• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସସପେନ୍ସର ଅନ୍ତ ଘଟିଲା । ଭୁବନେଶ୍ୱର ମହାନଗର ପାଇଁ ମେୟର ପ୍ରାର୍ଥୀନୀ ଘୋଷଣା କଲେ ବିଜେପି, ବିଜେଡି, କଂଗ୍ରେସ୍‌। ସାହିତ୍ୟିକା ଡଃ ସୁନୀତି ମୁଣ୍ଡଙ୍କୁ ଯୋଦ୍ଧା ଭାବେ ମଇଦାନକୁ ଓହ୍ଲାଇଛି ବିଜେପି । ଆଜି ପ୍ରେସ୍ ମିଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁନୀତଙ୍କ ନାଁରେ ଦଳ ମୋହର ମାରିଥିବା ଘୋଷଣା କରିଛନ୍ତି । ତାସହ କହିଛନ୍ତି- ସୁନୀତି ରାଜନୀତିରେ ନୂଆ ହୋଇଥିଲେ ବି ଜଣେ ଉଚ୍ଚ ଶିକ୍ଷିତା । ଭୁବନେଶ୍ୱରବାସୀଙ୍କ ପାଇଁ ଏଭଳି ଜଣେ ପ୍ରାର୍ଥୀନୀଙ୍କ ଆବଶ୍ୟକତା ରହିଛି ।

ସେପଟେ ବିଜେପି ମେୟର ପ୍ରାର୍ଥୀନୀ ହେବା ପରେ ସୁନୀତି ପ୍ରଥମ ପ୍ରତିକ୍ରିୟା ରଖି କହିଛନ୍ତି କି ଆଗେ କଲମ ଧରୁଥିଲି ଏବେ କମଳ ଧରିବି। ରାଜଧାନୀବାସୀଙ୍କ ସବୁ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବି । ସୁନୀତି ଜଣେ ସୁସାହିତ୍ୟିକା ସହ ଦୀର୍ଘଦିନ ଧରି ସାମ୍ବାଦିକତା ମଧ୍ୟ କରିଛନ୍ତି । ସେପଟେ ଆଜି ମଧ୍ୟାହ୍ନରେ ବିଜେଡି ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ସୁଲୋଚନା ପୂର୍ବରୁ କଂଗ୍ରେସରେ ଥିଲେ, ପରେ ବିଜେଡିରେ ମିଶିବା ପରେ ରାଜ୍ୟ ଭିନ୍ନକ୍ଷମ କମିଶନର ଭାବେ ତାଙ୍କୁ ନିଯୁକ୍ତ କରିଥିଲେ ରାଜ୍ୟ ସରକାର ।

ରାଜନୀତିକୁ ଆସିବା ପୂର୍ବରୁ ସୁଲୋଚନା ବି ସାମ୍ବାଦିକତା କରୁଥିଲେ । ଏହା ପୂର୍ବରୁ ଗତକାଲି କଂଗ୍ରେସ, ଦଳର ଭୁବନେଶ୍ୱର ମେୟର ପ୍ରାର୍ଥିନୀ ଭାବେ ମଧୁସ୍ମିତା ଆଚାଯର୍ୟଙ୍କ ନାଁ ଘୋଷଣା କରିଥିଲା । ତେଣୁ ତିନି ଦଳ ମେୟର ଯୋଦ୍ଧାଙ୍କ ନାଁ ସ୍ପଷ୍ଟ ହେବା ପରେ ନିର୍ବାଚନରେ ତ୍ରିମୁଖୀ ଲଢେଇକୁ ନେଇ ସରଗରମ ରାଜଧାନୀ ରାଜନୀତି । ମହିଳା ନିର୍ଯାତନା, ସ୍ୱେରେଜ, ଡ୍ରେନେଜ, ସ୍ମାର୍ଟ ସିଟି ଅର୍ଥ ହରିଲୁଟ୍ ଭଳି ପ୍ରସଙ୍ଗକୁ ମୁଦ୍ଦା କରି ବିଜେପି ଓ କଂଗ୍ରେସ, ମେୟର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଧରି ରାଜଧାନୀବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରିବ କହିଛି ବିଜେଡି ।

 

ସେହିପରି କଟକ ମହାନଗର ନିଗମ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ବିଜେଡି ମଇଦାନକୁ ଓହ୍ଲାଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥିନୀ ଘୋଷଣା କରିଛି । ଭୁବନେଶ୍ୱର ଭଳି କଟକରେ ବି କଂଗ୍ରେସ ସବୁଠୁ ଆଗୁଆ ମେୟର ପ୍ରାର୍ଥୀନୀ ଭାବେ ପୂର୍ବତନ କର୍ପୋରେଟର ଗିରିବାଳା ବେହେରାଙ୍କ ନାଁରେ ମୋହର ମାରି ସାରିଛି ।

ପୌର ନିର୍ବାଚନ ପାଇଁ ମନୋନୟନପତ୍ର ଦାଖଲ ଶେଷ ହେବାକୁ ମଝିରେ ଆଉ ରହିଛି ମାତ୍ର ଦୁଇ ଦିନ । ସମୟ ସରି ଆସୁଥିବାରୁ ଶୋଭାଯାତ୍ରା ଓ ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ । ରାଜ୍ୟର ସମସ୍ତ ପୌରାଞ୍ଚଳରେ ଜୋରସରରେ ଚାଲିଛି ନୋମିନେସନ । ୯ରେ ନାମାଙ୍କନ ଯାଞ୍ଚ ପରେ ୧୪ ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବ ।

ରିପୋର୍ଟର- ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀ, ସୌମ୍ୟରଞ୍ଜନ ସାହୁ ଓ ଜଗଦୀଶ ଦାଶ