• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଯୋଦ୍ଧା ତାଲିକା ଚୂଡ଼ାନ୍ତ ପରେ ପୌର ଯୁଦ୍ଧ ପାଇଁ ସରଗରମ ମାହୋଲ । ୱାର୍ଡରୁ ୱାର୍ଡ, ସାହି, ଗଳିକନ୍ଦି ସବୁଠି ଜମି ଆସିଲାଣି ପ୍ରଚାର । ତାସାଙ୍ଗକୁ ଶୋଭାଯାତ୍ରା, ସଭା ସମିତି ମଧ୍ୟ ଆରମ୍ଭ ହୋଇଛି । ସହରୀ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ସବୁ ଦଳ ସ୍ୱତନ୍ତ୍ର ଷ୍ଟ୍ରାଟେଜି କରିଛନ୍ତି । ହେଭିୱେଟ୍ ନେତାମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବେ । ଏହାବ୍ୟତୀତ ଫେସବୁକ୍, ହ୍ୱାଟ୍ସଆପ୍ ଭଳି ସୋସିଆଲ୍ ମିଡିଆ ପ୍ଳାଟଫର୍ମ ଗୁଡ଼ିକର ବି ଭରପୁର ଉପଯୋଗ କରାଯାଉଛି । ତାଛଡ଼ା ଲୋକପ୍ରିୟ ସଂଗୀତର ଧୁନ୍‌ରେ ପ୍ରସ୍ତୁତ ହେଉଛି ନିର୍ବାଚନୀ ଗୀତ ।

ପୌର ପରୀକ୍ଷା ପାଇଁ ଚୂଡ଼ାନ୍ତ ହେଲା ପ୍ରାର୍ଥୀ ତାଲିକା । ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ମୋଟ୍ ୫୬୯ ପ୍ରାର୍ଥୀ ମୈଦାନରେ ଥିବା ବେଳେ କାଉନ୍‌ସିଲର୍ ଓ କର୍ପୋରେଟର୍ ଲାଗି ରହିଲେ ୫ ହଜାର ୮୪୨ ପ୍ରାର୍ଥୀ । ପ୍ରଚାର ପାଇଁ ହାତରେ ଆଉ ମାତ୍ର ସପ୍ତାହେ ସମୟ ଥିବାରୁ ଗଳିକନ୍ଦିରେ ଜମିଲାଣି କ୍ୟାଂପେନିଂ । ବିଜେଡି ସବୁ ସହରରେ ସ୍ଥାନୀୟ ନେତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସଭାପତି ଓ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ।

କୋଭିଡ୍ କଟକଣା ନଥିବାରୁ ସଭା, ସମିତି, ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା କରିବାକୁ ନେତାଙ୍କୁ କୁହାଯାଇଛି । ମେୟର ଓ ପୌରାଧ୍ୟକ୍ଷ ପ୍ରାର୍ଥୀମାନେ କର୍ପୋରେଟର୍ ଓ କାଉନସିଲର ପ୍ରାର୍ଥୀଙ୍କ ସହ ଏକାଠି ପ୍ରଚାର କରିବେ । ସହରୀ ଲୋକଙ୍କ ପାଇଁ ବିଜେଡି ସରକାରର ସ୍କିମ୍ ସଂପର୍କରେ ସେମାନେ ଅବଗତ କରିବେ। ସୋସିଆଲ୍ ମିଡିଆରେ ବି ଚାଲିଛି ପ୍ରଚାର । ତେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବା ସମ୍ଭାବନା ନାହିଁ ।

ସେପଟେ ନିର୍ବାଚନ ପ୍ରଚାରରେ ବିଜେପି ମଧ୍ୟ ପଛରେ ନାହିଁ । ଭୁବନେଶ୍ୱରରେ ୱାର୍ଡକୁ ୱାର୍ଡ ବୁଲି ପ୍ରଚାର କରୁଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅନ୍ୟ ସ୍ଥାନରେ ଦଳର ନେତାମାନେ ପ୍ରଚାରରେ ମାତିଛନ୍ତି । ରାଜ୍ୟ ସରକାରଙ୍କ ବିଫଳତା ଓ ସହରର ସମସ୍ୟା ସଂପର୍କରେ ଲୋକଙ୍କୁ ଅବଗତ କରାଉଛି ଦଳ । ଓ୍ୱାର୍ଡରୁ ଓ୍ୱାର୍ଡ ବୁଲି ପ୍ରଚାର ସହିତ ଫେସବୁକ୍, ଟୁଇଟର୍, ହ୍ୱାଟସ୍ଆପ୍, ଇନଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆ ପ୍ଳାଟଫର୍ମ ମାଧ୍ୟମରେ ପ୍ରଚାର ଚାଲିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ପ୍ରଚାର କରିବା ସମ୍ଭାବନା ରହିଛି ।

ସେପଟେ କଂଗ୍ରେସ୍ ଲାଗି କିଛି କିଛି ସ୍ଥାନରେ ପ୍ରାର୍ଥୀ ଦେବାରେ ସମସ୍ୟା ସୃଷ୍ଟି ହୋଇଛି । ତଥାପି ସ୍ଥାନୀୟ ନେତା, ଜିଲ୍ଲା ସଭାପତିମାନେ ପ୍ରଚାର ମଙ୍ଗ ଧରିଛନ୍ତି । ସେପଟେ ପ୍ରଚାର ଲାଗି ପ୍ରାର୍ଥୀମାନେ ପ୍ରସ୍ତୁତ କରୁଛନ୍ତି ଭିନ୍ନଭିନ୍ନ ଶୈଳୀର ଗୀତ । ଲୋକପ୍ରିୟ ଗୀତଗୁଡ଼ିକର ଟ୍ରାକ୍‌ରେ ତିଆରି ହେଉଛି ନିର୍ବାଚନୀ ଧୁନ୍ । ଏଥିଲାଗି ଷ୍ଟୁଡିଓରେ ବେଶ୍ ଭିଡ ଦେଖିବାକୁ ମିଳୁଛି ।

ପ୍ରଚାର ଯୁଦ୍ଧ ଭିତରେ ସହରୀ ଭୋଟର୍ କେଉଁ ଦଳ ଓ ପ୍ରାର୍ଥୀଙ୍କୁ ଗ୍ରହଣ କରୁଛନ୍ତି, ତା ଉପରେ ନଜର ରହିଲା ।

ରିପୋର୍ଟର- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ, ଭୁବନେଶ୍ୱରରୁ ଜଗଦୀଶ ଦାସ, ହରିହର ଚାନ୍ଦ