• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

5T ସଚିବ ଭି. କେ. ପାଣ୍ଡିଆନଙ୍କ ପ୍ରଥମ ରାଜନୈତିକ ଆକ୍ରମଣକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଗତକାଲି ଗଞ୍ଜାମ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଏକ ସଭାରେ ନାଁ ନନେଇ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ୍ କରିଥିଲେ ପାଣ୍ଡିଆନ୍ । ଆଜି ଏହାକୁ ଖଣ୍ଡନ କରି କାଉଣ୍ଟର ଆଟାକ୍ କରିଛନ୍ତି ପ୍ରଦୀପ । ଆଉ ବିବାଦ ଭିତରକୁ ମୁଖ୍ୟମନ୍ତ୍ରୀଙ୍କୁ ଟାଣି, କହିଛନ୍ତି ଯଦି CMଙ୍କର ସାହସ ଅଛି ତାଙ୍କ ବ୍ୟକ୍ତିଗତ ସଚିବ ଯେଉଁ କଥା କହିଛନ୍ତି ତାହାର ଉତ୍ତର ରଖନ୍ତୁ । ତା’ ସହିତ ପାଣ୍ଡିଆନ୍ ନବୀନଙ୍କ ପରିବାରକୁ ଅପମାନ କରୁଛନ୍ତି ବୋଲି ସାଘାଂତିକ ଅଭିଯୋଗ ଆଣିଛନ୍ତି ପ୍ରଦୀପ । ସେପଟେ ପ୍ରଦୀପଙ୍କ ସପକ୍ଷରେ ବାହାରି ବିଜେପି ଓ କଂଗ୍ରେସ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ।

ଘନେଇଲା ପାଣ୍ଡିଆନ୍-ପ୍ରଦୀପ ବିବାଦ । ପୂର୍ବରୁ ଶୀତଳ ଯୁଦ୍ଧ ହେଉଥିଲା, ଏବେ ପୂରା ଓପନ ୱାର୍ । ପ୍ରଦୀପ-ପାଣ୍ଡିୟାନ୍ ବିବାଦକୁ ନେଇ ଉଠୁଛିପଡୁଛି ରାଜ୍ୟ ରାଜନୀତି । ସରଗରମ ଗଞ୍ଜାମ ପଲିଟିକସ୍ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଫାଇଭ୍ ଟି ସଚିବଙ୍କ ସଭାକୁ ଯାଉଥିବାବେଳେ ବିଜେଡି କର୍ମୀଙ୍କ ସହ ହୋଇଥିଲା ଠେଲାପେଲା- ଧସ୍ତାଧସ୍ତି । ଆଉ ତା’ପରେ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ ପ୍ରଦୀପ । ସେପଟେ ପାଣ୍ଡିଆନ୍ ବି ଆଉ ଚୁପ୍ ରହିଲେ ନାହିଁ । ପ୍ରଥମ ଥର ପାଇଁ ମଂଚ ଉପରୁ ଆରମ୍ଭ କରିଦେଲେ ରାଜନୈତିକ ଆକ୍ରମଣ ।

ସିଧାସଳଖ ନାଁ ନନେଇ ପ୍ରଦୀପଙ୍କୁ କଡ଼ା ସମାଲୋଚନା କଲେ ପାଣ୍ଡିଆନ୍ । କହିଥିଲେ, କୋଭିଡ୍ ବେଳେ ବାହାରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଜଣେ ଜନ ପ୍ରତିନିଧି ଗଞ୍ଜାମ ଜିଲ୍ଲାକୁ ନଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରିଥିଲେ । ସେବା ନାଁରେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କାମ କଲେ ମହାପାପ ଲାଗିବ ବୋଲି କହି ସମାଲୋଚନା କରିଥିଲେ ପାଣ୍ଡିଆନ୍ । ପାଣ୍ଡିଆନଙ୍କ ଏଭଳି ଅଭିଯୋଗ ଉପରେ ଆଜି ଜବାବ୍ ରଖି ପ୍ରଦୀପ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କର ଯଦି ସାହସ ଅଛି ତାଙ୍କ ବ୍ୟକ୍ତିଗତ ସଚିବ ଯେଉଁ କଥା କହିଛନ୍ତି ତାର ଉତ୍ତର ରଖନ୍ତୁ ।

ଓଡ଼ିଶାରେ ରାଜୈନତିକ କ୍ରୀତଦାସ ବ୍ୟବସ୍ଥା ଚାଲିଥିବା ଅଭିଯୋଗ କରିବା ସହ କଳାପାହାଡ଼ମାନେ ଗଣତନ୍ତ୍ରକୁ କବଳିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଦୀପ । ତା’ ସହିତ ନବୀନଙ୍କ ପରିବାରକୁ ବି ଅପମାନ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେପଟେ ପ୍ରଦୀପ ପାଣିଗ୍ରାହୀଙ୍କ ସପକ୍ଷରେ ବାହାରି କଂଗ୍ରେସ ଓ ବିଜେପି, ଫାଇଭ୍- ଟି ସଚିବଙ୍କୁ କଡ଼ା ସାମୋଲାଚନ କରିଛନ୍ତି । ଜଣେ ଜନ ପ୍ରତିନିଧିଙ୍କ ପ୍ରତି ଯେଭଳି ଆଚରଣ କରାଗଲା ତା’କୁ ନିନ୍ଦା କରିଛି କଂଗ୍ରେସ । ବିଜେଡିରେ ଜନ ପ୍ରତିନିଧିଙ୍କ ପ୍ରତି ସମ୍ମାନ ନାହିଁ । ସେମାନଙ୍କୁ ଦୁଇଟି ବିକଳ୍ପ ଦିଆଯାଇଛି, କ୍ରୀତଦାସ ହୋଇ ରୁହ ନହେଲେ ଜେଲ୍ ଯାଅ ବୋଲି ଅଭିଯୋଗ ଆଣିଛି ଦଳ ।

ସେପଟେ ବିଜେପି କହିଛି, ରାଜନୈତିକ ଉଦ୍ଦେଶ୍ୟ ରଖି ଫାଇଭ୍ ଟି ସଚିବ ପ୍ରଦୀପଙ୍କ ବିରୋଧରେ କହିଛନ୍ତି । ସଚିବ ମନଇଚ୍ଛା ଯାହା କରୁଛନ୍ତି ତାହା ଅରଜାକତା ବୋଲି ବିଜେପି ଅଭିଯୋଗ କରିଛି । ଏପଟେ ପାଣ୍ଡିଆନ୍‌ଙ୍କ ସପକ୍ଷରେ ବାହାରି ବିଜେଡି କହିଛି, ପାଣ୍ଡିଆନ୍ କୋଭିଡ୍ ନେଇ ପ୍ରଦୀପଙ୍କ ବିରୋଧରେ ଯାହା କହିଛନ୍ତି ତାହା ସତ ।

ଏବେ ପ୍ରଶ୍ନ ଉଠୁଛି ଜଣେ ବିଧାୟକଙ୍କୁ ସରକାରୀ ଅଧିକାରୀ ସମାଲୋଚନା କରିବା କେତେଦୂର ଯୁକ୍ତିଯୁକ୍ତ ? ସଭାମଂଚରେ, ତାହା ପୁଣି ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ ଟାର୍ଗେଟ କରିବା କେତେ ଦୂର ଠିକ୍ ? ଏଭଳି ପଲିଟିକାଲ୍ ଆଟାକ୍ କରିବା ପଛରେ କ’ଣ ରହିଛି ଉଦ୍ଦେଶ୍ୟ ? ଗଞ୍ଜାମ ରାଜନୀତିରେ ପ୍ରଦୀପଙ୍କୁ ନେଇ ଚିନ୍ତାରେ ଅଛି କି ଶାସକ ଦଳ ? ପ୍ରଦୀପ-ପାଣ୍ଡିଆନ୍‌ଙ୍କ ମଧ୍ୟରେ ଯୁଦ୍ଧଦେହିଂ ଡାକରା ଆଗକୁ କେଉଁ ମୋଡ ନେଉଛି ତାଉପରେ ନଜର ।

 

  • Reported by:
  • HARIHARA CHAND , KAPILENDRA PRADHAN