• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 

ଗୁପ୍‌ଚୁପ୍‌ ଧରି ପ୍ରଚାର କରୁଛନ୍ତି କଂଗ୍ରେସ ପ୍ରାର୍ଥୀ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଂଗ୍ରେସର ଜଣେ ମହିଳା ପ୍ରାର୍ଥୀ ସାହିକୁ ସାହି ବୁଲି ସାଙ୍ଗରେ ଗୁପ୍‌ଚୁପ ଧରି ପ୍ରଚାର କରୁଛନ୍ତି । ଆଉ ଲୋକଙ୍କୁ ଗୁପ୍‌ଚୁପ୍‌ ଖାଇବାକୁ ମଧ୍ୟ ଦେଉଛନ୍ତି । ଲୋକମାନେ ବି ଗୁପଚୁପ୍‌ ଖାଇବାକୁ ବେଶ୍‌ ଆଗ୍ରହ ଦେଖାଉଛନ୍ତି । ଆଉ ଖାଉଛନ୍ତି । ଏହି ମହିଳା ଗୁପଚୁପ୍‌ ବିକାଳୀ ଜଣକ ଏବେ କଂଗ୍ରେସ ଦଳ ପକ୍ଷରୁ ଚେୟାରମ୍ୟାନ ସିଟ୍‌ ପାଇଁ ଲଢେଇ କରୁଛନ୍ତି । ଯାହାକୁ ନେଇ ପୂରା ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

 

ନୂଆପଡ଼ା ଜିଲ୍ଲା ଖରିଆରରୋଡ୍‌ର ଏନଏସି ଅଧ୍ୟକ୍ଷ ପଦକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି । କାରଣ ଏହି ସିଟ୍‌ ପାଇଁ ଲଢେଇ କରୁଛନ୍ତି ଜଣେ ଗୁପଚୁପ୍‌ ବିକାଳି । ଏନଏସିର ୪ ନମ୍ବର ୱାର୍ଡରେ ରହୁଛନ୍ତି ହୃଷିକେଶ କୋଠାରଙ୍କ ପରିବାର । ଆଉ ପ୍ରତିଦିନ ନିଜର ଏହି ଠେଲା ଗାଡ଼ିରେ ଗୁପଚୁପ୍‌, ଚାର୍ଟ, ଭେଲପୁରୀ ଧରି ଗାଁକୁ ଗାଁ ବୁଲନ୍ତି । ଆଉ ଏନଏସି ଅଫିସ୍‌ ସାମ୍ନାରେ ଠେଲା ଲଗାଇ ଗୁପଚୁପ୍‌ ବେପାର କରନ୍ତି ହୃଷିକେଷ କୋଠାର ଓ ପୂର୍ଣ୍ଣମାଶୀ କୋଠାର ।

ବେପାର କରିବା ସମୟରେ ଉଭୟ ସ୍ୱାମୀ-ସ୍ତ୍ରୀ ଅନେକ ଗରିବ ଲୋକଙ୍କୁ ଅତି ପାଖରୁ ଦେଖନ୍ତି ଏବଂ ସେମାନଙ୍କ ଯନ୍ତ୍ରଣାକୁ ବୁଝିପାରନ୍ତି । ହେଲେ ସେମାନଙ୍କୁ ସାହାଯ୍ୟ କରିବାକୁ ଏହି ଦମ୍ପତିଙ୍କ ପାଖରେ ସେତିକି ଟଙ୍କା ନଥାଏ । ତେଣୁ ମନରେ ଇଚ୍ଛା ଥିଲେ ମଧ୍ୟ ସେମାନେ କାହାକୁ ସାହାଯ୍ୟ କରିପାରନ୍ତି ନାହିଁ । ଆଉ ସାହାଯ୍ୟର ମନୋବୃତ୍ତି ପାଇଁ ଆଜି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ପୂର୍ଣ୍ଣମାଶୀ ।

ପୂର୍ଣ୍ଣମାଶୀ ବିଏବିଇଡ଼ି କରିଛନ୍ତି । ହେଲେ ସ୍ୱାମୀଙ୍କୁ ସାହାଯ୍ୟ କରିବାକୁ ଗୁପଚୁପ୍‌ ବେପାର କରିବାକୁ ଯାଉଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନରେ ନିଜ ସମର୍ଥକଙ୍କ ସହ ଗାଁ ଗାଁ ବୁଲି ଭୋଟ୍‌ ମାଗୁଛନ୍ତି ଆଉ ସନ୍ଧ୍ୟା ହେବା ମାତ୍ରେ ସ୍ୱାମୀଙ୍କୁ ସାହାଯ୍ୟ କରିବା ପାଇଁ ଗୁପଚୁପ୍‌ ବିକ୍ରି କରୁଛନ୍ତି । ପୂର୍ଣ୍ଣମାଶୀ କହିଛନ୍ତି, ମୁଁ ଗରିବି କଣ ବୁଝିଛି, ବିଶ୍ୱାସ ରହିଛି ଲୋକମାନେ ମତେ ଭୋଟ୍‌ ଦେବେ । ଆଉ ମୁଁ ଭୋଟ୍‌ରେ ଯଦି ବିଜୟ ହୁଏ ତେବେ ଲୋକଙ୍କ କଥା ନିଶ୍ଚୟ ଶୁଣିବି ଓ ସେମାନଙ୍କ ଦୁଃଖ ଦୂର କରିବି । ସେ ଯାହା ବି ହେଉ, ଜଣେ ଗୁପଚୁପ୍‌ ବିକାଳୀ ଏବେ ଚେୟାରମ୍ୟାନ ପଦ ପାଇଁ ଲଢେଇ କରୁଥିବାରୁ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।