• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୌର ନିର୍ବାଚନ ପାଇଁ କମ୍ପୁଛି ମୈଦାନ । ବିଭିନ୍ନ ରାଜନୈତିକ ଦଳ ସମେତ ଅନ୍ୟ ପ୍ରାର୍ଥୀମାନେ ପୋଷ୍ଟର ବ୍ୟାନର ଓ ମାଇକ୍ ଲଗାଇ ଭୋଟରଙ୍କ ଧ୍ୟାନ ଆକର୍ଷଣ କରିବା ସହିତ କର୍ମୀ ଓ ସମର୍ଥକଙ୍କ ସହ ବିଭିନ୍ନ ସାହି ବସ୍ତିରେ ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ତେବେ ଚଳିତ ନିର୍ବାଚନରେ ଏମିତିବି କିଛି ପ୍ରାର୍ଥୀ ଅଛନ୍ତି, ଯେଉଁମାନଙ୍କ ପାଖରେ ନା ଅଛନ୍ତି କର୍ମୀ ନା ସମର୍ଥକ । ପୋଷ୍ଟର ବ୍ୟାନର ଖଣ୍ଡେ କରିବାକୁ ପାଖରେ ଅର୍ଥ ବି ନାହିଁ । ତଥାପି ଜିତିବା ପାଇଁ ଅଛି ପ୍ରବଳ ଇଛା ଓ ଆତ୍ମ ବିଶ୍ବାସ । ନିଜ ପାଇଁ ନିଜେ ସାଜିଛନ୍ତି ଷ୍ଟାର ପ୍ରଚାରକ । ଏକୁଟିଆ ଘରକୁ ଘର ଯାଇ ଚଳାଇଛନ୍ତି ପ୍ରଚାର ।

 ବଡ଼ବିଲ ପୌରାଧ୍ୟକ୍ଷ ପ୍ରାର୍ଥୀ ବ୍ରହ୍ମାନନ୍ଦ ପାଢ଼ୀ । ସେ ପାଗଳା ନନା ଭାବେ ବଡ଼ବିଲରେ ବେଶ୍ ପରିଚିତ  । ପେଷାରେ ସେ ହେଉଛନ୍ତି ଜଣେ ପୂଜକ । ବଡ଼ବିଲ ଚେୟାରମ୍ୟାନ ହେବାକୁ ତାଙ୍କର ପ୍ରବଳ ଇଛା । ସେ କହନ୍ତି ମାନବ ସେବାହିଁ ମାଧବ ସେବା । ଚେୟାରମ୍ୟାନ ହେଲେ ସେ ବଡ଼ବିଲର ସର୍ବାଙ୍ଗୀନ ବିକାଶ କରିବେ । ଆଉ ଏଥିପାଇଁ ଏକୁଟିଆ ଘରକୁ ଘର ଯାଇ ଲୋକଙ୍କୁ କହି ଭୋଟ ଭିକ୍ଷା କରୁଛନ୍ତି ।

ଅର୍ଥ କିମ୍ବା ସାମର୍ଥ୍ୟ ତାଙ୍କ ପାଖରେ ନାହିଁ । ତେଣୁ ସକାଳ ହେଲେ ନିଜ ସ୍କୁଟି ସହ କେଇଖଣ୍ଡ ପୁସିଂ କାର୍ଡ ଧରି ପାଗଳା ନନା ଏକୁଟିଆ ହିଁ ବାହାରି ପଡନ୍ତି ପ୍ରଚାର ମୈଦାନକୁ । ଯଥା ସମ୍ଭବ ଭୋଟରଙ୍କୁ ବୁଝାଇ ନିଜ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥାଆନ୍ତି ସେ । ଲୋକେ ତାଙ୍କୁ ସମର୍ଥନ କରୁଛନ୍ତି ଓ ସେ ନିଶ୍ଚିତ ଭାବେ ନିର୍ବାଚନରେ ବିଜୟଲାଭ କରିବେ ବୋଲି ଆଶା ବାନ୍ଧିଛନ୍ତି ନନା ।

ସେହିପରି ଯୋଡ଼ା ପୌରପାଳିକାର ପୂର୍ବତନ ଭାଇସ୍ ଚେୟାରମ୍ୟାନ ସୁରେନ୍ଦ୍ରନାଥ ଜେନା । ଏବେ ସେ ଯୋଡ଼ା ପୌରାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନୀ ରଣାଙ୍ଗନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ସେ ମଧ୍ୟ ଏକାଏକା ଭିନିଜର ସ୍କୁଟି ଧରି ଯୋଡ଼ା ପୌରାଞ୍ଚଳର ସମସ୍ତ ୧୪ଟି ୱାର୍ଡ ବୁଲି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି । ଲୋକବଳ କି ଅର୍ଥବଳ ତାଙ୍କ ପାଖରେ ନଥିଲେବି ଯୋଡ଼ାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ତତ୍ପରତା ପ୍ରକାଶ କରି ଜିତିବାକୁ ଉଦ୍ୟମ ଚଳାଇଛନ୍ତି । ଡୋର ଟୁ ଡୋର ବୁଲି ଭୋଟରଙ୍କୁ ଭେଟି ଯୋଡ଼ାର ସ୍ୱାଭିମାନ ରକ୍ଷା କରିବାକୁ ନିବେଦନ କରୁଛନ୍ତି ସୁରେନ୍ଦ୍ର । ତାଙ୍କର ବିଶ୍ୱାସ ଯୋଡ଼ାବାସୀ ନିଶ୍ଚିତ ଭାବେ ତାଙ୍କୁ ବିଜୟୀ କରିବେ ।

ସୂଚନାଯୋଗ୍ୟ ଦିନ କେଇଟା ପରେ ନିର୍ବାଚନ । ୨୬ରେ ଭୋଟ ଗଣତି ଓ ଫଳାଫଳ । ତେବେ ଲୋକଙ୍କ କିଏ ଆସ୍ଥା ଭାଜନ ହୋଇପାରୁଛି ଓ କିଏ ବିଜୟ ତିଳକ ପିନ୍ଧୁଛି ତାକୁହିଁ ଅପେକ୍ଷା ।