Advertisment

ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ପଦ ପାଇଁ ଟଣାଓଟରା : ବିଜେଡି ଆଗରେ ବିଜେଡି କଣ୍ଟା

ସବୁ ଦଳ ନାମାଙ୍କନ ଭରିଛନ୍ତି। ହେଲେ ଟିକେଟ ବଣ୍ଟନକୁ ନେଇ ବିଜେଡିରେ ଦେଖା ଦେଇଛି ଅସନ୍ତୋଷ। ଦଳ ଜଣକୁ ପ୍ରାର୍ଥୀ କରିଥିବା ବେଳେ ଦଳରୁ ବାହାରି ଦୁଇ ଜଣ ପ୍ରାର୍ଥୀ ହୋଇଛନ୍ତି। ଦୁହେଁ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ବିଜେପି ଏଥିରୁ ଫାଇଦା ନେବାକୁ ଅନାଇ ବସିଛି।

author-image
Prangyan Parimita
bhadrak

bhadrak

ବେଶ ରୋଚକ ହେଉଛି ଭଦ୍ରକ ପୌରପାଳିକ ନିର୍ବାଚନ । ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଦେବା ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବିଜେଡି ଭିତରେ ବିଦ୍ରୋହର ସ୍ୱର ତେଜିଥିବା ବେଳେ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଦେଖା ଦେଇଛି । ବିଜେଡି ଜଣକୁ ପ୍ରାର୍ଥୀ କରିଥିବା ବେଳେ ଦଳରୁ ବାହାରି ଦୁଇ ଜଣ ପ୍ରାର୍ଥୀ ହୋଇଛନ୍ତି । ତେବେ ଏଥିରୁ ଫାଇଦା ନେବାକୁ ଆଗେଇ ଆସିଛି ବିଜେପି ।

Advertisment

ଶାସକ ବିଜେଡିରୁ ସମିତା ମିଶ୍ର ଅଧ୍ୟକ୍ଷା ପ୍ରାର୍ଥୀ ହୋଇଛନ୍ତି। ରାଜନୀତିରେ ସମିତା ନୂଆ ହୋଇଥିଲେ ମଧ୍ୟ ତାଙ୍କ ସ୍ୱାମୀ ଶିଶିର ମିଶ୍ର ଜଣେ ସମାଜସେବୀ ଭାବେ ଭଦ୍ରକରେ ବେଶ ଜଣାଶୁଣା । ତାଙ୍କ ନାମାଙ୍କନ ବେଳେ ଖୋଦ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ।

ଏପଟେ ଏବେ ବିଜେଡି କଳି ଦାଣ୍ଡରେ ପଡି ହାଟରେ ଗଡୁଛି। ବିଜେଡିରୁ ଟିକେଟ ନ ମିଳିବାରୁ ଗୁଲମଖୀ ଦଲାଉଜି ହବିବ ସ୍ୱାଧୀନ ପ୍ରାର୍ଥୀନୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି । ପୁରଣା ବଜାର ଅଞ୍ଚଳକୁ ନେଇ ସେ ଭୋଟ କାର୍ଡ ଖେଳୁଛନ୍ତି । ତେବେ ନାମାଙ୍କନ ବେଳେ ଗୁଲମଖୀ ବିଶାଳ ରାଲି କରି ନିଜର ଶକ୍ତି ଦେଖାଇଛନ୍ତି ।

Advertisment

ସେହିପରି ଅମିତା ବାଳା ଆଚାର୍ଯ୍ୟଙ୍କୁ ଅଧ୍ୟକ୍ଷା ପ୍ରାର୍ଥୀ କରିଛି କଂଗ୍ରେସ। ଦୀର୍ଘ ଦିନ ହେବ ସେ ବିଜେଡି ରାଜନୀତିରେ ଥିଲେ। ଏମିତିକି ଅମିତା ଜିଲ୍ଲା ବିଜେଡି ସାଧାରଣ ସଂପାଦିକା ସହିତ ବିଜୁ ସ୍ମୃତି କମିଟିର ଅଧ୍ୟକ୍ଷା ଥିଲେ । ବିଜୁ ପ୍ରେମୀ ବୋଲି ଦର୍ଶାଇ ତାଙ୍କୁ ଅଣଦେଖା କରିବାରୁ ବାଧ୍ୟ ହୋଇ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ଗୀତାଞ୍ଜଳି ପଢିଆରୀଙ୍କୁ ବିଜେପି ଅଧ୍ୟକ୍ଷା ପାଇଁ ପ୍ରାର୍ଥୀ ଦେଇଛି । ପୂର୍ବରୁ ସେ ଭଦ୍ରକ ପୌରପାଳିକର ଉପଧ୍ୟକ୍ଷା ଥିଲେ । ବିଜେଡିର ପ୍ରାର୍ଥୀ ଚୟନ ଓ ଦୁଇ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କ କଳିରୁ ଫାଇଦା ନେବାକୁ ଆଶା ରଖିଛନ୍ତି ଗୀତାଞ୍ଜଳି ।

ଚଳିତ ବର୍ଷ ଅଧ୍ୟକ୍ଷା ପଦ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ଶାସକ ଦଳ ବିଜେଡି ଏହାକୁ ହାତେଇବାକୁ ପ୍ରାଣମୂଚ୍ଛା ଉଦ୍ୟମ ଜାରି ରଖିଛି। ଆଗାମୀ ୨୬ ତାରିଖରେ ସ୍ପଷ୍ଟ ହୋଇଯିବ କିଏ ଦଖଲ କରିବ ଭଦ୍ରକ ପୌରପାଳିକା।

ଭଦ୍ରକରୁ ପାର୍ଥ ସାରଥୀ ନାୟକଙ୍କ ରିପୋର୍ଟ, ଓଟିଭି।

ULB Polls
Advertisment
Advertisment