• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୌର ନିର୍ବାଚନ ପାଇଁ ଉଠୁଛି ପଡୁଛି ସହର ବଜାର । କମ୍ପୁଛି ପ୍ରଚାର ମଇଦାନ । ଭୋଟରଙ୍କୁ ମନାଇବାକୁ ଗଦା ଗଦା ପ୍ରତିଶୃତି ବି ମିଳୁଛି, ହେଲେ ଏଥର ନବଗଠିତ ୨ଟି ଏନଏସି ବରଗଡର ବିଜେପୁର ଓ ବାଲେଶ୍ୱରର ରେମୁଣାରେ ପ୍ରଥମ କରି ନିର୍ବାଚନ ହେଉଥିବାରୁ ସେଠାରେ ଉତ୍ସାହ ଟିକିଏ ଅଧିକ ଦେଖିବାକୁ ମିଳୁଛି । ଭୋଟରଙ୍କଠାରୁ ଆରମ୍ଭ କରି ପ୍ରାର୍ଥୀ ଏବଂ ରାଜନୈତିକ ଦଳ ଭିତରେ ଉତ୍କଣ୍ଠା କାହିଁରେ କଣ । ନୂଆ କରି ନିର୍ବାଚନ ହେବାକୁ ଥିବା ଏହି ଦୁଇ ଏନଏସିକୁ ହାତେଇବାକୁ ରାଜନୈତିକ ଦଳଙ୍କ କସରତ, ଭୋଟରଙ୍କ ମୁଡ୍ କଣ ଜାଣନ୍ତୁ..

ଚାଲିଛି ପ୍ରଚାର, କମ୍ପୁଛି ମଇଦାନ । ପ୍ରଥମ କରି ପୌର ନିର୍ବାଚନର ସାମ୍ନା କରୁଥିବା ବିଜେପୁରରେ ଏବେ ସରଗରମ ରାଜନୀତି । ଏଠାରେ କଂଗ୍ରେସ, ବିଜେଡି, ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଛି । ୨୦୧୭ରେ ନୂତନ ଭାବେ ୧୧ଟି ୱାର୍ଡକୁ ନେଇ ଗଠିତ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମସ୍ୟା ଅନେକ ରହିଛି । ଡ୍ରେନେଜ ବ୍ୟବସ୍ଥା,ପାନୀୟ ଜଳ ଓ ରାସ୍ତାଘାଟ ଏହି ଅଞ୍ଚଳର ମୁଖ୍ୟ ସମସ୍ୟା, ଯାହାକୁ ମୁଖ୍ୟ ମୁଦା କରିଛନ୍ତି ବିରୋଧୀ । ବିକାଶର କଥା କହି ବିଜେଡି ମାଗୁଛି ଭୋଟ୍ । ପ୍ରଚାରରେ କିନ୍ତୁ ପଛରେ ପଡ଼ିଛି କଂଗ୍ରେସ ।

ସେହିପରି ନୂଆ କରି ନିର୍ବାଚନ ହେଉଥିବା ବାଲେଶ୍ୱର ରେମୁଣା ଏନଏସିରେ ବି ସରଗରମ ପ୍ରଚାର । ମୋଟ୍ ୧୩ଟି ୱାର୍ଡରେ ୨୮ହଜାରରୁ ଅଧିକ ଭୋଟର ଥିବା ରେମୁଣା ଏନଏସିରେ ରାସ୍ତାଘାଟ, ପାନୀୟଜଳ, ଶୀତଳଭଣ୍ଡାର ଓ ଶିଳ୍ପାନୁଷ୍ଠାନ ବନ୍ଦ ମୁଖ୍ୟ ମୁଦା ପାଲଟିଛି । ଏଠାରେ ପ୍ରମୁଖ ଦଳ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେଉଥିବାବେଳେ କଂଗ୍ରେସ ଓ ସିପିଆଇଏମ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛନ୍ତି । ଭୋଟରଙ୍କୁ ମନାଇବାକୁ ବିକାଶର ମାଳମାଳ ପ୍ରତିଶୃତି ଦେଇ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ । ସେପଟେ ଯିଏ ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରିବ ତାକୁ ହିଁ ଭୋଟ ଦେବେ ବୋଲି କହିଛନ୍ତି ଭୋଟର ।

୨୨ ତାରିଖରେ ପୌର ନିର୍ବାଚନ ପ୍ରଚାର ସରୁଥିବାବେଳେ ବିଭିନ୍ନ ଦଳ ଜୋରସୋର ପ୍ରଚାରରେ ବ୍ୟସ୍ତ, ହେଲେ କାହାକୁ ଲୋକେ ବାଛୁଛନ୍ତି, ଏହି ଦୁଇ ଏନଏସି ତାହା ନିର୍ବାଚନ ଫଳାଫଳ ହିଁ କହିବ।

ରିପୋର୍ଟର- ବରଗଡରୁ ଦୀପକ ଶର୍ମା ଓ ବାଲେଶ୍ୱରରୁ ରଣଜିତ୍ ପାକଳ