• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରରେ ଲାଠି ଚାର୍ଜ । ବିଜେବି କଲେଜସ୍ଥିତ ଷ୍ଟ୍ରଙ୍ଗ ରୁମ୍‌ ସମ୍ମୁଖରେ ପ୍ରବଳ ଭିଡ଼ । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କଲା ଲାଠି ଚାର୍ଜ । ଅଭିଯୋଗ ଅନୁଯାୟୀ ବିଜେବି କଲେଜସ୍ଥିତ ଷ୍ଟ୍ରଙ୍ଗରୁମ୍‌ ସିଲ୍‌ ହେବା ପରେ ଜଣେ ବ୍ୟକ୍ତି ଭିତରକୁ ପଶିବାର ଲୋକେ ଦେଖିଥିଲେ । ଏହାପରେ କ୍ଷିପ୍ର ବେଗରେ ବ୍ୟାପିଥିଲା ଖବର । ଆଉ ଷ୍ଟ୍ରଙ୍ଗରୁମ୍‌ ସାମ୍ନାରେ ଜମିଥିଲା ଭିଡ଼ । ବେକରେ ଏକ ପରିଚୟପତ୍ର ଝୁଲାଇ ସଂପୃକ୍ତ ଯୁବକ ପଶିଥିବା ଅଭିଯୋଗ ହୋଇଛି ।

ତେବେ ଯୁବକ ଜଣକ ଷ୍ଟ୍ରଙ୍ଗ ରୁମ୍‌ରେ ପଶିବା ସହ ମଝିରେ ମଝିରେ ଏଲ୍ଇଡି ଟିଭି ଅଚଳ ହେଉଥିବାରୁ ଲୋକଙ୍କ ସନ୍ଦେହ ବଢ଼ିଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାସହ ସିସିଟିଭି ରେକର୍ଡିଂ ଠିକ ଭାବେ ହେଉନଥିବା ଲୋକ ଅଭିଯୋଗ କରିଛନ୍ତି । ଏହାପରେ ଉକ୍ତ ବ୍ୟକ୍ତିକୁ ଆକ୍ରମଣ କରିଥିଲେ ସାଧାରଣ ଜନତା ।

ପୋଲିସ ଯେତେ ବୁଝା ସୁଝା କରିଥିଲେ ବି ଲୋକେ ବୁଝି ନଥିଲେ । ଫଳରେ ବାଧ୍ୟ ହୋଇ ପୋଲିସ ଷ୍ଟ୍ରଙ୍ଗରୁମ୍‌ ସାମ୍ନାରେ ଲାଠି ଚାର୍ଜ କରିଥିଲା । ଏହାସହ ଉକ୍ତ ବ୍ୟକ୍ତିକୁ ଉଦ୍ଧାର କରିଥିଲା । ଲୋକଙ୍କ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ଏବେ ବି ଉତ୍ତେଜନା ଜାରି ରହିଛି । ଲୋକଙ୍କୁ ବୁଝାଇବାକୁ ଏଡିଏମ୍ ଏବଂ ପୋଲିସ ଅଧିକାରୀ ଉଦ୍ୟମ ଚଳାଇଛନ୍ତି । ପୋଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ଦେଖିବାକୁ ମିଳିଛି ।