Advertisment

ଜିଲ୍ଲାପାଳ, ଏସ୍‌ପିଙ୍କୁ ଧରି ବୁଲୁଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର: ଲେଖାଶ୍ରୀ

ମମିତା ହତ୍ୟାକାଣ୍ଡ ପରଠୁ ଗଣମାଧ୍ୟମ ଆଗରେ ଦେଖାଦର୍ଶନ ମିଳୁନଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଜିଳ୍ଲାପାଳ ଏବଂ ଏସ୍‌ପିଙ୍କୁ ଧରି ବୁଲିବା ଚକିତ କରିଛି ବୋଲି ଅଭିଯୋଗ କରିଛି ବିଜେପି। ଯାହାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି, ସେଭଳି ବ୍ୟକ୍ତିଙ୍କୁ ଧରି ଏସପି, ଜିଲ୍ଲାପାଳ ବୁଲୁଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
BJP Pressmeet

BJP Pressmeet

ଭୁବନେଶ୍ୱର: ଗତକାଲି ଜାରି କଲେ ପ୍ରେସ ବିବୃତ୍ତି, ଆଜି ନିର୍ବାଚନ ମଣ୍ଡଳୀ ବୁଲିଲେ ମନ୍ତ୍ରୀ ଦିବ୍ୟଶଙ୍କର। ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରଠୁ ବିବାଦୀୟ ହୋଇପଡ଼ିଥିବା ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଜି ଦେଖିବାକୁ ମିଳିଛି ଭବାନୀପାଟଣା ଓ ଜୁନାଗଡ଼ ଅଞ୍ଚଳରେ। ନଭେମ୍ବର ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଆଜି ଏହାର ପ୍ରସ୍ତୁତିର ତଦାରଖ କରିଛନ୍ତି ଦିବ୍ୟଶଙ୍କର।

Advertisment

ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ହିତାଧିକାରୀଙ୍କୁ ବାଣ୍ଟିବେ। ତାସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ। ଏଥିପାଇଁ ଭବାନୀପାଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓୟୁଏଟି ସଭାସ୍ଥଳ ପରିଦର୍ଶନ ସହ ହେଲିପ୍ୟାଡ୍ ପ୍ରସ୍ତୁତିର ତଦାରଖ କରିଥିଲେ। ତାଙ୍କ ସହ ଥିଲେ କଳାହାଣ୍ଡି ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ଶ୍ରବଣ ବିବେକ ଏମ୍  ଏବଂ ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ବାବୁ।

ତେବେ ମମିତା ହତ୍ୟାକାଣ୍ଡ ପରଠୁ ଗଣମାଧ୍ୟମ ଆଗରେ ଦେଖାଦର୍ଶନ ମିଳୁନଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଜିଳ୍ଲାପାଳ ଏବଂ ଏସ୍‌ପିଙ୍କୁ ଧରି ବୁଲିବା ଚକିତ କରିଛି ବୋଲି ଅଭିଯୋଗ କରିଛି ବିଜେପି। ଯାହାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି, ସେଭଳି ବ୍ୟକ୍ତିଙ୍କୁ ଧରି ଏସପି, ଜିଲ୍ଲାପାଳ ବୁଲୁଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ, ଅପରାଧିଙ୍କୁ ଦଣ୍ଡଦେବା ପରିବର୍ତ୍ତେ ସୁରକ୍ଷା ଦେଉଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ତେବେ ଏନେଇ ମନ୍ତ୍ରୀ ଦିବ୍ୟଶଙ୍କର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। 

Advertisment

ମମିତା ମେହେର ହତ୍ୟା ଘଟଣାକୁ ବିତିଲାଣି ତିନି ସପ୍ତାହ। ବହୁ ବିବାଦ ଓ ରାଜ୍ୟବ୍ୟାପୀ ବିକ୍ଷୋଭ ପରେ ଚାପରେ ପଡ଼ି ବାଧ୍ୟବାଧକତାରେ ସ୍ପଷ୍ଟୀକରଣ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ତେବେ ସିଧାସଳଖ ମିଡିଆ ଆଗକୁ ନଆସି ପ୍ରେସ ବିବୃତ୍ତି ମାଧ୍ୟମରେ ନିଜ ପକ୍ଷ ରଖିଛନ୍ତି। ୧୦ ପଏଣ୍ଟ ଥିବା ଏହି ବିବୃତ୍ତିର ସାରାଂଶ ହେଲା ଯେ,ଏହି ଅପରାଧ ସହିତ ତାଙ୍କର କୌଣସି ସଂପର୍କ ନାହିଁ। ଯଦି ତାଙ୍କ ବିରୋଧରେ କିଛି ପ୍ରମାଣ ଅଛି ତେବେ ତାକୁ ପୋଲିସ୍ କିମ୍ବା କୋର୍ଟରେ ଦାଖଲ କରିବାକୁ କହିଛନ୍ତି ଦିବ୍ୟଶଙ୍କର।

ଏହାସହ ଗଣମାଧ୍ୟମ ଉପରେ ସବୁ ଦୋଷ ଲଦିଛନ୍ତି। ଯାହାକୁ ନେଇ ଦେଖାଦେଇଛି ବିବାଦ। ଆଉ ଏହାକୁ ନେଇ କାଉଣ୍ଟର ଆଟାକ୍ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍। ମନ୍ତ୍ରୀଙ୍କ ବିବୃତି ଅର୍ଥହୀନ ଓ ହାଲୁକା ବୋଲି କଂଗ୍ରେସ୍ ଆଜି ଏକ ସମ୍ବାଦିକ ସମ୍ମିଳନୀରେ କହିଛି। କଂଗ୍ରେସ୍ ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି ଯେ, ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିନାହାନ୍ତି। ଓଲଟା କିଛି ଗଣମାଧ୍ୟମ ନାଁରେ ମାନହାନୀ ମକଦ୍ଦମା କରି ପ୍ରେସ୍ ସ୍ୱାଧୀନତା ଉପରରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ସହ ତଦନ୍ତ ପରିସରକୁ ଆସି ନିଜକୁ ନିର୍ଦ୍ଦୋଷ ପ୍ରମାଣ କରନ୍ତୁ ବୋଲି ଗଣେଶ୍ୱର ଅପିଲ୍ କରିଛନ୍ତି।

BJP Bolangir Police Mamita Murder Case
Advertisment
Advertisment