• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ଦିଲ୍ଲୀଗସ୍ତରେ ଥିବା ବେଳେ ପର୍ଲାମେଣ୍ଟରେ ମଧ୍ୟ ପହଞ୍ଚିଥିଲେ । ସେଠାରେ ସମସ୍ତ ବିଜେଡି ସାଂସଦଙ୍କ ସମେତ ଦେଶର ଅନ୍ୟ ନେତାଙ୍କୁ ବି ଭେଟିଥିଲେ । ତେବେ ଏହାରି ଭିତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ମଧ୍ୟ ନବୀନଙ୍କ ଭେଟଘାଟ ହୋଇଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।

ତେବେ ନବୀନ ଦିଲ୍ଲୀ ଯାଇ ପର୍ଲାମେଣ୍ଟରେ ପହଞ୍ଚିଥିବା ବେଳେ ମୋଦି କିମ୍ବା ଅମିତ ଶାହଙ୍କୁ ଭେଟି ନାହାନ୍ତି । ହେଲେ ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତାଙ୍କ ସହ ତାଙ୍କର ଭେଟଘାଟ ହୋଇଛି । ଯାହାକୁ ନେଇ ଏ‍ବେ ରାଜନୀତି ଜୋର ଧରିଛି । ନବୀନଙ୍କୁ କାହିଁକି ଭେଟିଲେ ଅପରାଜିତା ? କ’ଣ ରହିଛି ଉଦ୍ଦେଶ୍ୟ ? ତେବେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ୍‌ । କାରଣ ରାଜ୍ୟରେ ବିଜେପିର ଯେଭଳି ସ୍ଥିତି ରହିଛି ଆଉ ଅପରାଜିତା ମାଡାମ୍‌ଙ୍କ ଗୋଠଖଣ୍ଡିଆ ଗୁଣ ବିଷୟରେ ସମସ୍ତେ ଜାଣନ୍ତି । ଅନ୍ୟପଟେ ଆଗକୁ ଆସୁଛି ରାଜ୍ୟସଭା ନିର୍ବାଚନ ଓ ରାଷ୍ଟ୍ରପତି ନିର୍ବାଚନ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅପରାଜିତା ଭେଟଘାଟ ନିଶ୍ଚିତ ଭାବେ ଚର୍ଚ୍ଚାର ବିଷୟ ।

ତେବେ ଏହି ସବୁ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି ଖୋଦ ଅପରାଜିତା । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ପାର୍ଲାମେଣ୍ଟର ସେଣ୍ଟ୍ରାଲ୍ ହଲ୍‌ରେ ମୁଖ୍ୟମନ୍ତ୍ରୀ ବସିଥିବା ଦେଖି ପରମ୍ପରା ଅନୁଯାୟୀ ତାଙ୍କୁ ସାକ୍ଷାତ କରିଛି । ଏହାସହ ସମ୍ମାନ ପ୍ରଦର୍ଶନ କରିଛି । ଯାହା ସଂସ୍କାର ତାହା କରିଛିି ।’ ସେ ଆହୁରି ମଧ୍ୟ ଲେଖିଛନ୍ତି, ରାଜନୈତିକ ମତ ପାର୍ଥକ୍ୟ ସତ୍ତ୍ୱେ ଜଣେ ଅନ୍ୟ ଜଣଙ୍କ ପ୍ରତି ସର୍ବନିମ୍ନ ସୌଜନ୍ୟ ପ୍ରଦର୍ଶନ କରିବାକୁ ଭୁଲିଯିବା ଉଚିତ୍ ନୁହେଁ ।

ଅନ୍ୟପଟେ ପୁରୀ ପ୍ରସଙ୍ଗରେ ASI ଡିଜିଙ୍କୁ ଭେଟିଛନ୍ତି ଅପରାଜିତା । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ପ୍ରସଙ୍ଗରେ ନୂଆଦିଲ୍ଲୀରେ ASI ଡିଜିଙ୍କୁ ଭେଟିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀମନ୍ଦିର ନିକଟରେ ଚାଲିଥିବା ଖନନ କାର୍ଯ୍ୟ ନେଇ ଅବଗତ କରିଛିନ୍ତି । ପୁରୀ ଗସ୍ତ କାଳରେ ସଂଶୋଧିତ ଡିପିଆର୍ ଦେବାକୁ କହିଥିଲେ ଡିଜି । ସଂଶୋଧିତ ଡିପିଆର ମଗାଯାଇଥିଲେ ବି ନିର୍ମାଣ କାର୍ଯ୍ୟ ବନ୍ଦ ହୋଇନି ବୋଲି କହିଛନ୍ତି ଅପରାଜିତା । ଗତ ମାସେ ହେଲାଣି ଖନନ କାର୍ଯ୍ୟ ଚାଲିଥିବା ସେ କହିଛନ୍ତି । ଏ ସଂପର୍କରେ ଡିଜିଙ୍କୁ ଜଣାଇବା ସହ ଲୋକସଭାରେ ବି ଉଠାଇବେ ବୋଲି କହିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।