• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାରାଷ୍ଟ୍ର ରାଜନୀତିରେ ଜାରି ରହିଛି ହଟଚମଟ । ଘଡିକେ ଘୋଡା ଛୁଟୁଛି । ଗତକାଲି ଭର୍ଚୁଆଲ ମୋଡ୍‌ରେ ଶିବସେନା କର୍ପୋରେଟରମାନଙ୍କୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଦଳ ତାଙ୍କୁ ଅଯୋଗ୍ୟ, ଅପାରଗ ଭାବିଲେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଏଭଳି ଘଟଣା ଘଟିବ ବୋଲି ସେ ପୂର୍ବରୁ ସନ୍ଦେହ କରୁଥିଲେ । କିଛିଦିନ ପୂର୍ବରୁ ଏକନାଥ ସିନ୍ଦେ କିଛି ଶିବସେନା ବିଧାୟକ ବିଜେପିରେ ମିଶିବାକୁ ଚାହୁଁଥିବା କହିଥିଲେ । କୌଣସି ପରିସ୍ଥିତିରେ ଏପରି ହେବାକୁ ଦିଆଯିବ ନାହିଁ ବୋଲି ଉଦ୍ଧବ ସ୍ପଷ୍ଟ କରିଦେଇଥିବା କର୍ପୋରେଟର ମାନଙ୍କୁ ଜଣାଇଥିଲେ । କଂଗ୍ରେସ ଓ ଏନସିପି ତାଙ୍କୁ ସମର୍ଥନ କରୁଥିବା ବେଳେ ନିଜ ଦଳ ପଛରୁ ଛୁରୀମାଡ କରିଛନ୍ତି ବୋଲି ଉଦ୍ଧବ କହିଛନ୍ତି ।

ତେବେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଭିତରେ ଏନସିପି ମୁଖ୍ୟ ଶରଦ ପାଓ୍ୱାରଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗତକାଲି ସନ୍ଧ୍ୟାରେ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ଦଳ ଭିତରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡିଛି । ଏହାରି ଭିତରେ ଉଦ୍ଧବ ଠାକରରେ ଆଜି ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡକାଇଛନ୍ତି । ଏହି ବୈଠକରେ ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା ହୋଇପାରେ ।

ଏଭଳି ସଂକଟ ଭିତରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀଙ୍କ ବଳ ବଢୁଛି । ସିନ୍ଦେ କ୍ୟାମ୍ପରେ ସାମିଲ ହେଉଛନ୍ତି ଜଣଙ୍କ ପରେ ଜଣେ ବିଧାୟକ । ପ୍ରମାଣ ଦେବାକୁ ଯାଇ ତାଙ୍କୁ ସମର୍ଥନ କରୁଥିବା ବିଧାୟକମାନଙ୍କୁ ଗୌହାଟି ହୋଟେଲରେ ପରେଡ୍ କରାଇଛନ୍ତି ସିନ୍ଦେ । ଏଥିସହିତ ସିନ୍ଦେଙ୍କୁ ଶିବସେନା ନେତା ଭାବେ ଗୃହରେ ମାନ୍ୟତା ଦେବା ଲାଗି ୩୭ ବିଧାୟକଙ୍କ ହସ୍ତାକ୍ଷର ସମ୍ବଳିତ ଚିଠି ଉପବାଚସ୍ପତି ନରହରି ଜିରଓ୍ୱାଲଙ୍କୁ  ଦିଆଯାଇଛି । ସେପଟେ ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ନୋଟିସ୍ ପଠାଯାଇପାରେ ବୋଲି ସୂଚନା ମିଳିଛି । ଏପରି ହେଲେ ବିଦ୍ରୋହୀ ବିଧାୟକମାନଙ୍କୁ ମହାରାଷ୍ଟ୍ରକୁ ଫେରିବାକୁ ପଡିବ ।