• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଢ଼େ ୮ ବର୍ଷ ପରେ ହେଉଥିବା ପୌର ନିର୍ବାଚନ ପାଇଁ ଯାଜପୁର ପୌରାଞ୍ଚଳରେ ସରଗରମ ରାଜନୀତି ପାଣିପାଗ । ସବୁଠୁ ଅଧିକ ଫୋକସ୍ ପୌରାଧ୍ୟକ୍ଷ ନିର୍ବାଚନକୁ ନେଇ, କାରଣ ୩୦ ବର୍ଷ ପରେ ପୌରାଧ୍ୟକ୍ଷ ପଦ ପାଇଁ ହେଉଥିବା ସିଧାସଳଖ ନିର୍ବାଚନ ଲାଗି ମୈଦାନରେ ଅଛନ୍ତି ୩ ଜଣ ପ୍ରାର୍ଥୀ । ପ୍ରଚାରକୁ ହାତରେ ଆଉ କମ୍ ସମୟ । ତେଣୁ ପ୍ରସଙ୍ଗ ଆଉ ପ୍ରତିଶ୍ରୁତିର ପସରା ଧରି ଭୋଟରଙ୍କୁ ମନେଇବାରେ ଜି ଜାନ୍ ଲଗେଇ ଦେଲେଣି ପ୍ରାର୍ଥୀ ।

ଯାଜପୁର ପୌରପାଳିକା ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚିତ ମ୍ୟୁନିସିପାଲଟି । 25 ବର୍ଷ ହେଲା ଏଠି ବିଜେଡିର ଦବଦବା । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ପୌରପାଳିକା ବାସିନ୍ଦା ହୋଇଥିବାରୁ ନିର୍ବାଚନ ପ୍ରସ୍ତୁତି ଓ ରଣନୀତିରେ ଟିକେ ଆଗରେ ରହିଛି । ଦଳ ସମର୍ଥକଙ୍କ ସହ ସହରର ୱାର୍ଡରୁ ୱାର୍ଡ ବୁଲି ସମର୍ଥନ ଯୋଗାଡରେ ଲାଗିଛନ୍ତି ଦଳୀୟ ପ୍ରାର୍ଥୀ ରଞ୍ଜୁଲତା ହୋତା ।

ସେପଟେ କେବେବି ପୌରାଧ୍ୟକ୍ଷ ପଦ ହାତେଇନଥିବା ବିଜେପି ଏଥର ପ୍ରତ୍ୟକ୍ଷ ନିର୍ବାଚନରେ ବାଜି ମାରିବାକୁ ଆଶା ବାନ୍ଧିଛି । ସହରର ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ପାଖରେ ପହଁଚୁଛନ୍ତି ଦଳୀୟ ପ୍ରାର୍ଥୀ ଜ୍ୟୋତିର୍ମୟୀ ଦ୍ୱିବେଦୀ । କଂଗ୍ରେସ ବି ପଛରେ ପଡିନି । ଅଧିକରୁ ଅଧିକ କାଉନସିଲର ସହ ପୌରାଧ୍ୟକ୍ଷ ପଦ ଦଖଲ ଲାଗି ସାହି ଗଳିରେ ପ୍ରଚାର କରୁଛନ୍ତି ଦଳର ପ୍ରାର୍ଥୀ ପ୍ରିୟଦର୍ଶିନୀ ସାମନ୍ତ ।

ଦଳୀୟ ଅଙ୍କକଷା ଓ ପ୍ରାର୍ଥୀଙ୍କ ଘମାଘୋଟ ପ୍ରଚାର ଭିତରେ ପ୍ରାର୍ଥୀଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛି ପୌରାଂଚଳର ବିଭିନ୍ନ ସମସ୍ୟା । ଭେଣ୍ଡିଂ ଜୋନର ବ୍ୟବସ୍ଥା ନଥିବାରୁ ଆଜିବି ରାସ୍ତା କଡରେ ବସି ବ୍ୟବସାୟ କରୁଛନ୍ତି ଉଠା ଦୋକାନୀ । ଅନେକ ୱାର୍ଡରେ କେନ୍ଦ୍ର ସରକାରଙ୍କ ଆବାସ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହେଉଛି । ବିକାଶ ନାଁରେ ସହରରେ ବର୍ଷ ବର୍ଷ ଧରି ଚାଲିଥିବା ବହୁ ଅସଂପୂର୍ଣ୍ଣ ପ୍ରକଳ୍ପ, ସହରର ଅନେକ ସ୍ଥାନରେ ନାଳ ନର୍ଦ୍ଦମା, ରାସ୍ତା ଓ ପରିମଳ ସମସ୍ୟାକୁ ନେଇ ବି ଭୋଟରଙ୍କ ଅସନ୍ତୋଷ ରହିଛି ।

ଯାଜପୁରରୁ ସଞ୍ଜୀବ ନାୟକଙ୍କ ରିପୋର୍ଟ ଓଟିଭି