• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra
ଗୋଟିଏ ପରିବାର ହାତରେ ୩୯ ବର୍ଷ ହେବ ରହିଛି ୱାର୍ଡ ଭାର । ପ୍ରଥମେ ବାପା ଆଉ ଏବେ ନୂଆ ଇନିଂସ ଆରମ୍ଭ କରିଛନ୍ତି ପୁଅ । ନୟାଗଡ଼ ଜିଲ୍ଲାର ନୟାଗଡ଼ ମ୍ୟୁନିସିପାଲିଟିର ୬ ନମ୍ବର ୱାର୍ଡବାସୀ ପୁଣି ଥରେ ସେହି ପରିବାର ହାତକୁ ଟେକି ଦେଇଛି ଶାସନ ଭାର । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଦୀର୍ଘ ୩୯ ବର୍ଷ ଧରି କ’ଣ ଗୋଟିଏ ପରିବାର ଏଭଳି ଲଗାତାର ଭାବେ ଜିତି ଆସୁଛି ? ସେହି ପରିବାର କ’ଣ ଲୋକଙ୍କ ନିକଟରେ ଏତେ ମାତ୍ରାରେ ବିଶ୍ୱାସ ଭାଜନ ହୋଇପାରିଛି ? ତାଙ୍କର କ’ଣ ବିରୋଧୀ ନାହାନ୍ତି ? କେମିତି ଦୀର୍ଘ ବର୍ଷ ଧରି ସେହି ସମାନ ପରିବାର ହିଁ ୱାର୍ଡରେ କରୁଛି ରାଜ୍ ?

ତେବେ ଏହାର ଗୋଟିଏ ମାତ୍ର ସରଳ ଉତ୍ତର । ଲୋକଙ୍କ ପାଇଁ ଯିଏ କାମ କରିବ ଲୋକେ ତାଙ୍କୁ ହିଁ ଜିତାଇବେ । ଲୋକଙ୍କ ସୁଖ ଦୁଃଖରେ ଯିଏ ସାମିଲ ହେବ ତାଙ୍କୁ ହିଁ ଲୋକେ ବାଛିବେ । ସେଠାରେ ଅର୍ଥ ବଳ କି ବାହୁ ବଳ କିଛି କାମ ଦେବ ନାହିଁ । ଲୋକମାନେ ଯାହାକୁ ଭଲ ପାଆନ୍ତି ତାଙ୍କୁ ଭୋଟ ଦିଅନ୍ତି । ସେ ଯେଉଁ ଦଳରେ ଥିଲେ ମଧ୍ୟ ତାଙ୍କୁ ଲୋକେ ଭୋଟ ଦେଇ ବିଜୟୀ ମୁକୁଟ ପିନ୍ଧାନ୍ତି ।

ତେବେ ଚଳିତ ଥର ନୟାଗଡ଼ ମ୍ୟୁନିସିପାଲିଟିର ୬ ନମ୍ବର ୱାର୍ଡରୁ ବିଜୟୀ ହୋଇଛନ୍ତି ରାଜକୁମାର ସାହୁ । ସେହି ୱାର୍ଡରେ ମୋଟ ୫୩୮ ଭୋଟ ପୁଲିଂ ହୋଇଥିବା ବେଳେ ରାଜକୁମାର ପାଇଛନ୍ତି ୪୭୯ ଭୋଟ । ଆଉ ସେଠାରେ ବିରୋଧୀ ବିଜେପି ପାଇଛି ମାତ୍ର ୪୮ ଭୋଟ ।

ରାଜକୁମାର ସାହୁ ହେଉଛନ୍ତି ସ୍ୱର୍ଗତ ବେଣୁଧର ସାହୁଙ୍କ ସାନ ପୁଅ । ରାଜକୁମାର ପ୍ରଥମେ ସାମ୍ବାଦିକତା କରୁଥିଲେ ଓ ଲୋକଙ୍କ ସୁଖ ଦୁଃଖ ବୁଝୁଥିଲେ । ହେଲେ ସମାଜ ସେବା ପ୍ରତି ଆଗ୍ରହ ଥିବାରୁ ସେ ରାଜନୀତିରେ ପାଦ ଥାପିଲେ । ପ୍ରଥମ ଥର ପାଇଁ ସେ ଏହି ପୌର ନିର୍ବାଚନରେ ଭାଗ ନେଇଥିଲେ । ଆଉ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ।

Benudhar SahooBenudhar Sahoo

ରାଜକୁମାରଙ୍କ ପିତା ବେଣୁଧର ସାହୁ ୧୯୮୩ ମସିହାରୁ ଉକ୍ତ ୱାର୍ଡରେ ନିର୍ବାଚିତ ହୋଇଆସୁଥିଲେ । ନୟାଗଡ଼ବାସୀଙ୍କ ମଧ୍ୟରେ ସେ ବେଶ ଲୋକପ୍ରିୟ । ୨୦୧୯ରେ ତାଙ୍କର ଦେହାନ୍ତ ହେଲା । ୨୦୧୮ରୁ ତାଙ୍କର କାଉନସିଲର  ଭାବେ କାର୍ଯ୍ୟକାଳ ସରିଥିଲା । କିନ୍ତୁ ୨୦୨୨ରେ ହେଲା ପୌର ନିର୍ବାଚନ । ଆଉ ସେଥିରେ ତାଙ୍କର ସାନ ପୁଅ ଭାଗ ନେଲେ । ୱାର୍ଡବାସୀ ବାପାଙ୍କୁ ଯେଭଳି ଭରପୁର ସମର୍ଥନ ଯୋଗାଇ ଆସୁଥିଲେ ଠିକ୍ ସେଭଳି ପୁଅକୁ ମଧ୍ୟ ସମର୍ଥନ ଜଣାଇଲେ । ସ୍ୱର୍ଗତ ବେଣୁଧର ସାହୁ ୨୦୦୮ ମସିହାରେ ନୟାଗଡ଼ ଏନ୍‌ଏସି ଭାଇସ୍ ଚେୟାରମ୍ୟାନ୍‌ ମଧ୍ୟ ରହିଥିଲେ । ସୂଚନାଯୋଗ୍ୟ, ଏହି ୱାର୍ଡ ପୂର୍ବରୁ ୫ ନମ୍ବର ଥିଲା କିନ୍ତୁ ଏବେ ଚଳିତଥର ନିର୍ବାଚନରେ ଏହାର ପରିବର୍ତ୍ତନ ହୋଇ ୬ ନମ୍ବର ୱାର୍ଡ ହୋଇଛି ।