• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଲୁଗାଁ ଏକ ପର୍ଯ୍ୟଟନ ସ୍ଥଳ ସହ ଏକ ବ୍ୟବସାୟିକ ସହର । ଚିଲିକାର ମାଛ, ଚିଙ୍ଗୁଡ଼ି , କଙ୍କଡା କଥା ଯଦି କେହି ଭାବେ ତେବେ ବାଲୁଗାଁ କଥା ମନେପଡେ । ୧୯୮୨ରୁ ଏନଏସିର ମାନ୍ୟତା ପାଇବା ପରେ ତିଆରି ହୋଇଥିଲା ବିକାଶର ଷ୍ଟ୍ରାଟେଜି । ଏବେ ୧୧ଟି ଓାର୍ଡ଼ରେ ୧୨ହଜାର ୯ଶହ ୧୩ ଜଣ ଭୋଟରଙ୍କୁ ନେଇ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ଗଠିତ । ତେବେ ଏତେ ବର୍ଷ ପରେ ମଧ୍ୟ ବିକାଶର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି, ଦେଖିବାକୁ ମିଳୁଛି କେବଳ ଖାଲି ଉଚ୍ଚଉଚ୍ଚ ଅଟ୍ଟାଳିକା । ପୁଳାପୁଳା ସମସ୍ୟା ଭିତରେ ଏବେ ବାଲୁଗାଁବାସୀ ।

ବାଲୁଗାଁ ୧୯୮୨ ରୁ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ପାଇବାପରେ ୧୯୯୨ରୁ ଏଠି ନିର୍ବାଚନ ଆରମ୍ଭ ହୋଇଥିଲା ଆଉ ବିକାଶର ଷ୍ଟ୍ରାଟେଜି ତିଆରି ହୋଇଥିଲା । ହେଲେ ସରକାରୀ ସ୍ତରର ବିକାଶର ଏଠି ନାଗନ୍ଧ ବି ନାହିଁ । ପ୍ରତିଦିନ ଚିଲିକାକୁ ବୁଲିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନା ଅଛି ଏଠି ବସିବା ପାଇଁ ଜାଗା ନା ଅଛି ଗୋଟେ ସୁଲଭ ଶୌଚାଳୟ । ପ୍ରମୋଦ ଉଦ୍ୟାନ ତ ଦୂରର କଥା । ଗାଡି ପିଛା ପାର୍କିଙ୍ଗ ଫି ଆଦାୟ ହେଉଛି ହେଲେ, ଏନ.ଏ.ସି. ତରଫରୁ ଗାଡି ରଖିବା ପାଇଁ ସ୍ଥାନ ନିରୂପଣ କରାଯାଇନାହିଁ । ରାସ୍ତା କଡରେ ଗାଡିରଖିବା ହେଉଛି ସାର । ପର୍ଯ୍ୟଟନ ଋତୁରେ ଭିଡ କଥା ନକହିଲେ ଭଲ । ଅସରାଏ ବର୍ଷାହେଲେ ସାହିସାହି ଗଳିକନ୍ଦି ଏମିତିକି ଘରେଘରେ ପଶୁଛି ପାଣି । କା ଭାଁ କୋଉଠି କୋଉଠି ଡ୍ରେନ୍ ଅଛି ହେଲେ ପାଣି ନିଷ୍କାସନ ପାଇଁ ରାସ୍ତା ନାହିଁ, ଯେମିତି ଲାଗୁଛି ଏଠି ସେମିତି କିଛି ପ୍ଲାନ ନାହିଁ ।

ସେହିପରି ବାଲୁଗାଁ ଏନ.ଏ.ସି ର ପରିମଳ ବ୍ୟବସ୍ଥା କହିଲେ ନସରେ । ଗାଁ ମୁଣ୍ଡ , ଶିକ୍ଷାନୁଷ୍ଠାନ ଆଉ ରାସ୍ତା କଡରେ ପଡିଛି କୁଢ କୁଢ ଅଳିଆ ଆବର୍ଜନା । ଏପଟେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚରେ କିଣାହେଇଛି ଷ୍ଟିଲର ଡଷ୍ଟବିନ୍ ଆଉ ତିନି ଚକିଆ ଟ୍ରଲି । ସେ ସବୁ ଏବେ ଏନ.ଏ.ସି ବାରିପଟେ ଖତ ଖାଉଛି । ଶୁଣାଯାଉଛି ଏବେ ଡଷ୍ଟବିନ ବ୍ୟବହାର ପାଇଁ ସରକାର ମନା କରିଛନ୍ତି । ତେବେ ଏତେ ଗୁଡାଏ ଦାମୀ ଷ୍ଟିଲ ଡଷ୍ଟବିନ କିଣାହେଇ ଖତ ଖାଉଛି କାହା ସ୍ୱାର୍ଥରେ ବୋଲି ଅଭିଯୋଗ ହେଉଛି ।

ଟ୍ରାଫିକ୍ ବ୍ୟବସ୍ଥାର ବି ସେଇ ସମାନ ଅବସ୍ଥା । ବଜାର ମଧ୍ୟରେ ଗାଈଗୋରୁଙ୍କ ଅବାଧ ପ୍ରବେଶ । ଉଠା ଦୋକାନୀ ମାନଙ୍କ ପାଇଁ ନାହିଁ ସେମିତି କିଛି ସୁବିଧା ନା ଅଛି ଭେଣ୍ଡିଙ୍ଗ ଜୋନ । ବଜାର ଭିତରେ ଗାଡି ପାର୍କିଙ୍ଗ ବ୍ୟବସ୍ଥା ନଥିବା ସହ ଯଦି ବ୍ୟବସାୟ ପାଇଁ ବଡ ଗାଡି ଜିନିଷ ପତ୍ର ଖାଲି କରିବାପାଇଁ ରହିଗଲା ତେବେ ଟ୍ରାଫିକର ଅବ୍ୟବସ୍ଥା ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ । ତେବେ ନାହିଁ ନାହିଁରେ ଚାଲିଛି ଏବେ ବାଲୁଗାଁ ଏନ.ଏ.ସି । ମୁଣ୍ଡ ଉପରେ ଏବେ ପୌର ନିର୍ବାଚନ । କାହାକୁ ବାଛିବେ ଜନତା , କିଏ କରିବ ଏସବୁ ସମସ୍ୟାର ସମାଧାନ , ଏନେଇ ଉଠୁଛି ଏବେ ବଡ ପ୍ରଶ୍ନ ।

ଶକ୍ତି ପ୍ରସାଦ ମହାପାତ୍ର , ବାଲୁଗାଁ