• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚଳିତଥର ପ୍ରଥମ କରି ନୂଆ କରି ହୋଇଥିବା ଏନଏସିରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପ୍ରାର୍ଥୀଙ୍କ ସହ ଭୋଟରଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ନୂଆ ଏନଏସିରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦେଇ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ଭଦ୍ରକ ଜିଲ୍ଲା ଧାମନଗର ସହ ଚାନ୍ଦବାଲି ଏନଏସିରେ ନିର୍ବାଚନ ହେବ । ତାସହ ବାଲେଶ୍ୱର ରେମୁଣା ମଧ୍ୟ ନୂଆ ଏନଏସିର ମାନ୍ୟତା ପାଇବା ପରେ ସେଠାରେ ବି ମତଦାନ ହେବ । ଏପଟ ବରଗଡ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବି ନୂଆ କରି ନିର୍ବାଚନ ହେଉଛି ।

୨୦୧୭ ମାର୍ଚ୍ଚରେ ଭଦ୍ରକ ଧାମନଗରକୁ ରାଜ୍ୟ ସରକାର ଘୋଷଣା କଲେ ନୂଆ NAC । ଏହି NACରେ ରହିଛି ୧୧ଟି ଓ୍ୱାର୍ଡ । ଏଠାରେ ଭୋଟର ରହିଛନ୍ତି ୧୭ ହଜାର ୧୯୭ ଜଣ । ନିର୍ବାଚନରେ ଏଠାରେ ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିନ୍ଦ୍ୱନ୍ଦ୍ୱିତା ହେଉଛି । ୧୧ଟି ୱାର୍ଡର କାଉନସିଲର ପ୍ରାର୍ଥୀ ଭାବେ ୩୭ ଜଣ ପାର୍ଥୀ ମୈଦାନରେ ଅଛନ୍ତି । ଭୋଟରଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ମନାଇବାରେ ଲାଗିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ।

ଏପଟେ ୨୦୧୮ ମସିହାରେ ଭଦ୍ରକ ଚାନ୍ଦବାଲିକୁ ମିଳିଥିଲା ଏନଏନସି ମାନ୍ୟତା । ୧୫ଟି ୱାର୍ଡକୁ ନେଇ ଗଠିତ ଏହି ଏନଏସି । ଏଠାରେ ବି ପ୍ରଥମ ଥର ଏନଏସି ନିର୍ବାଚନ ହେଉଥିବାରୁ ଭୋଟର ଓ ପ୍ରାର୍ଥୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଏପଟେ ଏହି ଏନଏସିରେ ମାଳମାଳ ସମସ୍ୟା । ଅଧପନ୍ତରିଆ ନୂଆ ବସଷ୍ଟାଣ୍ତ ଠାରୁ ଆରମ୍ଭ କରି ପରିମଳ, ରାସ୍ତାଘାଟ ଆଦି ସମସ୍ୟା ଲାଗି ରହିଛି । ଏହାକୁ ଏବେ ବିରୋଧୀ ମୁଦା କରିଥିବା ବେଳେ ବିଜେଡି ବିକାଶର ନାରା ଦେଇ ନିର୍ବାଚନୀ ବୈତରଣୀ ପାରି ହେବାକୁ ଚେଷ୍ଟା କରୁଛି ।

ଏପଟେ ବାଲେଶ୍ୱର ରେମୁଣାକୁ ଏନଏସି ମାନ୍ୟତା ପରେ ପ୍ରଥମ ଥର ପାଇଁ ଏଠାରେ ନିର୍ବାଚନ ହେବ । ୧୩ଟି ୱାର୍ଡକୁ ନେଇ ଗଠିତ ରେମୁଣା ଏନଏସି ପ୍ରସିଦ୍ଧ କ୍ଷୀରଚୋରା ଗୋପିନାଥ ମନ୍ଦିର, ମେଡିକାଲ, ଶିକ୍ଷାନୁଷ୍ଠାନ ଆଦି ଏଠାରେ ରହିଛି । ଏଥିପାଇଁ ଏହା ଗୁରୁତ୍ୱ ବହନ କରୁଛି । ଏଠାରେ ବିଭିନ୍ନ ସମସ୍ୟା ରହିଥିବା ବେଳେ ଭୋଟରଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ମନାଇବାରେ ବ୍ୟସ୍ତ ସବୁ ଦଳର ପ୍ରାର୍ଥୀ ।

୨୦୧୭ରେ ନୂତନ ଭାବେ ଗଠିତ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଥମ ଥର କରି ପୌର ନିର୍ବାଚନ ହେଉଛି । ଏଠାରେ ସମୁଦାୟ ୧୧ଟି ୱାର୍ଡ । ସମସ୍ତ ଓ୍ୱାର୍ଡରେ ସମସ୍ୟା ଭରପୂର ରହିଛି । ଡ୍ରେନେଜ, ପାନୀୟ ଜଳ, ରାସ୍ତାଘାଟ ଏହି ଅଞ୍ଚଳର ମୁଖ୍ୟ ସମସ୍ୟା । ବିଜେପୁରବାସୀ ପ୍ରଥମ କରି ଏନଏସି ନିର୍ବାଚନ ସାମନା କରୁଥିବା ବେଳେ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏଠାରେ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖି ଲଢେଇ ।

ବିଜେପି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କୁ ବୁଝାଇବା ସହ ସ୍ଥାନୀୟ ସମସ୍ୟାକୁ ମୁଦା କରିଛି । ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ମନ୍ତ୍ରୀ ସୁଶାନ୍ତ ସିଂହ ନିଜେ ପ୍ରଚାର ମୈଦାନରେ । ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରି ଭୋଟ ହାତେଇବା ଲକ୍ଷ୍ୟରେ ବିଜେଡି ।

ତେବେ ସଚେତନ ଭୋଟର ନବ ଗଠିତ NACରେ ପ୍ରଥମ ଅଧ୍ୟକ୍ଷା ଭାବେ କାହାକୁ ଚୟନ କରିବେ ତାହା ନିର୍ବାଚନ ଫଳାଫଳ ପରେ ହିଁ ସ୍ପଷ୍ଟ ହେବ ।

ରିପୋର୍ଟର- ବାଲେଶ୍ୱରରୁ ରଣଜିତ ପାକଳ, ଚାନ୍ଦବାଲିରୁ ବାସୁଦେବ ଦାସ, ଭଦ୍ରକରୁ ପାର୍ଥସାରଥୀ ନାୟକ ଏବଂ ବରଗଡରୁ ଦୀପକ ଶର୍ମା