଇ ପ୍ରତିକ୍ରିୟା ରଖିଛି ।

ମମିତା ମେହେର ହତ୍ୟା ମାମଲା ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାର ବି ଫିଟିବ ଗୁମର। ସେତେବେଳେ ସରକାରଙ୍କ ଦ୍ବାରା ଚାପି ଦିଆଯାଇଥିବା ଏଭଳି ଅନେକ ପୁରୁଣା କେସ୍ ରିଓପନ କରାଯିବ ଏବଂ ପୁଣିଥରେ ନୂଆ କରି ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ। ୨୦୨୧ରେ କଳାହାଣ୍ଡି ମହାଲିଙ୍ଗର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଏବଂ ସେଥିରେ ବିଜେଡି ନେତା ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍ ଅଭିଯୋଗ ସେତେବେଳେ ଜୋରଦାର ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା। ତେବେ ୨୦୨୨ରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ପରେ, ଶୀତଳଭଣ୍ଡାରକୁ ଚାଲିଯାଇଛି ଏହାର ତଦନ୍ତ ପ୍ରକ୍ରିୟା।

ସେହିଭଳି ଆଉ ଏକ ବହୁଚର୍ଚ୍ଚିତ ମାମଲା ହେଉଛି- ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କ ୪ ଶିଷ୍ୟଙ୍କୁ ହତ୍ୟା ମାମଲା। କନ୍ଧମାଳରେ ବ୍ୟାପକ ସାଂପ୍ରଦାୟିକ ହିଂସାକୁ ଜନ୍ମ ଦେଇଥିବା ଏହି ଲୋମହର୍ଷକ ଘଟଣାର ଅନେକ ଦିଗ ଏବେବି ସନ୍ଦେହ ଘେରରେ ରହିଛି। ତେଣୁ ଏସବୁ ପୁରୁଣା ପେଡ଼ିରୁ କେଉଁ ମହାଗୁମର ପଦାକୁ ଆସୁଛି, ତା ଉପରେ ନଜର।

BJD BJP Congress Odisha Politics
Advertisment
Advertisment