Advertisment

ଅନୁଗୋଳ ପୌରପାଳିକାରେ ଫ୍ୟାମିଲି ଫାଇଟ୍ : କାଉନସିଲର ପଦବୀ ପାଇଁ ବାପା ପୁଅ ଲଢେଇ

ରାଜନୀତିରେ ବାପପୁଅ ଲଢ଼େଇ ନୂଆ ହୋଇ ନଥିଲେ ମଧ୍ୟ ଅନୁଗୋଳ ପୌରପାଳିକାରେ କାଉନସିଲର ପଦବୀ ପାଇଁ ବାପା ପୁଅଙ୍କ ମଧ୍ୟରେ ଲଢ଼େଇକୁ ନେଇ ଏବେ ସମସ୍ତଙ୍କ ନଜର ମ୍ୟୁନିସିପାଲିଟିର ୫ ନମ୍ବର ୱାର୍ଡ ଉପରେ

author-image
Prangyan Parimita
Municipal Elections 2022

Municipal Elections 2022

ନିର୍ବାଚନ ତାରିଖ ପାଖେଇବା ସହ ସରଗରମ ହେବାରେ ଲାଗିଛି ପୌର ରାଜନୀତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ବାଚନରେ ଅବତୀର୍ଣ୍ଣ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ଚଳାଇଛନ୍ତି ଜୋରଦାର ଉଦ୍ୟମ । ଏହାରି ଭିତରେ ଅନୁଗୋଳ ପୌରପାଳିକାରେ ଚାଲିଥିବା ଫ୍ୟାମିଲି ଫାଇଟ ଏବେ ଚର୍ଚ୍ଚାରେ । ଅନୁଗୋଳ ପୌରପାଳିକା ୫ ନମ୍ବର ୱାର୍ଡ ପାଇଁ କାଉନସିଲର ପଦବୀ ପାଇଁ ବାପା ଭୀମସେନ ମାଣ୍ଡୋଠିଆ ଭାରତୀୟ ଜନତା ପାର୍ଟି (BJP) ତରଫରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ମଝିଆଁ ପୁଅ ରଣଜିତ ମାଣ୍ଡୋଠିଆ ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ପ୍ରାର୍ଥୀ ହୋଇ ପରସ୍ପର ବିରୋଧରେ ଲଢେଇ କରୁଛନ୍ତି ।

Advertisment

ରାଜନୀତିରେ ଏଭଳି ଲଢ଼େଇ ନୂଆ ହୋଇ ନଥିଲେ ମଧ୍ୟ ଅନୁଗୋଳ ପୌରପାଳିକାରେ କାଉନସିଲର ପଦବୀ ପାଇଁ ବାପା ପୁଅଙ୍କ ମଧ୍ୟରେ ଲଢ଼େଇକୁ ନେଇ ଏବେ ସମସ୍ତଙ୍କ ନଜର ମ୍ୟୁନିସିପାଲିଟିର ୫ ନମ୍ବର ୱାର୍ଡ ଉପରେ । ବାପା ପୁଅ ନିଜ ନିଜ ଅନ୍ଦାଜରେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି । ନିଜ ଉପରେ ବିଶ୍ୱାସ ରଖିବା ସହ ପୂର୍ବର କାର୍ଯ୍ୟକଳାପ ଏବଂ ଦଳର ଆଇଡୋଲୋଜିକୁ ନେଇ ନିର୍ବଚାନରେ ଉଭୟ ବାପା ପୁଅ ବିଜୟ ଲାଭ କରିବେ ବୋଲି ଆଶା କରିଥିବାବେଳେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚଳାଇଛନ୍ତି ଜୋରଦାର ପ୍ରୟାସ।

ଭୀମସେନଙ୍କ ପରିବାର ୫ନମ୍ବର ୱାର୍ଡରେ ବେଶ ଜଣାଶୁଣା । ୧୯୯୨ରେ ଭୀମସେନଙ୍କ ପତ୍ନୀ କାଉନସିଲର ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୦୩ରେ ଭୀମସେନ ୫ନମ୍ବର ୱାର୍ଡର ଥିଲେ କାଉନସିଲର । ୨୦୦୮ରେ ଭୀମସେନଙ୍କ ପୁଅ ରଣଜିତ ମାଣ୍ଡୋଠିଆ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୩ରେ ଭୀମସେନଙ୍କ ପତ୍ନୀ ପୁଣିଥରେ ୫ନମ୍ବର ୱାର୍ଡରୁ କାଉନସିଲର ଭାବେ ନିର୍ବାଚିତ ହେବା ସହ ଭାଇସ ଚେୟାରପର୍ସନ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ଏଥର ବାପା ଏବଂ ପୁଅ ୫ନମ୍ବର ୱାର୍ଡର କାଉନସିଲର ପଦବୀ ପାଇଁ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିବାବେଳେ ଭୋଟର କାହା ମଥାରେ ବିଜୟ ମୁକୁଟ ପିନ୍ଧାଇବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Advertisment

ଅନୁଗୋଳ ପୌରପାଳିକାରେ ମୋଟ ୨୩ଟି ୱାର୍ଡ ଥିବାବେଳେ ରହିଛନ୍ତି ୩୪ହଜାର ୨୯୩ ଜଣ ଭୋଟର । ପୌର ନିର୍ଵାଚନକୁ ସୁରଖୁରୁରେ କରିବା ପାଇଁ ପ୍ରଶାସନ ସମସ୍ତ ପଦକ୍ଷେପ ନେଇଥିବାବେଳେ ୫ ନମ୍ବର ୱାର୍ଡରେ ଅଛନ୍ତି ୧୧୪୭ ଜଣ ଭୋଟର (୬୧୨ ପୁରୁଷ ଭୋଟର,୫୩୫ ମହିଳା ଭୋଟର ) । ୫ନମ୍ବର ୱାର୍ଡର କାଉନସିଲର ପଦବୀ ପାଇଁ ବପା ପୁଅଙ୍କ ଲଢ଼େଇ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଭୋଟର କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ତାହା ଉପରେ ସମସ୍ତଙ୍କ ନଜର ।

ଅନୁଗୋଳରୁ ବିରଜା ପ୍ରସାଦ ଦାଶଙ୍କ ରିପୋର୍ଟ

Odisha Municipal Election
Advertisment
Advertisment